କୋଲକାତାଠାରେ ସଂସଦୀୟ ବାଣିଜ୍ୟ ଷ୍ଟାଣ୍ଡିଂ କମିଟି ବୈଠକରେ ଭଦ୍ରକରେ ଝୋଟ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି ରଖିଲେ ସାଂସଦ ମଞ୍ଜୁଲତା ମଣ୍ଡଳ

କୋଲକାତାଠାରେ ଅନୁଷ୍ଠିତ ଭାରତ ସରକାରଙ୍କ ବାଣିଜ୍ୟ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବୈଠକରେ ଭଦ୍ରକର ମାନନୀୟା ସାଂସଦ ତଥା ଉକ୍ତ କମିଟିର ସଦସ୍ୟା ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଭଦ୍ରକରେ ଝୋଟଶିଳ୍ପ ପ୍ରତିଷ୍ଠା ପାଇଁ କମିଟିର ଚେୟାରମ୍ୟାନ , କମିଶନର ଓ ସେକ୍ରେଟାରୀଙ୍କ ସହ ଆଲୋଚନା କରି ନିଜ ପତ୍ର ମାଧ୍ୟମରେ ଦାବି ଜଣାଇଥିଲେ । ଭାରତୀୟ ଝୋଟ ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଭଦ୍ରକଠାରେ ପ୍ରତିଷ୍ଠା ହୋଇ ଥିବାରୁ ଏବଂ ତଦ୍ସହିତ ଓଡ଼ିଶାର ଛଅଗୋଟି କ୍ରୟକେନ୍ଦ୍ର ଯଥା- ଭଦ୍ରକ, ଧାନମଣ୍ଡଳ, ମାର୍ଶାଘାଇ, କେନ୍ଦୁପାଟଣା, ଦାନପୁର ଓ ସାଇଲଙ୍ଗଠାରେ ପ୍ରତିଷ୍ଠା କରାଯାଇଛି । ଭଦ୍ରକର ଜଳବାୟୁ ଝୋଟଚାଷ ପାଇଁ ବେଶ ଅନୁକୂଳ । ଓଡ଼ିଶାର ଭଦ୍ରକ ଜିଲ୍ଲା ସହିତ ଉପରୋକ୍ତ ସ୍ଥାନ ମାନଙ୍କରେ ଆଗ୍ରହୀ ଚାଷୀମାନେ ପ୍ରତିବର୍ଷ ହାରାହାରି ୪୫୫୦ ହେକ୍ଟର ଜମିରେ ଝୋଟ ଚାଷ କରାଯାଇ ୧ଲକ୍ଷ ୩୫ ହଜାର କୁଇଣ୍ଟାଲ ଅଧିକ ଝୋଟ ଉତ୍ପାଦନ କରୁଛନ୍ତି। ବର୍ତ୍ତମାନ ଝୋଟରେ ତିଆରି ସମସ୍ତ ଘରକରଣା ସରଞ୍ଜାମ ଠାରୁ ଆରମ୍ଭ କରି ଟନ ଟନ ଧାନ ଓ ଚାଉଳ ପରି ସଶ୍ୟକୁ ଝୋଟ ବ୍ୟାଗରେ ପ୍ୟାକ କରି ପରିବହନ କରିବା ଆବଶ୍ୟକ ହୋଇଥାଏ । ରାଜ୍ୟ ସରକାର ବର୍ତ୍ତମାନ ଏହି ବ୍ୟାଗକୁ ପ୍ଲାଷ୍ଟିକ ବ୍ୟାଗ ପରିବର୍ତ୍ତେ ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟରେ ବାଲେଶ୍ବର ର ରୁପ୍ସା ଓ ଢେ଼ଙ୍କାନାଳର କଳିଙ୍ଗ ଝୋଟ କାରଖାନା ଘରୋଇ ଉଦ୍ୟୋଗରେ ପ୍ରତିଷ୍ଠା କରାଯାଇଛି । ଉତ୍ପାଦିତ ୧ ଲକ୍ଷ ୩୫ ହଜାର କୁଇଣ୍ଟାଲ ଏହି ଦୁଇ ଗୋଟି କାରଖାନାରେ ଆବଶ୍ୟକତା ପୂରଣ ପରେ ବଳକା ଉତ୍ପାଦିତ ଦ୍ରବ୍ଯ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ରପ୍ତାନୀ କରାଯାଉଅଛି । ଓଡ଼ିଶାର ଉତ୍ପାଦିତ ଝୋଟ ପାଇଁ ପ୍ରାୟ ଆହୁରି ଦୁଇରୁ ତିନିଗୋଟି ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହି ସବୁ ଦୃଷ୍ଟିରୁ ନୂତନ ଝୋଟ ଶିଳ୍ପ କାରଖାନା ଏବଂ ଝୋଟକୁ କଞ୍ଚାମାଲ ଭାବେ ବ୍ୟବହାର କରି ଅନ୍ୟାନ୍ୟ ଆନୁଷଙ୍ଗିକ କାରଖାନା ପ୍ରତିଷ୍ଠା କରିବା ପାଇଁ ଭଦ୍ରକ ହେଉଛି ପ୍ରକୃଷ୍ଟ ସ୍ଥାନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସବୁ ପ୍ରକାର ସୁବିଧା ଅଛି । ରାଜ୍ୟ ସରକାର ମଧ୍ୟ ଉକ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଅଛନ୍ତି । ଭଦ୍ରକଠାରେ ଝୋଟଶିଳ୍ପ ପ୍ରତିଷ୍ଠା ହେଲେ ଝୋଟ ଚାଷୀମାନଙ୍କର ଉନ୍ନତି, ଝୋଟ ଶିଳ୍ପରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ନିଯୁକ୍ତି ସହିତ ଭଦ୍ରକ ଜିଲ୍ଲା ଓ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇ ପାରିବେ ବୋଲି ଶ୍ରୀମତୀ ମଣ୍ଡଳ ଉକ୍ତ କମିଟି ବୈଠକରେ ଦୃଢ଼ ଭାବେ ଆଲୋଚନା କରି ଲିଖିତ ଭାବେ କମିଟିର ଅଧ୍ୟକ୍ଷ, ଜୁଟ କମିଶନର ଓ ସେକ୍ରେଟାରୀ, ନେସନାଲ ଜୁଟ ବୋର୍ଡଙ୍କୁ ଜଣାଇଛନ୍ତି । ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କ ଏହି ପଦକ୍ଷେପକୁ କଲିକତାରେ ରହୁଥିବା ପ୍ରବାସୀ ଓଡ଼ିଆ, ବିଭିନ୍ନ ସଂଗଠନ ଓ ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀମନେ ଧନ୍ୟବାଦ ସହ ସ୍ୱାଗତ ଜଣାଇଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *