ଲୋକନାଥ ଥିଲେ ସାଲିସ ବିହୀନ ଜନ ନେତା, ଜନ୍ମ ଶତବାର୍ଷିକୀରେ ଶିଳାନ୍ୟାସ ଓ ଆଲୋଚନା
କୁଜଙ୍ଗ:୧୯/୫-ବିଶିଷ୍ଟ ଜନନେତା , କମ୍ୟୁନିଷ୍ଟ ଆନ୍ଦୋଳନର ମହାନ ପ୍ରବକ୍ତା, କୁଜଙ୍ଗ ମାଟିର ସୁପୁତ୍ର କମ୍ରେଡ ଲୋକନାଥ ଚଉଧୂରୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସୋମବାର ଦିନ କୁଜଙ୍ଗ ଲୋକନାଥ ଭବନଠାରେ ତାଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରାଯାଇଛି l କୁଜଙ୍ଗ ସୂଚନା ଭବନଠାରେ ଆୟୋଜିତ କମ୍ରେଡ ଲୋକନାଥଙ୍କ ଜନ୍ମ ଶତ ବାର୍ଷିକ ସ୍ମୃତି ସଂସଦ ସଭାପତି ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।ଲୋକନାଥ ଲୋକଙ୍କ ନେତା ଶୀର୍ଷକ ଭବ୍ୟ ସ୍ମୃତି ସଭାରେ ଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ,ପୂର୍ବତନ ସାଂସଦ ତଥା କବି ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ,ଓଡିଶାର ପୂର୍ବତନ ମନ୍ତୀ ଶଶୀ ଭୂଷଣ ବେହେରା ଓ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡି ପ୍ରମୁଖ ଯୋଗ ଦେଇ ଶିଳାନ୍ୟାସ କରିବା ସହିତ କମ୍ରେଡ ଲୋକନାଥ ଚୈ।ଧୁରୀଙ୍କୁ ଜଣେ ବିରଳ ସାଲିସ ବିହୀନ ନେତା ବୋଲି ମତବ୍ୟକ୍ତ କରିଥିଲେ l ଜଣେ ଜମିଦାର ପରିବାରରେ ଜନ୍ମ ହୋଇ ମଧ୍ୟ ସମସ୍ତ ସୁଖ ସମ୍ପଦକୁ ତୁଚ୍ଛ କରି ଗରୀବ ମୁଲିଆ ମେହେନତି ମଣିଷ ସେବାରେ ଜୀବନ ତମାମ ବିତେଇ ଦେଇଥିବା ବିରଳ ବ୍ୟକ୍ତି ଓ ଅନେକ ଜନ ଆନ୍ଦୋଳନ ନେତୃତ୍ୱ ନେଇ ସଫଳତାର ଶୀର୍ଷରେ ସେ ପହଂଚି ଥିବାରୁ ସେ ଓଡିଶା ମାଟିର ବରପୁତ୍ର ହୋଇ ପାରିଥିବା ଡକ୍ଟର ପ୍ରସନ୍ନ ପାଟସାଣୀ ତାଙ୍କ ବକ୍ତବ୍ୟରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ମାସିକ ସଂବାଦ ପତ୍ର”ପରଦା”ର ସମ୍ପାଦକ ସରୋଜ କୁମାର ପଟ୍ଟନାୟକ ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇ ,ଶିକ୍ଷକ ନେତା ବସନ୍ତ ସାମଲ ,ପ୍ରଭାକର ଭଟ୍ଟ,ଉତ୍କଳ ସାହିତ୍ୟ ସମାଜ ଉପସଭାପତି ଜୀବନାନନ୍ଦ ଅଧିକାରୀ ,ଡାକ୍ତର ବିପିନ ସାମନ୍ତରାୟ ଓ ପ୍ରଶାନ୍ତ ସେଠି ନିଜଳ ବକ୍ତବ୍ୟ ରଖିଥିଲେ l

କୁଜଙ୍ଗ ପ୍ରେସ କ୍ଲବ ସଭାପତି ଡକ୍ଟର ରଘୁନାଥ ସାହୁ ମଞ୍ଚ ପରିଚାଳନା କରି କୁଜଙ୍ଗ ବରପୁତ୍ର ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ସିପିଆଇ କୁଜଙ୍ଗ ଜୋନ ସମ୍ପାଦିକା ଜିନମୟୀ ସାହାଣୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସିପିଆଇ ଜିଲ୍ଲା ସମ୍ପାଦକ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଦୁଇ ଜଣ କବି ଲାଲ ସଲାମ ଲୋକନାଥ କବିତା ପାଠ କରିଥିଲେ l ଛୟାନବେ ବର୍ଷିୟ ବରିଷ୍ଠ ଶିକ୍ଷକ ନେତା ନିଶାକର ମୁଦୁଲିଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ଲୋକନାଥ ଚୌଧୁରୀ ସମ୍ମାନ ପ୍ରଦାନ କରାଯାଇଥିଲା l ସୁବାସ ମହାପାତ୍ର ,ବିଷ୍ଣୁ ମୁଦୁଲି ,ରବୀନ୍ଦ୍ର ମହାପାତ୍ର ,ଶରତ ବେହେରା ,ରବୀନ୍ଦ୍ର ମାଝୀ ,ଶରତ ବଳିଆର ସିଂ ,ରୁନିବାଳା ମାଝୀ ,କଳ୍ପନା ଦାସ ଓ ନବୀନ ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l ଆସନ୍ତା ଶତ ବାର୍ଷିକ ଉତ୍ସବରେ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ଶତ ବାର୍ଷିକ ସ୍ମୃତି ସଂସଦ ସମ୍ପାଦକ ଶ୍ରୀନିବାସ ଜୁଝାର ସିଂ ମଞ୍ଚରେ ଘୋଷଣା କରିଥିଲେ l ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପାଞ୍ଚଶହରୁ ଉର୍ଦ୍ଧ୍ଵ ଜନ ସମାଗମ ହୋଇଥିଲା ।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
