ପୁରୀରେ ଆରମ୍ଭ ହେଲା ଇସ୍କନ ହଟାଓ ଅଭିଯାନ.. ଇସ୍କନ ବହି ଷ୍ଟଲ ଶରଧାବାଲି ରୁ ହଟିଲା
ଇସ୍କନର ବହି ଷ୍ଟଲ ଶରଧାବାଲିରୁ ହଟିଲା, ପୁରୀରେ ଆରମ୍ଭ ହେଲା “ଇସ୍କନ ହଟାଓ” ଅଭିଯାନ।ମହାପ୍ରଭୁ ଜଗନ୍ନାଥ ଓ ଗଜପତିଙ୍କୁ ଅସମ୍ମାନ କରିବା ଅଭିଯୋଗରେ ପୁରୀରେ ଇସ୍କନ ବିକିପାରିବନି କି କୀର୍ତ୍ତନ କରିପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି।ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଶହଶହ ବୁଦ୍ଧିଜୀବୀ ଗତକାଲି ରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିବା ଇସ୍କନର ଭ୍ରାମ୍ୟମାଣ ବହି ବିକ୍ରୀ ଯାନକୁ ଫେରାଇ ଦିଆଯାଇଛି l ଶରଧାବାଲିରେ ରଥଯାତ୍ରା ଅବସରେ ଇସ୍କନ ପକ୍ଷରୁ ଗୋଟିଏ ବହି ବିକ୍ରୀ ଷ୍ଟଲ ଲଗାଯାଇଥିଲା। ଅଭିଯୋଗ ହେଲା ଯେ, ଇସ୍କନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥ ଓ ଗଜପତି ମହାରାଜଙ୍କୁ ଅସମ୍ମାନ କରାଯାଉଛି।ଏହି ଖବର ପ୍ରଚାର ହେବା ମାତ୍ରେ ହିଁ ଭକ୍ତମାନେ ଏକାଠି ହୋଇ ସେଠାରେ ପହଞ୍ଚିଥିଲେ। ସେମାନେ ସ୍ପଷ୍ଟ କହିଦେଲେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବିରୋଧୀ କାର୍ଯ୍ୟ ଚଳିବନି। ଚାପ ବଢ଼ିବା ପରେ ଇସ୍କନର ବହି ଷ୍ଟଲକୁ ସେଠାରୁ ହଟାଇ ଦିଆଗଲା।ଏହି ଘଟଣା ପରେ ପୁରୀରେ ଏବେ ଇସ୍କନ ହଟାଓ ଅଭିଯାନ ଆରମ୍ଭ ହୋଇଛି।ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ, ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର,ପୁରୀ ବାର ଆସୋସିଏସନର ପ୍ରାକ୍ତନ ସଂପାଦକ ବିଭୂତି ତ୍ରିପାଠୀ କହିଛନ୍ତି ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତା। ତାଙ୍କୁ ନେଇ କୌଣସି ପ୍ରକାର ମନମାନି କି ଅପପ୍ରଚାର ଆମେ ସହିବୁନି। ପୁରୀରୁ ଇସ୍କନକୁ ସମ୍ପୂର୍ଣ୍ଣ ହଟାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।ଇସ୍କନ ପକ୍ଷରୁ ବାରମ୍ବାର ଜଗନ୍ନାଥ ପରମ୍ପରାକୁ ବିକୃତ କରିବାର ଉଦ୍ୟମ ହେଉଛି। ତେଣୁ ଏହାର ପ୍ରତିବାଦରେ ଆଇନଗତ ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ l
