ନରେନ୍ଦ୍ର ପୁଷ୍କରିଣୀ ରେ ଚାଲିଛି ଯୁବପିଢି ଙ୍କ ନୀଳାଦ୍ରି ବୈଠକ
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ରେ ଚାଲିଛି ସଙ୍ଗୀତ ଆସର। ତାବଲା, ହାର୍ମୋନିଅମ୍ ଓ ଗିଟାର ଧୋନିରେ ଗୁଞ୍ଜରିତ ହେଉଛି ସମ୍ପୂର୍ଣ୍ଣ ପରିବେଶ। ଯୁବପିଢୀଙ୍କ ସ୍ଵର ତାଳ ଲୟରେ ପୁଷ୍କରିଣୀ ତଟ ପାଲଟିଛି ଅଧ୍ୟାତ୍ମିକ ପରିବେଶ। ଏକାଠି ହେଉଛନ୍ତି ଯୁବପିଢ଼ି, ଆଉ ଜମୁଛି ଭଜନ ଜଣାଣ ଓ ଜଗନ୍ନାଥ ଚେତନାର ଆସର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ନରେନ୍ଦ୍ର ପୁଷ୍କରିଣୀ କୂଳରେ। ସଙ୍ଗୀତ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିବା ପୁରୀର ଯୁବପିଢ଼ି ମାନେ ଏକାଠି ହେଉଛନ୍ତି। ସ୍ୱର ସହ ସ୍ୱର ମିଶାଇ ଗୀତ ଗାଉଛନ୍ତି। କିଏ ତାବଲା ବଜାଉଛନ୍ତି ତ କିଏ ଗିଟାର ତ ଆଉ କିଏ ହାରମୋନୀୟମ। ସେମାନଙ୍କର ଏଭଳି ପ୍ରୟାସ ଦେଖି ତାଙ୍କ ସହ ଅଧିକରୁ ଅଧିକ ଶ୍ରୋତାମାନେ ମଧ୍ୟ ଯୋଡ଼ି ହେବାରେ ଲାଗିଛନ୍ତି। ଏମିତି କି ବାଟରେ ଯାଉଥିବା ପଥିକ ମାନେ ମଧ୍ୟ ଅଟକି ପଡ଼ି ଶୁଣୁଛନ୍ତି ଏହି ଆଧ୍ୟାତ୍ମିକ ଜାମିଁ ସେସନ୍। ପାରମ୍ପାରିକ ଭାଷାରେ ଯଦି କହିବା ଗୋଟିଏ ବୈଠକ ଚାଲୁଛି। ଆଉ ଏହି ବୈଠକର ନାମ ହେଉଛି “ନୀଳାଦ୍ରି ବୈଠକ”। ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ କୂଳରେ ଏହି ବୈଠକ ଦେଖିବାକୁ ମିଳୁଛି।ଗାୟିକା ସାସ୍ୱତୀ ଦାସ କୁହନ୍ତି କି, ସଙ୍ଗିତ ପ୍ରେମୀ ସୁପ୍ରତିକ ତ୍ରିପାଠୀ ଓ ଅନିକେତ ମହାପାତ୍ରଙ୍କୁ ଏଭଳି ଏକ ବୈଠକ କରିବା ପାଇଁ ବିଚାର ଆସିଲା। ସେମାନେ ଆଲୋଚନା କରି ସାସ୍ୱତୀ ଦାସଙ୍କୁ ଜଣାଇ ଥିଲେ। ପରବର୍ତ୍ତୀ ସମୟରେ ଏହି ବିଚାରରେ ସାସ୍ୱତୀଙ୍କ ସହିତ କିବୋର୍ଡ ବାଦକ ସୋନାଲ, ତବଲା ବାଦକ ପ୍ରଭୁ, ଟିଆଶା ଭଟ୍ଟାଚାର୍ଯ୍ୟ ଓ ଶୁଭ୍ରକାନ୍ତ ପାତ୍ର ଯୋଡ଼ି ହୋଇ ପ୍ରଥମ ବୈଠକ ଆରମ୍ଭ କରିଥିଲେ। ବୈଠକ ସଫଳ ହେଲା। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପରବର୍ତ୍ତୀ ବୈଠକରେ ଅଧିକ ଯୁବପିଢ଼ି ଯୋଡ଼ି ହେଲେ। ବର୍ତ୍ତମାନ ସୁଦ୍ଧା ୩ ଟି ବୈଠକ ସରିଥିବା ବେଳେ ଶେଷ ବୈଠକରେ ୧୦୦ ରୁ ୧୫୦ ଯୁବପିଢ଼ି ଯୋଡ଼ି ହୋଇଥିଲେ।ସାସ୍ୱତୀ କୁହନ୍ତି କି ଶନିବାର ରବିବାର ପ୍ରାୟ ଲୋକଙ୍କ କର୍ମ ଜୀବନରେ ଛୁଟି ଥାଏ। ଅନେକ ଲୋକ ଚାହାଁନ୍ତି କି ସନ୍ଧ୍ୟା ସମୟରେ ନରେନ୍ଦ୍ର ପୁଷ୍କରିଣୀ ଭଳି ଶାନ୍ତ ପରିବେଶରେ କିଛି ପାରମ୍ପରିକ ଓ ଆଧ୍ୟାତ୍ମିକ ସଙ୍ଗୀତ ଶୁଣିବା ପାଇଁ। ସେହି ଅନୁକରଣରେ ଏହିଁ ବୈଠକଟି ଆରମ୍ଭ କରିଛନ୍ତି। ଏହା ସହ ଓଡ଼ିଶୀ , ଗୀତଗୋବିନ୍ଦ, ଚମ୍ପୂ ଛାନ୍ଦ ଭଳି ପୁରୀର ପାରମ୍ପରିକ ସଙ୍ଗୀତକୁ ଏକାଠି ଗାଇବା ଓ ଏହାର ପ୍ରଚାର ପ୍ରସାର କରି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ସ୍ମରଣ କରିବା ହିଁ ଏହି ଜାମିଂ ର ମୂଳ ଲକ୍ଷ ବୋଲି ସେ କୁହନ୍ତି। ଏହି ବୈଠକରେ ସମସ୍ତେ ଯୋଡ଼ି ହୋଇପାରିବେ। ସଙ୍ଗୀତ ପାଇଁ ରୁଚି ରଖିଥିବା ଲୋକ ଗାଇପାରିବେ ବୋଲି ସେ କୁହନ୍ତି। ଗୋଟିଏ ଓପନ୍ ସ୍ପେସରେ ଏହି ବୈଠକ ହେଉଛି। ପୁରୀକୁ ବୁଲିବାକୁ ବାହାରୁ ଅନେକ ପର୍ଯ୍ୟଟକ ମାନେ ଆସନ୍ତି। ବହୁ ଜଣଙ୍କର ଭଜନ ଶୁଣିବାକୁ ଇଚ୍ଛା। ହେଲେ ସେମାନେ ଜାଗା ପାଆନ୍ତି ନାହିଁ। ତେଣୁ ସେମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଏହା ସହ ଜଗନ୍ନାଥ ସଂସ୍କୃତି ମଧ୍ଯ ବଜାୟ ରହିବ।
