ଖରିଫ ଧାନ ବିକ୍ରୟ ପାଇଁ ଆଜି ଗୋଟିଏ ଦିନରେ ପଞ୍ଜିକରଣ କଲେ ଏକ ଲକ୍ଷରୁ ଅଧିକ ଚାଷୀ
ଭୁବନେଶ୍ବର: ତା.୨୧.୦୮.୨୦୨୬ଖରିଫ ଧାନ ସଂଗ୍ରହ ବିପଣନ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ ଲକ୍ଷ ୧୮ ହଜାରରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିସାରିଲେଣି। ବିଶେଷ କରି ଆଜି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି | ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପ୍ରକ୍ରିୟା ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିିତି(ପ୍ୟାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ) ଓ ପାଣି ପଞ୍ଚାୟତରେ ପଞ୍ଜିକରଣ କରାଯାଉଛି। ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାଷୀ ପଞ୍ଜିକରଣରେ ଚାଷୀମାନେ ଉତ୍ସାହର ସହ ପଞ୍ଜିକରଣ କରୁଥିବାବେଳେ ବିଭାଗର ସୂଚନା ମୁତାବକ, ବରଗଡ଼ ଜିଲ୍ଲାରେ ପ୍ରାୟ ୭୫ ହଜାର, ବାଲେଶ୍ୱରରେ ୫୦ ହଜାର, କଳାହାଣ୍ଡିରେ ୪୯ ହଜାର, ଗଞ୍ଜାମ ଜିଲ୍ଲାରେ ୪୯ ହଜାର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରାୟ ୩୧ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ରାଜ୍ୟର ୨୯୧୨ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଚାଲିଛି। ଚଳିତ ପଞ୍ଜିକରଣ ପ୍ରକ୍ରିୟା ବିଭିନ୍ନ ବିଭାଗ ଯଥା-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି । ଯଥାଶୀଘ୍ର ନିଜ ନିଜର ପଞ୍ଜିକରଣ କରାଇନେବା ପାଇଁ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜାରି ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
