ଯୌତୁକ ନିଷେଧ ଅଧିନିୟମ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ।

ଢ଼େଙ୍କାନାଳ, ୧୮.୮.୨୦୨୬- ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୌତୁକ ଅଧିନିୟମ-୧୯୬୧ ସଂପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଙ୍ଗୀତା କୁମାରୀ ପାତ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ଏହି ଶିବିର ଆୟୋଜନ ସଂପର୍କରେ ପ୍ରାରମ୍ଭିକ ସୂଚ଼ନା ପ୍ରଦାନ କରିଥିଲେ । ଏହି ଶିବିରରେ ଡ଼ି.ଏସ.ପି. ଶ୍ରୀମତୀ ସୁଷମା ପ୍ରଧାନ, ମେଡ଼ିକାଲ ଅଫିସର୍ ଡାକ୍ତର ଶାନ୍ତନୁ କୁମାର ଟୁଡୁ , ଆଇନଜିବୀ ଶ୍ରୀ ହରିହର ପଣ୍ଡା, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୁକ୍ମୁଣୀ ସାହୁ, ସୁରକ୍ଷା ଅଧିକାରୀ ଶ୍ରୀମତୀ ପଙ୍କଜିନୀ କର, ୟୁନିସେଫ୍ ର ଯୁଗ୍ମ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସଂଧ୍ୟା ରାଣୀ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ସି.ଡ଼ି.ପି.ଓ., ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଏନ.ଜି.ଓ. ର କର୍ମକର୍ତ୍ତା ଓ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ । ଯୌତୁକ ଜନିତ ନିର୍ଯ୍ୟାତନା ଓ ହିଂସା ପ୍ରମାଣିତ ହେଲେ ଭରଣ ପୋଷଣ ଦେବା, ଜେଲ୍ , ଜୋରିମାନା ଏପରିକି ଆଜୀବନ କାରାଦଣ୍ଡର ନିୟମ ରହିଛି । ଯୌତୁକ ମାଗିବା ଓ ଯୌତୁକ ଦେବା ଉଭୟ ଦୋଷାବହ, ଏହାକୁ ସମସ୍ତେ ବିରୋଧ କରିବା ଉଚ଼ିତ୍ । ଯୌତୁକ ଜନିତ ଶାରିରୀକ ଓ ମାନସିକ ନିର୍ଯାତନା ଓ ହିଂସା ସାମାଜିକ ସ୍ତରରେ କାର୍ଯ୍ୟକାରୀ ନ ହୋଇପାରିଲେ ଏହା ଫଳଶୂନ୍ୟ, କିଶୋର-କିଶୋରୀମାନେ ଶିକ୍ଷିତ ହୋଇ ଆତ୍ମନିର୍ଭରଶୀଳ ହେବା ଜରୁରୀ ବୋଲି ଶିବିରରେ ଆଲୋଚ଼ନା ହୋଇଥିଲା । କିଶୋର- କିଶୋରୀ କ୍ଲବ୍ ଗଠନ କରାଯାଇ, ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରି, ସେମାନଙ୍କୁ ସଚ଼େତନ କରାଇବା ସହିତ ତୃଣମୂଳ ସ୍ତରୀୟ କର୍ମୀମାନଙ୍କ ପ୍ରତ୍ୟକ୍ଷ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହୋଇଥିଲା । ବାଲ୍ଯ ବିବାହ ଓ କନ୍ୟା ଚାଲାଣ ରୋକିବା, ସ୍ୱଳ୍ପ ବୟସରେ ଗର୍ଭ ଧାରଣ ନ କରିବା, ଶିଶୁ ଶ୍ରମିକ ଉଚ୍ଛେଦ ,ଘରୋଇ ହିଂସା ଆଦି ସଂପର୍କରେ ଅଧିକାରୀ ମାନେ ଆଲୋଚନା କରିଥିଲେ । କିଶୋର- କିଶୋରୀମାନେ ସରକାରୀ ଯୋଜନାରେ ଥିବା ସମସ୍ତ ସୁବିଧା ସୁଯୋଗ ସଂପର୍କରେ ଅବଗତ ହୋଇ ନିଜେ ନିଜର ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ପ୍ରକାରର ନିର୍ଯ୍ୟାତନାର ଶିକାର ହେଲେ ହେଲପ୍ ଲାଇନ୍ ନମ୍ବର ୧୧୨ ରେ ପୋଲିସ ବିଭାଗକୁ, ନିର୍ଯ୍ୟାତିତା ମହିଳାମାନେ ହେଲପ୍ ଲାଇନ୍ ୧୮୧ ରେ ଏବଂ ଶିଶୁ ନିର୍ଯ୍ୟାତନା ରୋକିବାକୁ ହେଲ୍ପଲାଇନ ନମ୍ବର ୧୦୯୮ ରେ ଯୋଗାଯୋଗ କରି ନିଜର ସୁରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *