ବନ ବିଭାଗ ପକ୍ଷରୁ ୪ଟି ବେଆଇନ୍ କରତ କଳ ଉପରେ ଚଢ଼ାଉ
ବନ ବିଭାଗ ପକ୍ଷରୁ ୪ଟି ବେଆଇନ୍ କରତ କଳ ଉପରେ ଚଢ଼ାଉ ;ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ। କାକଟପୁର,୨୪.୧୦- କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ଚାଲୁଥିବା ୪ଟି ବେଆଇନ୍ କରତ କଳ ଉପରେ ପୁରୀ ଜିଲ୍ଲା ବନ ବିଭାଗ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ବେଆଇନ ଭାବେ ଚାଲୁଥିବା ଲାଇସେନ୍ସ ବିହୀନ କରତ କଳ ଗୁଡ଼ିକ ଉପରେ ଏକ ଜଙ୍ଗଲ ବିଭାଗର ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଅସ୍ତରଙ୍ଗ ବ୍ଲକର ବେଡାବନ୍ଧ ଓ କେନ୍ଦ୍ରାପଟିରେ ଥିବା ବେଆଇନ କରତ କଳ ଏବଂ କାକଟପୁର ବ୍ଲକର ନାନପୁର ଓ ବାଜପୁର ଠାରେ ଥିବା କରତ କଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ମଗର ଧାନୋଜି ରସୋଙ୍କ ନିର୍ଦ୍ଦେଶ କ୍ରମେ ସକାଳରୁ ଚଢ଼ାଉ ଆରମ୍ଭ କରାଯାଇଥିଲା। ଯେଉଁଥିରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଏସିଏଫ୍ ନୀଳମାଧବ ସାହୁ, ସମ୍ବିତ୍ ପଣ୍ଡା ଓ ରେଞ୍ଜ ଅଫିସର ମୋନାଲିଶା ମହାପାତ୍ର , ସୁଦର୍ଶନ ଦେହୁରୀ, ଧର୍ମେନ୍ଦ୍ର ପ୍ରଧାନ, ଖେଳପ୍ରୀୟ ସାହୁଙ୍କ ସମେତ ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ସୁରକ୍ଷା ଦଳ ସହ ୧୦୦ରୁ ଅଧିକ କର୍ମଚାରୀ ସାମିଲ ଥିଲେ। ଏହି ଜବତ କାର୍ଯ୍ୟ ସମୟରେ କରତ କଳର ସମସ୍ତ ଯନ୍ତ୍ରପାତି ଯେପରିକି ବ୍ୟାଣ୍ଡସ, ଟ୍ରଲି, ହ୍ୱିଲ, ମୋଟର, ବ୍ଲେଡ୍, ବେସ୍ ଇତ୍ୟାଦି ସହିତ ପ୍ରାୟ ୨୨୦ ଘନଫୁଟ ମୂଲ୍ୟବାନ କାଠ ଗଣ୍ଡି ଏବଂ ପ୍ରାୟ ୨୦୦ ଘନଫୁଟ କଟା କାଠ ପଟା, କାଠ ଗୁଣ୍ଡ ବ୍ୟାଗ୍ ଜବତ କରାଯାଇଥିଲା। ଜବତ କରାଯାଇଥିବା ସମସ୍ତ ସାମଗ୍ରୀକୁ ଟ୍ରାକ୍ଟରରେ ଲୋଡ୍ କରି ନିରାପଦ ଜିମ୍ମା ନିମନ୍ତେ ଟବାଗୋଲରା ପିଆରଏଫର ମେଗା ନର୍ସରୀ ପରିସରକୁ ଅଣାଯାଇଥିଲା। ଏ ସମ୍ପର୍କରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୪ଟି ମାମଲା ରୁଜୁ କରାଯାଇଥିବା ନେଇ ରେଞ୍ଜ ଅଧିକାରୀ ମୋନାଲିସା ମହାପାତ୍ର ସୂଚନା ଦେଇଛନ୍ତି।
