ହସ ଆକାଶରେ କାନ୍ଦ ବିଜୁଳି
ହସ ଆକାଶରେ କାନ୍ଦ ବିଜୁଳି
( ରାଗ — ଚକ୍ରକେଳି )
▪️କବିରତ୍ନ ନୂତନ କୁମାର ବେହେରା
ହସ ଆକାଶରେ’ କାନ୍ଦ ବିଜୁଳି’
ଶରୀରେ ସନ୍ତାପ’ ଦିଅଇ ବୋଳି’ ।
ଜୀବନ ମରୁରେ ହସ ଆକାଶ,
ପ୍ରଭାବେ ତାହାର ହୁଏ ବିକାଶ ।
ଦୁଃଖରେ ହୁଅଇ କାନ୍ଦ ବିଜୁଳି,
ତା’ ଆଘାତେ ଯାଏ ଅନ୍ତର ଜଳି ।
ହସ କାନ୍ଦ ବେନି ଖେଳନ୍ତି ମୁଖେ,
କିଏ ପାଏ ସୁଖ କେ ରହେ ଦୁଃଖେ ।
ହସର ଆକାଶ ଚିର ଉଜ୍ଜ୍ୱଳ,
କାନ୍ଦର ବିଜୁଳି ହୁଅଇ କାଳ ।
ଚଳି ହୁଏ ନାହିଁ କାହାକୁ ଏଡି଼,
କିଏ କେତେବେଳେ ଆସେ ଦଉଡ଼ି ।
ଜୀବନ ଖୋଜଇ ଖୁସି ଆନନ୍ଦ,
ନ ଆସୁ ପାଖକୁ ଦୁଃଖ ବିଷାଦ ।
ଦୁଃଖ ସହି କରେ ଶ୍ରମ ସାଧନ,
ସୁଖରେ କାଟିବ ବୋଲି ତା’ ଦିନ ।
ଆନେ ଦେଲେ ଦୁଃଖ ମିଳଇ ଦୁଃଖ,
ପର ହିତେ ଥିଲେ ଆସଇ ସୁଖ ।
ନିଜ ମନ ନେଇ ଚାଲେ ମଣିଷ,
ତାର ସ୍ଵଭାବରେ ରଖି ବିଶ୍ଵାସ ।
ମହତ ଲୋକଟି ରହି ସାତ୍ତ୍ୱିକ,
ଅନ୍ୟକୁ ଦିଅଇ ଜ୍ଞାନ ଆଲୋକ ।
ବୁଝେ ସେ ଅନ୍ୟର ଦୁଃଖ ବେଦନା,
କରେ ନାହିଁ କେବେ ତିଳେ ଛଳନା ।
ସବୁରି ହୃଦୟେ ଦେଖେ ଈଶ୍ଵର,
ଲୁହ ପୋଛି ଦେଇ ରହେ ଉଦାର ।
ହସର ଆକାଶେ ହୁଏ ସେ ରବି,
ଅନ୍ଧାର ଘୁଞ୍ଚାଇ ଦେଖାଏ ଛବି ।
କାନ୍ଦର ବିଜୁଳି ହୃଦେ ସମ୍ଭାଳି,
ହସାଏ ଧରାକୁ ସରାଗ ଢ଼ାଳି ।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା, ମୟୂରଭଞ୍ଜ।
