ହସ ଆକାଶରେ କାନ୍ଦ ବିଜୁଳି

          ହସ ଆକାଶରେ କାନ୍ଦ ବିଜୁଳି
              ( ରାଗ — ଚକ୍ରକେଳି )

  ▪️କବିରତ୍ନ ନୂତନ କୁମାର ବେହେରା

ହସ ଆକାଶରେ’ କାନ୍ଦ ବିଜୁଳି’
        ଶରୀରେ ସନ୍ତାପ’ ଦିଅଇ ବୋଳି’ ।
ଜୀବନ ମରୁରେ ହସ ଆକାଶ,
            ପ୍ରଭାବେ ତାହାର ହୁଏ ବିକାଶ ।
ଦୁଃଖରେ ହୁଅଇ କାନ୍ଦ ବିଜୁଳି,
          ତା’ ଆଘାତେ ଯାଏ ଅନ୍ତର ଜଳି ।
ହସ କାନ୍ଦ ବେନି ଖେଳନ୍ତି ମୁଖେ,
       କିଏ ପାଏ ସୁଖ କେ ରହେ ଦୁଃଖେ ।
ହସର ଆକାଶ ଚିର ଉଜ୍ଜ୍ୱଳ,
               କାନ୍ଦର ବିଜୁଳି ହୁଅଇ କାଳ ।
ଚଳି ହୁଏ ନାହିଁ କାହାକୁ ଏଡି଼,
       କିଏ କେତେବେଳେ ଆସେ ଦଉଡ଼ି ।
ଜୀବନ ଖୋଜଇ ଖୁସି ଆନନ୍ଦ,
            ନ ଆସୁ ପାଖକୁ ଦୁଃଖ ବିଷାଦ ।
ଦୁଃଖ ସହି କରେ ଶ୍ରମ ସାଧନ,
         ସୁଖରେ କାଟିବ ବୋଲି ତା’ ଦିନ ।
ଆନେ ଦେଲେ ଦୁଃଖ ମିଳଇ ଦୁଃଖ,
            ପର ହିତେ ଥିଲେ ଆସଇ ସୁଖ ।
ନିଜ ମନ ନେଇ ଚାଲେ ମଣିଷ,
             ତାର ସ୍ଵଭାବରେ ରଖି ବିଶ୍ଵାସ ।
ମହତ ଲୋକଟି ରହି ସାତ୍ତ୍ୱିକ,
            ଅନ୍ୟକୁ ଦିଅଇ ଜ୍ଞାନ ଆଲୋକ ।
ବୁଝେ ସେ ଅନ୍ୟର ଦୁଃଖ ବେଦନା,
        କରେ ନାହିଁ କେବେ ତିଳେ ଛଳନା ।
ସବୁରି ହୃଦୟେ ଦେଖେ ଈଶ୍ଵର,
         ଲୁହ ପୋଛି ଦେଇ ରହେ ଉଦାର ।
ହସର ଆକାଶେ ହୁଏ ସେ ରବି,
             ଅନ୍ଧାର ଘୁଞ୍ଚାଇ ଦେଖାଏ ଛବି ।
କାନ୍ଦର ବିଜୁଳି ହୃଦେ ସମ୍ଭାଳି,
              ହସାଏ ଧରାକୁ ସରାଗ ଢ଼ାଳି ।

   ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *