ମାଆ


ପନ୍ଦର ବର୍ଷର
ପୁଅ ତା’ ମାଆକୁ
ଗେଲ କରି କହିଥିଲା
“ଷୋଳ ବରସରେ
ଷୋଳ ପାଲା ମୋର
କରିବୁ ତୁ”କହିଥିଲା।

ଭଲ ଜିନିଷଟେ
ନିଶ୍ଚୟ ଦେବୁ ତୁ
ସାଇତି ମୁଁ ରଖିଥିବି
ଯୁଆଡ଼େ ଗଲେ ବି
ସାଥିରେ ମୋହର
ସଙ୍ଗେ ନେଇ ଯାଉଥିବି।

ସଙ୍ଗରେ ଥିଲେ ତୋ’
ଶୁଭ ଆଶୀର୍ବାଦ
ସବୁ ଶୁଭ ହୋଇଯିବ
ଯୁଆଡ଼େ ଗଲେ ବି
ଭଲ ବାଟ ମୋତେ
ଦେଖାଇ ସେ ଦେଉଥିବ।”

ସମ୍ମତି ଜଣାଇ
ମାଆଟି ତାହାର ମୁଖେ ତା ଚୁମ୍ବନ ଦେଲା
“ମୋ ଆୟୁଷ ତୋତେ
ଲାଗିଯାଉ” କହି
ଆଶୀର୍ବାଦ ତାକୁ କଲା।

କହିଲା ତାହାକୁ
“ଷୋହଳ ଚାଲିଲେ
ଆଲମିରା ଦେଖିବୁ ତୁହି
ଦେଖିବୁ ସେଥିରେ
କଅଣ ଦେଇଛି
ମାଆଟିଏ ତୋର ହୋଇ।”

କିଛି ମାସ ପରେ
ସେହି ବାଳକଟି
ରୋଗ ଶେଜେ ପଡ଼ିଗଲା
ଯେତେ ବି ଔଷଧ ଦିଆଗଲା ତାକୁ
କାମ କିଛି ନାହିଁ ଦେଲା।

ହସ୍ପିଟାଲରେ ତାକୁ
ଆଡମିଟ କରି
ପରୀକ୍ଷା ନିରୀକ୍ଷା ହେଲା
ହାର୍ଟରେ ତା’ର
ହୋଲଟେ ହୋଇଛି
ପରୀକ୍ଷାରୁ ଜଣାଗଲା।

ସେ ହାର୍ଟ ଆଉ
କାମ ଦେବ ନାହିଁ
ନୂଆ ହା୍ର୍ଟ ହେଲା ଲୋଡା
ମାଆ ରାଜିହେଲା
ଛାତିରୁ ତାହାର
ହାର୍ଟ ହୋଇଥିଲା କଢା।

ପୁଅର ଛାତିରେ
ରୋପଣ ହୋଇଲା
ପୁଅ ଧୀରେ ସୁସ୍ଥ ହେଲା
କିଛି ଦିନ ପରେ
ସୁସ୍ଥ ହୋଇ ସିଏ
ଘରକୁ ତା’ଆସିଥିଲା।

ମାଆର ଫଟୋରେ
ଫୁଲମାଳଟିଏ
ଲମ୍ବା ହୋଇ ଝୁଲୁଥିଲା
ମାଆ ମାଆ ବୋଲି
ଡାକିଥିଲା ସିଏ
ଉତ୍ତର ପାଇ ନଥିଲା।

ପନ୍ଦର ପୁରି ସେ
ଷୋଳ ବରସରେ
ପଦାର୍ପଣ କରିଥିଲା
ଆଲମିରା ଖୋଲି
ଲକର ଭିତରୁ
ଚିଠିଟିଏ ପାଇଥିଲା।

ଚିଠିଟିକୁ ଖୋଲି
ପଢିଥିଲା ସିଏ
ହତବାକ୍ ହୋଇଗଲା
ଯାହା ସେ ପଢିଲା
ଜୀବନେ ଘଟିବ
କେବେ ବି ଭାବି ନଥିଲା।

“ହାର୍ଟଟା ତୋର
କଣା ହୋଇଥିଲା
ହାର୍ଟ ହୋଇଲା କଢା
ହାର୍ଟ ଟାଏ ପୁଣି
କିଏ ଦେଇଥାନ୍ତା
ଜନ୍ମକଲା ମାଆ ଛଡ଼ା?

ତୋ’ଛାତି ଭିତରେ
ରହିଯିବି ମୁହିଁ
ଜୀବନ ଜୀଇବୁ ତୁହି
ଭଲ ପାଠ ପଢି
ମଣିଷ ହୋଇଲେ
ମୁକ୍ତି ପାଇ ଯିବି ମୁହିଁ।”

ସିଦ୍ଧାର୍ଥ ସ୍ୱାଇଁ


Leave a Reply

Your email address will not be published. Required fields are marked *