ଗୋଟିଏ ମଞ୍ଚରେ ପିତା–ପୁତ୍ରଙ୍କୁ ଯୁବ ବିଜ୍ଞାନୀରେ ସମ୍ମାନିତକଲା ଇନଷ୍ଟିଚୁସନ୍ ଅଫ୍ ଇଞ୍ଜିନିଅର୍ସ

କାକଟପୁର- ଭୁବନେଶ୍ୱରରେ ୧୯ ଏପ୍ରିଲ, ୨୦୨୬ ତାରିଖରେ ଆୟୋଜିତ ୬୫ତମ ବାର୍ଷିକ ପ୍ରାୟୋଗିକ ଅଧିବେଶନରେ ଏକ ଗର୍ବିତ ମୁହୂର୍ତ୍ତ ଦେଖିବାକୁ ମିଳିଲା। ଏହି ଅବସରରେ ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ବ୍ଲକ ଜଳେଶ୍ୱରପଡା ଗ୍ରା ପ ଅଧିନସ୍ଥ ବାଲିସିରିଆ ଗ୍ରାମର ପିତା (ଡା. ରାଜେଶ କୁମାର ବେହେରା, ଅଧ୍ୟକ୍ଷ, ଦ ଟେକ୍ନୋ ସ୍କୁଲ, ଭୁବନେଶ୍ୱର) ଓ ପୁତ୍ର (ଆୟୁଷ୍ମାନ ବେହେରା, ସିଭିଲ୍ ଇଞ୍ଜିନିଅରିଂ, ଭୀସୁଟ୍, ବୁର୍ଲା) ଉଭୟଙ୍କୁ ଗୋଟିଏ ମଞ୍ଚରେ “ଯୁବ ବିଜ୍ଞାନୀ ପୁରସ୍କାର” ପ୍ରଦାନ କରାଯାଇଥିଲା। ଇନଷ୍ଟିଚୁସନ୍ ଅଫ୍ ଇଞ୍ଜିନିଅର୍ସ, ଓଡ଼ିଶା ରାଜ୍ୟ ଶାଖା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ସେମାନେ “ଇଞ୍ଜିନିୟର୍ ଏଲ. ଏମ. ପାତ୍ର ମେମୋରିଆଲ ଆୱାର୍ଡ” ଦ୍ୱାରା ସମ୍ମାନିତ ହୋଇଥିଲେ। ଏହି ସମାରୋହରେ ସେମାନଙ୍କ ସହଯୋଗୀ ଗବେଷକ ଭାବରେ ଡା. ଦେବବ୍ରତ ଗିରି, ସହଯୋଗୀ ପ୍ରଫେସର (ସିଭିଲ୍ ଇଞ୍ଜିନିଅରିଂ, ଭୀସୁଟ୍, ବୁର୍ଲା) ଏବଂ ଡା. ସୁଧାଂଶୁ ରଞ୍ଜନ ଦାସ, ସହଯୋଗୀ ପ୍ରଫେସର (ପ୍ରୋଡକ୍ସନ୍ ଇଞ୍ଜିନିଅରିଂ, ଭୀସୁଟ୍, ବୁର୍ଲା) ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ଘଟଣା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିବା ସହ ଯୁବ ପିଢି ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କର ଏହି ସମ୍ମାନର ପଛରେ ଥିବା ଗବେଷଣା ପ୍ରକଳ୍ପ “ଶିଳ୍ପ ଅପଚୟ ବ୍ୟବହାର କରି ବିସ୍ତୃତ ମୃତ୍ତିକାର ପରିବେଶ-ଉପଯୋଗୀ କନଷ୍ଟ୍ରକସନ ଶୈଳୀକୁ ଉନ୍ନତି କରିବା” ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶବାନ୍ଧବ ପ୍ରଣାଳୀରେ ବିସ୍ତାରଶୀଳ ମାଟିର ଗୁଣଗତ ସୁଧାର କରିବା, ଯାହା ସଡ଼କ ଓ ଭୂମି ନିର୍ମାଣ କ୍ଷେତ୍ରରେ ଏକ ସମସ୍ୟା ଭାବେ ଦେଖାଯାଏ। ଏହି ଅଧ୍ୟୟନରେ ଶିଳ୍ପ ଅବଶିଷ୍ଟକୁ ବ୍ୟବହାର କରି ମାଟିର ଶକ୍ତି, ସ୍ଥିରତା ଓ ବହନ କ୍ଷମତା ବୃଦ୍ଧି କରାଯାଇଛି। ଏହା ନା କେବଳ ନିର୍ମାଣ ଖର୍ଚ୍ଚ କମାଏ, ବରଂ ଶିଳ୍ପ ଅବଶିଷ୍ଟର ପୁନଃବ୍ୟବହାର ମାଧ୍ୟମରେ ପରିବେଶ ସୁରକ୍ଷାରେ ମଧ୍ୟ ମୂଲ୍ୟବାନ ଅବଦାନ ରଖେ । ଏହି ସୁନ୍ଦର ଅଭିବ୍ୟକ୍ତିକୁ ଶ୍ରୀ ଆୟୁଷ୍ମାନ ବେହେରା ଓ ପ୍ରଫେସର ଗିରି ମିଳିତ ଭାବରେ ମଞ୍ଚରେ ଉପସ୍ଥାପନ କରିଥିଲେ । ପିତା, ପୁତ୍ର ଓ ଗୁରୁମାନଙ୍କର ଏହି ସଂଯୁକ୍ତ ଶିକ୍ଷା ଅବଦାନ, ଗବେଷଣା ଏବଂ ପରିବେଶ ସୁରକ୍ଷାରେ ଏକ ନୂତନ ଦିଗ ଦେଖାଇଛି।ଏହି ନୂତନ ଗବେଷଣା ପାଇଁ ବିଭିନ୍ନ କ୍ଷେତ୍ରର ଲୋକମାନେ ତାଙ୍କୁ ପ୍ରଶଂସା କରିଥିଲେ। ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତି ପ୍ରଫେସର (ଡ଼ା.) ଦୀପକ କୁମାର ସାହୁ ସମସ୍ତ ପୁରସ୍କାର ବିଜେତାଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭୀସୁଟ୍ର ଭବିଷ୍ୟତ ଗବେଷଣା ଆହୁରି ଅଗ୍ରସର ହୋଇ ଦେଶ ପାଇଁ ଗୌରବ ଆଣିଦେଉ ବୋଲି କହିଛନ୍ତି । ଏହି ସଫଳତା ଅବସରରେ ଶ୍ରୀ ଆୟୁଷ୍ମାନ ବେହେରାଙ୍କ ମାତା ତଥା ସହଯୋଗୀ ଅଧ୍ୟାପିକା ଶ୍ରୀମତୀ ଡଲି ବେହେରା ସମସ୍ତ ସମ୍ମାନିତ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *