ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ” ଆସନ୍ତୁ ବାଣ ନୁହେଁ ହସ ଫୁଟାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ।

ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ ଗ୍ରାମ ନିକଟରେ ଥିବା “ଓମ ଜରା ନିବାସ” ପରିସରରେ “ଆସନ୍ତୁ ବାଣ ନୁହେଁ ହସ ଫୁଟାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଶ୍ରମରେ ଥିବା ବୃଦ୍ଧବୃଦ୍ଧାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିବା ସହ ବସ୍ତ୍ର ଏବଂ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଦୀପାବଳୀରେ ସାଧାରଣତଃ ପରିବାରର ମୁଖ୍ୟ ପରିବାର ସହ ହସଖୁସିରେ ରହି ଦୀପଦାନ କରିବା ସହ ପିଠାପଣା ଖାଆନ୍ତି । କିନ୍ତୁ ଓମ ଜରା ନିବାସରେ ରହିଥିବା ବୃଦ୍ଧବୃଦ୍ଧା ମାନେ ଏବେ ପରିବାର ଠାରୁ ଦୂରରେ । ସେମାନଙ୍କ ମନରେ କାଣିଚାଏ ହସ ଫୁଟାଇବା ସହ ପରିବାର ଠାରୁ ଦୂରେଇ ରହିଥିବା ଅଭାବକୁ ଦୂର କରିବା ପାଇଁ ସଙ୍ଗଠନ ପକ୍ଷରୁ ଏହି ପ୍ରୟାସ କରାଯାଇଛି।

ତା ସହ ବାଣ ନ ଫୁଟାଇ କିଛି ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରତ୍ୟେକ ବର୍ଷ ସଙ୍ଗଠନ ପକ୍ଷରୁ ଚେଷ୍ଠା କରାଯାଇ ଆସୁଅଛି।ଅନ୍ୟପକ୍ଷରେ ବର୍ତ୍ତମାନର ପରିବେଶରେ ବାଣ ଫୁଟାଇବା ଦ୍ୱାରା ବାଣର ରସାୟନ ମିଶ୍ରିତ ବିସ୍ଫୋରଣ ପରିବେଶକୁ ଅତ୍ୟଧିକ ବିଷବଳୟ କରିଥାଏ। ଯାହାଦ୍ୱାରା ବାୟୁର ଗୁଣବତ୍ତା ସୂଚକାଙ୍କ ବଢିବା ସହ ପରିବେଶରେ ମୁକ୍ତ ଓ ସାଧାରଣ ଜୀବନଯାପନ ପାଇଁ ଜନସାଧାରଣଙ୍କୁ ଅଯୋଗ୍ୟ ହୋଇପଡେ। ଏହା ବ୍ୟତୀତ ପ୍ରଦୂଷଣ ଦ୍ୱାରା ଶ୍ୱାସ ରୋଗ,ଚର୍ମ ରୋଗ, ହୃଦଘାତ ଭଳି ରୋଗରେ ଜନସାଧାରଣ ସମ୍ମୁଖୀନ ହେବାର ସମ୍ଭାବନା ରହୁଛି। ତାସହ ପ୍ରକୃତି ଉପରେ ନିର୍ଭର ଥିବା ନିରୀହ ପଶୁପକ୍ଷୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ଯାହାକି ଜୈବବିଭିଦ୍ଧତା ଉପରେ ପ୍ରଭାବ ପଡିଥାଏ। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋକର ପର୍ବ ଦୀପାବଳିରେ ବାଣ ବିସ୍ଫୋରଣ ଓ ପ୍ରଦୂଷଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ନିମନ୍ତେ ” ଆସନ୍ତୁ ବାଣ ନୁହେଁ ହସ ଫୁଟାଇବା” କାର୍ଯ୍ୟକ୍ରମ ବ୍ରହ୍ମପୁର ସବୁଜ ବାହିନୀ ଉଦ୍ୟମରେ ହାତକୁ ନିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଙ୍ଗଠନ ଉଦ୍ୟମରେ ଆଶ୍ରମର ବୃଦ୍ଧବୃଦ୍ଧାଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଚଷମା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର,ସମ୍ପାଦକ ବିଜେନ୍ଦ୍ର ମାଝୀ,ଏସ ଥ୍ରୀ ଫ୍ୟାଟ ଟୁ ଫିଟ ନ୍ୟୁଟ୍ରିସନ ସେଣ୍ଟରର ପ୍ରତିଷ୍ଠାତା ନିରଞ୍ଜନ ପଣ୍ଡାଙ୍କ ସମେତ ବହୁ ସମାଜସେବୀ ଓ ପରିବେଶ ପ୍ରେମୀଙ୍କ ସହ ସେବାଶ୍ରମର କର୍ମକର୍ତ୍ତା ପ୍ରଭୃତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *