ନୂଆ-ଓ ର ଉଚ୍ଚଶିକ୍ଷା ଛାତ୍ରବୃତ୍ତି ସହାୟକ ପ୍ରମାଣପତ୍ର ପ୍ରଦାନ
ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିବନି ବାଧକ : ନୂଆ-ଓ*ରଞ୍ଜନ କୁମାର ରାଉତ ନିପ୍ରଆସିକା ତା ୫/୩- ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁକ୍ରମେ ପଞ୍ଚାୟତିରାଜ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଯୁକ୍ତ ତିନିର ନୂଆ-ଓ ନୋଡାଲ ଅଫିସର ଡ. ଏସ୍. ବସନ୍ତ କୁମାର ଆଚାରୀଙ୍କ ସଂଯୋଜନାରେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ପୂଣ୍ୟତମ ଜନ୍ମ ଦିବସରେ ଯୁକ୍ତ ତିନିର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଛାତ୍ରବୃତ୍ତି ସହାୟକ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟଅତିଥି ତଥା ମୁଖ୍ୟବକ୍ତା ରୂପେ କମିଟିର ବରିଷ୍ଟ ସଦସ୍ୟ ବୃନ୍ଦାବନ ବେହେରା ଏବଂ ସମ୍ମାନୀୟା ଅତିଥି ରୂପେ କମିଟି ସଦସ୍ୟା ସ୍ନେହଲତା ପାଣିଗ୍ରାହୀ ଏବଂ ସ୍ବ ମହାବିଦ୍ୟାଳୟର ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ମଞ୍ଚାସୀନ ଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଏହି ଅଭିନବ ପରିକଳ୍ପନାକୁ ସାର୍ଥକ କରିବା ପାଇଁ, ଯୁବପିଢ଼ିଙ୍କ ଉଜ୍ଜ୍ବଳମୟ ଭବିଷ୍ୟତକୁ ଗଠନ କରିବା ପାଇଁ ଏବଂ ଅର୍ଥାଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ଓହରି ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହା ବାସ୍ତବରେ ସହାୟକ ସିଦ୍ଧ ହେବ ବୋଲି ସମସ୍ତ ଅତିଥି ନିଜ ନିଜର ଅନୁରୂପ ମତବ୍ୟକ୍ତ କରିଥିଲେ। ମହବିଦ୍ୟାଳୟର ୧୨୪୨ ଯୁକ୍ତ ତିନିର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଛାତ୍ରବୃତ୍ତି ମିଳିବା ପାଇଁ ତାଲିକାଭୁକ୍ତ କରାଯାଇଛି। ଏହି ଛାତ୍ରବୃତ୍ତି ଦ୍ବାରା ଅନୁସୁଚିତ ଜାତି ଓ ଜନଜାତି ଏବଂ ନିର୍ମାଣ ଶ୍ରମିକ ଛାତ୍ରୀଙ୍କୁ ୧୧,୦୦୦ ଟଙ୍କା, ଛାତ୍ରଙ୍କୁ ୧୦,୦୦୦ ଟଙ୍କା ତଥା ଅନ୍ୟ ଛାତ୍ରୀଙ୍କୁ ୧୦,୦୦୦ ଟଙ୍କା ଏବଂ ଛାତ୍ରଙ୍କୁ ୯,୦୦୦ ଟଙ୍କା ମିଳିବା ପାଇଁ ସୂଚ଼ନା ରହିଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଅତିଥି ବୃନ୍ଦ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଅଭିଭାବକ ମହଲ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ଛାତ୍ରବୃତ୍ତି ସହାୟକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ।
