ମନ ମହୌଷଧି
                  ( ରାଗ — ଆହାରୀ )

  🔹କବିରତ୍ନ ନୂତନ କୁମାର ବେହେରା

ଜୀବନେ ଭରି ରହିଛି’ ଦୁଃଖ ସୁଖ’
        ଦୁଃଖର ଯନ୍ତ୍ରଣା କରେ’ ଯେ ବିମୁଖ’ ।
ସୁଖେ ଥାଇ ଯେତେ ପ୍ରାଣୀ ଆନନ୍ଦିତ,
           ଆତ୍ମସନ୍ତୋଷେ ରୁହନ୍ତି କାର୍ଯ୍ୟରତ ।
ଶରୀର ଭିତରେ ରହି ସୂକ୍ଷ୍ମ ମନ,
              ସଦାସର୍ବଦା କରଇ ଯେ ଚିନ୍ତନ ।
ଭଲ ଭାବନାରେ ଆଣେ ପ୍ରସନ୍ନତା,
       ମନ୍ଦ ଭାବେ ଯେତେ ବଢ଼େ ଅସ୍ଥିରତା ।
ଶୁଦ୍ଧ ଭାବନାରେ ରହେ ନିର୍ବିକାର,
        ତୁଚ୍ଛ କଥା ଭାବି ଆଣେ ଯେ ବିକାର ।
ମନର ବିକାର ଯୋଗୁଁ ହୁଏ କ୍ରୋଧୀ,
          ଇନ୍ଦ୍ରିୟର ଶକ୍ତିକୁ ପାରେନା ରୋଧି ।
ନିଜକୁ ନ କରି ନିଜେ ନିୟନ୍ତ୍ରଣ,
           ଅଧୀରରେ ହରାଏ ତା’ ସ୍ଵଚ୍ଛ ଗୁଣ ।
ପରିବେଶ ପରିସ୍ଥିତି ସଦା ସନ୍ତୁଳିତ,
        ଜୀବନ ନଈରେ ଦୁଃଖ ସୁଖ ସ୍ରୋତ ।
ଦୁଃଖ ସହି ରହିଥିଲେ ସତ୍ୟ କର୍ମେ,
          ସଂସାରକୁ ବୁଝେ ସିଏ ନିଜ ମର୍ମେ ।
ଜୀବନର ଜଟିଳତା ବୁଝି ହୃଦେ,
           ସରଳ କରି ରହେ ସେ ଆନନ୍ଦେ ।
ମନର ବିକାର ଆଣଇ ଯେ ଅଶାନ୍ତି,
            ମୁକୁଳି ରୁହଇ ଜଣେ ଶୁଭ ଚିନ୍ତି ।
ଦୁର୍ଭାବନା ହିଁ ଦୁଃଖର ଅଟେ ମୂଳ,
      ଅବାଞ୍ଛିତ ରୂପେ ଆସେ ହୋଇ କାଳ ।
ମନ ଶରୀରେ ବଢ଼ାଏ ନାନା ରୋଗ,
           ଜୀବନର ପ୍ରତି କମେ ଅନୁରାଗ ।
ମନ ହିଁ ମନର ଭଲ ମନ୍ଦ କର୍ତ୍ତା,
       କଳ୍ପନା ମାଧ୍ୟମରେ ସେ ଦିଏ ବାର୍ତ୍ତା ।
ବିବେକ ବିଚାରେ ରହି ସ୍ଥିତପ୍ରଜ୍ଞ,
            ପୂର୍ଣ୍ଣକରେ ଜୀବନର ମହାଯଜ୍ଞ ।
ଉଚିତ ଉପଚାରରେ ଯାଏ ବ୍ୟାଧି,
         ଶୁଦ୍ଧ ଭାବ ଅଟେ ମନ ମହୌଷଧି ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *