ଅଗ୍ନିଶମ ବିଭାଗର ଡିଜି ଙ୍କ ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କିଭଳି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ ସେନେଇ ସମସ୍ତ ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ହେଉଛି। ପୁରୀ ସର୍କିଟ ହାଉସ ଠାରେ ଅଗ୍ନିଶମ ବିଭାଗର ଡ଼ିଜି ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ବୈଠକ ସରିବା ପରେ ଅଗ୍ନିଶମ ଡିଜି ପ୍ରତିକ୍ରିୟା ଦେଇ କହିଛନ୍ତି ଆଗାମୀ ରଥଯାତ୍ରାରେ ଅଗ୍ନିଶମ ବାହିନୀ କିଭଳି ନିଜର କର୍ତ୍ତବ୍ୟ ସୁଚାରୁରୂପେ କରିପାରିବ ସେନେଇ ଆଲୋଚନା ହୋଇଛି। ପ୍ରବଳ ଖରା ଓ ଗୁଳୁଗୁଳି ହେଲେ ଭକ୍ତଙ୍କ ଉପରେ ଜଳ ସିଞ୍ଚନ ବ୍ୟବସ୍ଥା, ପ୍ରବଳ ବର୍ଷା ହେଲେ ଉଚ୍ଚଶକ୍ତି ସଂପନ୍ନ ମୋଟର ପମ୍ପ ଦ୍ବାରା ଜଳ ନିଷ୍କାସନ ବ୍ୟବସ୍ଥା, ସମୁଦ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣ ପ୍ରାପ୍ତ ଲାଇଫ ଗାର୍ଡ ମୁତୟନ କରାଯିବ। ସେହିପରି କୌଣସି ଅଗ୍ନିକାଣ୍ଡ ଘଟିଲେ ତାକୁ କିଭଳି ମୁକାବିଲା କରିହେବ ସେନେଇ ମଧ୍ୟ ଆଲୋଚନା ହୋଇଛି। ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।
