ହେରା ପଞ୍ଚମୀ ମାହାତ୍ମ୍ୟ 

           ହେରା ପଞ୍ଚମୀ ମାହାତ୍ମ୍ୟ

  🔹କବିରତ୍ନ ନୂତନ କୁମାର ବେହେରା

ନମଃ ନମଃ ଲକ୍ଷ୍ମୀନାରାୟଣ
               ପାଦେ ତବ ନେଉଛି ଶରଣ,
ହସ୍ତ ଯୋଡି଼ କରୁଛି ଜଣାଣ
             ରଚି଼ବାକୁ ଦିଅ ମୋତେ ଜ୍ଞାନ।
ହେରା ପଞ୍ଚମୀ ମାହାତ୍ମ୍ୟ କଥା
               ରଚି଼ବାକୁ ନାହିଁ ମୋର ମଥା,
କୃପାରେ ତୁମ ରଚି଼ବି ଗାଥା
               ଯୁଗ ଯୁଗର ଏ ଦିବ୍ୟ ପ୍ରଥା।
ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ
               ଗୁଣ୍ଡିଚା ଯାତ୍ରାକୁ କଲେ ମନ,
ଜନମ ବେଦୀକୁ ଯେ ଗମନ
               ରଥେ ବସି ଗଲେ ତିନିଜଣ।
ବଡ଼ ଭାଇଙ୍କ ସଙ୍ଗେ ଭଉଣୀ
               ସୁଦର୍ଶନ ସାଥେ ଥିଲେ ପୁଣି,
ଅନାଇଁ ଥିଲେ ଗୁଣ୍ଡିଚା ରାଣୀ
               କର୍ଣ୍ଣ ପବିତ୍ର ସେ କଥା ଶୁଣି।
ଲକ୍ଷ୍ମୀଙ୍କୁ ଯେ ନେଲେ ନାହିଁ ସାଥେ
              ଚାହିଁ ରହିଲେ ଯିବାର ପଥେ,
ଭାଇ ଭଉଣୀଏ ଗଲେ ରଥେ
            ତାଙ୍କ କଥା ନ ବିଚାରି ନାଥେ।
ପ୍ରଭୁଙ୍କର ବିଚ୍ଛେଦରେ ମାତା
          ଏକା ଏକା ହୋଇଲେ ଦୁଃଖିତା,
ହେୟ କଲେ ଜଗତ କରତା
           ପତି ବିନା ପତ୍ନୀ ଯେ ହୀନସ୍ତା।
ବହୁ କଷ୍ଟେ ଗଲା ଚାରିଦିନ
               ପଞ୍ଚମେ ଅସ୍ଥିର ହେଲା ମନ,
ଗୁପତେ ମାତା ଗଲେ ସେ ସ୍ଥାନ
                  କରିବାକୁ ପ୍ରଭୁଙ୍କ ଦର୍ଶନ।
ଥିବାରୁ ବଡ଼ ଭାଇ ବଳିଆ
         ଦେଖା ନ ଦେଲେ ଜଗା କାଳିଆ,
କଥା ହୋଇଲା ଗୋଳ ମାଳିଆ
             ଜାଣିଲେ ପ୍ରଭୁ ତାଙ୍କ ଛଳିଆ।
ମାତା ମନରେ କରିଲେ ରୋଷ
                ଅଧରରୁ ଲିଭିଲା ଯେ ହସ,
ଅଭିମାନେ ହେଲେ ସେ ଉଦାସ
               ମନ କଥା ନ କରି ପ୍ରକାଶ।
ଏକ ଦିନ କହି ଆସିଥିଲେ
              ତାଙ୍କ କଥା ମନୁ ଭୁଲିଗଲେ,
ଅତିଥି ହୋଇ ସୁଖ ପାଇଲେ
            ଭାରିଜାକୁ ଘରେ ଛାଡିଗଲେ।
ଏମନ୍ତେ କ୍ରୋଧ ହୋଇଣ ଏକା
            ରାଗେ ଭାଙ୍ଗିଲେ ରଥର ଚ଼କା,
ଫେରିଲେ ବିରସେ ଖାଇ ଧୋକା
           ଗାଳି କରିବେ ଖୋଜି ମଉକା।
ଏ ଭାବେ ମାତା ଫେରି ମନ୍ଦିରେ
         ରହିଲେ ଆସି ସେ ଅଭିମାନରେ,
ପ୍ରବେଶ କରାଇବେନି ପୁରେ
         ରଖିବେ ତାଙ୍କୁ ନିଶ୍ଚେ ବାହାରେ।
ଏ ଘଟଣା ଯେ ହେରା ପଞ୍ଚମୀ
          ବୁଝାଏ ସ୍ତ୍ରୀ ପାଇଁ ଅଟେ ସ୍ଵାମୀ,
ସେନେହ ଶରଧା ଗଲେ କମି
             କଳହ ବଢେ଼ ଯାଏନା ଥମି।
‘ହେରା’ର ଅର୍ଥ ଯେ ଦରଶନ
             ହେଲା ନାହିଁ ପଞ୍ଚମୀର ଦିନ,
ବଢି଼ଲା ମାତାଙ୍କ ଅଭିମାନ
        ପଶ୍ଚାତେ ହେଲା ତା’ ସମାଧାନ।
ମାନବ ଲୀଳାରେ ଜଗନ୍ନାଥ
          ଜନେ ଦେଖାନ୍ତି କଲ୍ୟାଣ ପଥ,
ପୂର୍ଣ୍ଣ କରିବାକୁ ମନୋରଥ
           ସଂସାର ଲାଗି ଯା’ ଯଥାଯଥ।
ପ୍ରଣମି ପ୍ରଭୁଙ୍କର ଚରଣେ
              ରହିଛି ରହିବି ଯେ ଶରଣେ,
ଦୋଷ ଧରିବେନି ଏ କାରଣେ
          କ୍ଷମା କରିବେ ଆପଣା ପଣେ।
ନମଃ ନମଃ ଲକ୍ଷ୍ମୀନାରାୟଣ
                 ଅଗତିର ଗତି ଆର୍ତ୍ତତ୍ରାଣ,
ଅମୃତ ଗାଥା କରି ଶ୍ରବଣ
              ଶାନ୍ତି ତୃପ୍ତି ଲଭୁ ଏ ପରାଣ।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ’ ଇ-ପତ୍ରିକା,
କୋହି, ବାରିପଦା ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *