ବିଶିଷ୍ଟ କର୍ମୀ ମାନଙ୍କୁ ନେଇ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

କଂଗ୍ରେସରୁ ବିଶ୍ୱ ଦାସ ଇସ୍ତପା ଦେଇ ବିଜେପିରେ ମିଶିବା ପରେ କାକଟପୁର କଂଗ୍ରେସ ପକ୍ଷରୁ ବିଶିଷ୍ଟ କର୍ମୀ ମାନଙ୍କୁ ନେଇ ସ୍ଥାନୀୟ ଖୁଣ୍ଟିଆ କନଭେନସନ୍ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ପୂର୍ବତନ ବିଧାୟକ ପ୍ରାର୍ଥୀ ଥିବା ବିଶ୍ୱ ଭୂଷଣ ଦାସ ଶୁକ୍ରବାର କଂଗ୍ରେସ ଦଳ ଛାଡ଼ି ଭୁବନେଶ୍ୱରରେ ବିଜେପିରେ ଯୋଗଦାନ କରିଥିଲେ। ଯାହା ଦ୍ଵାରା କାକଟପୁରରେ କଂଗ୍ରେସ ମୂରବୀ ବିହୀନ ହୋଇଯାଇଥିଲା।

ତେଣୁ ଏହାକୁ ଗୁରୁତର ଭାବେ ନେଇ ରାଜ୍ୟ ସଭାପତିଙ୍କ ନିର୍ଦେଶ ଅନୁଯାୟୀ କାକଟପୁରରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ, ଉପଦେଷ୍ଟା କମିଟିର ସଭାପତି ପିନାକୀ ଦାଶ ମହାପାତ୍ର, କାକଟପୁର ବ୍ଲକ ବରିଷ୍ଠ କଂଗ୍ରେସ କର୍ମୀ ନିରଞ୍ଜନ ମିଶ୍ର, ସୌମ୍ୟ କାନ୍ତ ଖୁଣ୍ଟିଆ, ବିପିନ ବିହାରୀ ମହାନ୍ତି, ଶରତ ଚନ୍ଦ୍ର ବିଶ୍ବାଳ, ପ୍ରଫୁଲ୍ଲ କୁମାର ନାୟକ, ହରେକୃଷ୍ଣ ମହାନ୍ତି, ଜ୍ୟୋତି ପ୍ରକାଶ ଜେନା, ରାଜକିଶୋର ସାହୁ, ସୁବାସ ନାୟକ, ବିଶ୍ୱଜିତ୍ ସ୍ବାଇଁ, ଯୋଗେନ୍ଦ୍ର ବେହେରା ପ୍ରମୁଖଙ୍କ ସହ ଶତାଧିକ ଆଗ ଧାଡ଼ିର ପ୍ରମୁଖ କର୍ମୀମାନେ ଏକଜୁଟ ହୋଇ ବିଶ୍ୱ ଦାସ ଓ ତାଙ୍କ ସାଥିରେ ଯାଇଥିବା ଅବଧୂତ ସ୍ବାଇଁ ଓ ବିଚିତ୍ରାନନ୍ଦ ଦାଶଙ୍କ ଏପରି ସ୍ୱାର୍ଥପର କାର୍ଯ୍ୟ ପାଇଁ ନିନ୍ଦା କରିଥିଲେ। ଆଗାମୀ ଦିନରେ ସଂଗଠନକୁ ଦୃଢ଼ କରିବା ପାଇଁ କାକଟପୁର, ଅସ୍ତରଂଗ, ଗୋପ ବ୍ଳକ୍ ଓ କୋଣାର୍କ ଏନଏସିରେ ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ଚୟନ କରାଯିବ। ପରବର୍ତ୍ତୀ ସମୟରେ ବିଧାୟକ ପ୍ରାର୍ଥୀ ଉପରେ ଆଲୋଚନା କରାଯିବ ବୋଲି ସ୍ଥିରୀକୃତ ହୋଇଛି। ବିଶ୍ୱ ଦାସ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ କଂଗ୍ରେସର କୌଣସି କ୍ଷତି ହେବ ନାହିଁ ଓ ସମସ୍ତ କର୍ମୀ ମାନେ କଂଗ୍ରେସ୍ ସହ ଅଛନ୍ତି ବୋଲି ସାମୁହିକ ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *