ପତୁରିଆ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣା, ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ

ପତୁରିଆ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣା, ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ, ଗଣିଆ- ଗଣିଆ ବ୍ଲକ କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରବିବାର ସନ୍ଧ୍ୟାରେ ରବିନ୍ଦ୍ର କୁମାର ନାୟକ ନିଜ ଗ୍ୟାରେଜରେ ଥିବା ବେଳେ ତାକୁ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ଗୁଳି କରିଥିବା ଦିଲ୍ଲୀପ ପୋଲିସ ଆଗରେ ପ୍ରକାଶ କରିଛି । ଏହି ଘଟଣାରେ ଆଉ କେହି ସଂପୃକ୍ତ ନଥିବା ସେ ପୋଲିସକୁ କହିଛି । ପୋଲିସ ଦିଲ୍ଲୀପ ଠାରୁ ବନ୍ଧୁକ ସହିତ କାରଟିକୁ ମଧ୍ୟ ଜବତ କରିଛି । ବନ୍ଧୁକଟି ବହୁ ଦିନରୁ ତାଙ୍କ ଘରେ ଥିଲା ବୋଲି ସେ ପୋଲିସକୁ ଜଣାଇଛି । ରବିନ୍ଦ୍ରକୁ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରିବା ସମୟରେ ତା ଛାତିରୁ ୩ଟି ଦେଶୀ ବନ୍ଧୁକର ଛରା (ବଲ୍) ବାହାରିଥିବା ବେଳେ ଦୋକାନ ଭିତରୁ ଗୋଟିଏ ଏଭଳି ୪ଟି ଛରା (ବଲ୍) ମିଳିଥିବା ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ପ୍ରକାଶ କରିଛନ୍ତି । ତେବେ ମୃତକ ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ ଏତେଲାରେ ଯେଉଁ ମାନଙ୍କ ନାମ ଅଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଗଣିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ମୃତକ ରବିନ୍ଦ୍ରର ମାମୁଁ ସେଦିନ ସନ୍ଧ୍ୟାବେଳେ କାରରେ ୫ ଜଣ ଆସିଥିବା ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ଦିଲ୍ଲୀପ ଏକୁଟିଆ ଆସିଥିଲା ବୋଲି ପୋଲିସ ଆଗରେ ଜଣାଇଛି । ଅନ୍ୟ ମାନଙ୍କୁ ବଞ୍ଚାଇବାକୁ ଯାଇ ଦିଲ୍ଲୀପ ମିଛ କହୁଥାଇ ପାରେ ବୋଲି ସନ୍ଦେହ ହେଉଛି । ତେବେ କାହା କଥାରେ ସତ୍ୟତା ଅଛି ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି । ତେବେ ବଡଭାଇର ଭୁଲ୍ ପାଇଁ ଜଣେ ନିରିହର ଜୀବନ ଚାଲି ଯାଇଥିବାରୁ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *