ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହର ଶୁଭ ଉଦଘାଟନ
ତା- ୧୮-୮-୨୬ ରିଖରେ ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ପୁରୀ ଟାଉନ୍ ହଲ୍ ଠାରେ “DASAM- 3.0” ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଓ ଗତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବିଭିନ୍ନ ବିଷୟରେ ଉତ୍କର୍ଷ ପ୍ରତିପାଦନ କରିଥିବା ୨୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ପ୍ରଦାନ କରିଥିବା ୧୧୧ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାରେ “ଏ୧” ଗ୍ରେଡ୍ ହାର ବୃଦ୍ଧି, ବିଦ୍ୟାଳୟ ମାନଙ୍କରେ ଶୂନ୍ୟ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କ ଅନୁପସ୍ଥିତି ଓ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମ ସାମଗ୍ରୀକ ରୂପେ ଜିଲ୍ଲାପାଳ, ପୁରୀ, ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବ,ଦିଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଜିଲ୍ଲାପାଳ ମହୋଦୟ ସୁନ୍ଦର ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟବସାୟ ବଳରେ ନିଜ ନିଜର ଭବିଷ୍ୟତକୁ ଉଜ୍ବଳ ମୟ କରିବା ପାଇଁ ଉତ୍ସାହିତ କରିଥିଲେ ।ଏହି ଉତ୍ସବରେ ଉଦ୍ଘାଟକ ଭାବେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦାନ କରି ନୂତନ ଗୃହ ଉଦ୍ଘାଟନ କରିଥିଲେ । ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଓ ପ୍ରେରଣା ପ୍ରଦାନ କରାଗଲେ ନିଶ୍ଚିତ ଭାବରେ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଉତ୍ପ୍ରେରକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ମେଧାବୀ ଛାତ୍ର ଏବେ ଠାରୁ ଲକ୍ଷ୍ୟ ପ୍ରତି ଉଦ୍ୟମ ଜାରି ରଖିଲେ ଦେଶ ଓ ଜାତିର ମାନ ବୃଦ୍ଧି କରିପାରିବେ ବୋଲି ସେମାନଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏହିପରି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଓଜସ୍ବୀ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ, ପୁରୀ ଶ୍ରୀ ସମ୍ବିତ୍ ପାତ୍ର, ସାଂସଦ , ଜଗତସିଂହପୁର ଡା. ବିଭୁ ପ୍ରସାଦ ତରାଇ ,ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ସତ୍ୟବାଦୀ,ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ୍ ପଟ୍ଟନାୟକ ଯୋଗ ଦେଇ ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଆୟୋଜକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ନିଜ ନିଜର ସାରଗର୍ଭକ ଭାଷଣ ଦ୍ଵାରା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ସମସ୍ତଙ୍କୁ ସ୍ବାଗତ ସମ୍ଭାଷଣ ଓ କାର୍ଯ୍ୟକ୍ରମର ସୂଚନା ପ୍ରଦାନ ସହ ଏହାର ସର୍ବାଙ୍ଗୀନ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦ୍ବିତୀକାନ୍ତ ପ୍ରଧାନ, ଶ୍ରୀମତୀ ଭବମ୍ ପ୍ରଧାନ ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ୍ , ଜିଲ୍ଲା ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିବା ସହ ଶିକ୍ଷୟିତ୍ରୀ ଅଳକାନନ୍ଦା ମଞ୍ଚ ପରିଚାଳନା କରିଥିଲେ ।
