ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ବନ୍ଧୁ ମିଳନ ଉତ୍ସବ
କାକଟପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ଓଡ଼ିଆ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ରାମକୃଷ୍ଣ ଶିଶୁ ମନ୍ଦିର ପରିସରରେ ୧୫ତମ ବାର୍ଷିକ ଉତ୍ସବ ତଥା ବିଷୁବ ବନ୍ଧୁ ମିଳନ ଉତ୍ସବ ସହିତ ସାହିତ୍ୟ ଆଲୋଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରସିଦ୍ଧ ବ୍ୟଙ୍ଗକବି ସମ୍ପଦ କୁମାର ରଥଙ୍କ ସଭାପତିତ୍ବରେ କବିତା ପାଠଚକ୍ର ଆୟୋଜିତ ହୋଇଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ। ଦ୍ୱିତୀୟ ସୋପାନରେ ମଙ୍ଗଳା ସାହିତ୍ୟ ସଂସଦ ସଭାପତି ସ୍ଵପ୍ନେଶ୍ୱର୍ ସାହୁଙ୍କ ସଭାପତିତ୍ବ ରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ମଙ୍ଗଳା କଲେଜ୍ ଅଧକ୍ଷ ଅଶୋକ କୁମାର ତ୍ରିପାଠି, ଓଡିଶା ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରୀୟପତ୍ର ସମ୍ପାଦକ ବିପିନ ଚନ୍ଦ୍ର ଦଳାଇ, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଧୀର ଚନ୍ଦ୍ର ଭୂୟାଁ ପ୍ରମୁଖ ଯୋଗ ଦେଇ ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀ ଓ କବି କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ସାହିତ୍ୟ ସଂସଦର ମୁଖପତ୍ର ପ୍ରଚ୍ୟାଲୋକ ବିଷୁବ ସଙ୍କଳନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା
