ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ନେଇ ଧାଡି ଦର୍ଶନ ପୂର୍ବରୁ ସରକାରଙ୍କ ବଡ ପଦକ୍ଷେପ
– ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ନେଇ ଧାଡି ଦର୍ଶନ ପୂର୍ବରୁ ସରକାରଙ୍କ ବଡ ପଦକ୍ଷେପ। ଗର୍ଭଗୃହ ପରେ ଏବେ ନାଟମଣ୍ଡପକୁ କରାଗଲା ଶୀତତାପ ନିୟନ୍ତ୍ରିତ। ଦିନକୁଦିନ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ ପଦକ୍ଷେପ। ଏବେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନାଟମଣ୍ଡପରେ ଥଣ୍ଡା ଅନୁଭଵ କରି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତେଵେ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଭକ୍ତମାନେ ଆଡପମଣ୍ଡପ ଦର୍ଶନ ସମୟରେ ଶୀତତାପ ନିୟନ୍ତ୍ରିତ ଯୋଗୁଁ ନୂତନ ଅନୁଭୂତି ନେଇଥିବା ବେଳେ ଏଥର ଶ୍ରୀମନ୍ଦିରରେ ମଧ୍ୟ ସମାନ ଅନୁଭୂତି ସାଉଁଟିବେ ଶ୍ରଦ୍ଧାଳୁ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀକ୍ଷେତ୍ର ପୁରୀର ସୁରକ୍ଷାକୁ ନେଇ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର। ଗୋଟିଏ 24 ଘଣ୍ଟିଆ ରକ୍ଷକ ଗାଡି ସହ ଜେଟିପି,, ଓଡିଶା ପୋଲିସ, ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ 24 ଘଣ୍ଟା ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷାରେ ନିୟୋଜିତ ଥିବାବେଳେ ଏବେ ନୂତନ

ଟେକ୍ନୋଲୋଜି ଆପଣାଇଛି ପୁରୀ ପୋଲିସ। ଶ୍ରୀମନ୍ଦିର ଅଞ୍ଚଳରେ Facial Recognition System ଓ Fingerprint Verification ମାଧ୍ୟମରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ। ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଭକ୍ତ, ପର୍ଯ୍ୟଟକ ଏବଂ ସାଧାରଣ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ପୁରୀ ସହରରେ ରହୁଥିବା କିମ୍ବା ଅନ୍ୟ ସ୍ଥାନ ଓ ଅନ୍ୟ ରାଜ୍ୟରୁ ଆସି ଏଠାରେ ରହୁଥିବା ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ

ଆବଶ୍ୟକ ସ୍ଥଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଏହି ଯାଞ୍ଚର ମୁଖ୍ୟ ଉଦେଶ୍ୟ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି। ଅନ୍ୟପଟେ ଭିଆଇପି, ଭିଭିଆଇପିଙ୍କ ପ୍ରୋଟୋକଲ୍ ଦର୍ଶନ ବିରୁଦ୍ଧରେ ହାଇକୋର୍ଟରେ ମାମଲା ହେବାପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜୋତି ପରିଡା। ନାଟମଣ୍ଡପରେ ଏସି ଲାଗିବା ପରେ ଭକ୍ତମାନେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଥିବା ବେଳେ କେବେ ଧାଡିଦର୍ଶନ ବ୍ୟବସ୍ଥା କରି ସରକାର ଭକ୍ତଙ୍କୁ ଆଶ୍ବସ୍ତି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
