ସାମ୍ବାଦିକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବିଶ୍ଵ ସମ୍ବାଦ କେନ୍ଦ୍ର ପାଳିଲା ଦେବର୍ଷି ନାରଦ ଜୟନ୍ତୀ

ସାମ୍ବାଦିକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବିଶ୍ଵ ସମ୍ବାଦ କେନ୍ଦ୍ର ପାଳିଲା ଦେବର୍ଷି ନାରଦ ଜୟନ୍ତୀ

ବ୍ରହ୍ମପୁର, ୧୩।୫ ।୨୦୨୫

ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଏବେ ବି ଗୁରୁତ୍ବପୂର୍ଣ୍ଣ ରହିଛି। ଦେବର୍ଷି ନାରଦ ଯେପରି ତିନିପୁରରେ ଖବରର ବାର୍ତ୍ତାବହ ଥିଲେ ଯାହା ସମାଜ ପାଇଁ ଏକ ସକରାତ୍ମକ ପ୍ରଭାବ ଆଣୁଥିଲା ତାହାକୁ ଏବେ ବି ଅନୁକରଣ କରାଯିବା ଉଚିତ । ଭାରତ ପ୍ରାଚୀନ କାଳରେ ବିଶ୍ଵ ଗୁରୁ ଥିଲା। ପୌରାଣିକ ଯୁଗରୁ ପ୍ରାକ୍ ସ୍ବାଧୀନତା କାଳ ପର୍ଯ୍ୟନ୍ତ ଗଣମାଧ୍ୟମ ବିଭିନ୍ନ ରୂପରେ ସମାଜ ପ୍ରତି ତାର ଉତ୍ତରଦାୟିତ୍ଵ ନିର୍ବାହ କରି ଆସିଥିଲା । ଏବେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଅଗ୍ରଗତି ସତ୍ତ୍ବେ ଖବରର ସତ୍ୟତା ଜାଣିବା ବେଳେ ବେଳେ କଷ୍ଟକର ହୋଇ ପଡ଼ୁଛି। ଏହା ସମାଜରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ଏଣୁ ଏବେ ବି ସାମ୍ବାଦିକଙ୍କ ଦ୍ଵାରା ସତ୍ୟ, ନିରପେକ୍ଷ ଖବର ପରିବେଷଣ ନାରଦଙ୍କ ଯୁଗ ଭଳି ସମାଜ ଗଠନରେ ଗୁରୁତ୍ବ ରଖେ । ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ମଙ୍ଗଳବାର ଦେବର୍ଷି ନାରଦ ଜୟନ୍ତୀ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ପ୍ରାନ୍ତ ପ୍ରଚାର ପ୍ରମୁଖ (ରାଜ୍ୟ ମିଡିଆ ସେଲ ମୁଖ୍ୟ) ସୃଷ୍ଟିଧର ବିଶ୍ୱାଳ ।

ଗୋସାଇଁନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଡ. ବନ୍ଦିତା ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ଶ୍ରୀ ପ୍ରକାଶ ପଟ୍ଟନାୟକ, ଓଟିଭି ବ୍ୟୁରୋ ମୁଖ୍ୟ ତଥା ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ଅଶୋକ ବ୍ରହ୍ମା ମଞ୍ଚାସୀନ ଥିଲେ । ଡ. ପାଢ଼ୀ ବର୍ତ୍ତମାନର ସମୟରେ ସମାଜ ଗଠନ ଓ ସଂସ୍କାରରେ ଗଣମାଧ୍ୟମର ଭୂମିକା ଉପରେ କହିଥିବା ବେଳେ ଡ. ପଣ୍ଡା ବୈଷୟିକ କୌଶଳର ଉପଯୋଗ କରି ସତ୍ୟ ଖବର ପରିବେଷଣ ଓ ସମାଜ ଉପରେ ତାହାର ପ୍ରଭାବ ବାବଦରେ କହିଥିଲେ। ଶ୍ରୀ ପଟ୍ଟନାୟକ ସକରାତ୍ମକ ଖବର ପରିବେଷଣ ସହ ଆଞ୍ଚଳିକ ଖବରକୁ କିଭଳି ବିଶ୍ୱସ୍ତରୀୟ କରିହେବ ତାହା ଦର୍ଶାଇଥିବା ବେଳେ ଶ୍ରୀ ବ୍ରହ୍ମା ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ବାବଦରେ କହିଥିଲେ। ଏହି ଅବସରରେ ପ୍ରେସ୍ କ୍ଲବ୍ ସଭାପତିଙ୍କ ସମେତ ଉପସଭାପତି ଶ୍ରୀ ଅଭୟ ପାଢ଼ୀ, ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ ଶ୍ରୀ ଗୋପାଳ ରେଡ୍ଡୀ ଓ କୋଷାଧ୍ୟକ୍ଷ ଶ୍ରୀ ଶିବ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ନାରଦ ଜୟନ୍ତୀ ସମାରୋହ ସମିତି ସଂଯୋଜକ ପ୍ରହ୍ଲାଦ ପାଣିଗ୍ରାହୀ ସଭାରେ ପୌରୋହିତ୍ୟ କରିଥିବା ବେଳେ ଆର୍ଏସ୍ଏସ୍ ସହ-ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ପରିଚାଳନା କରିଥିଲେ । ସାମ୍ବାଦିକ ସମୀର ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *