ରାଖୀ ଦୋକାନରେ ଭିଡ ଜମୁଛି

ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ରପ୍ରେମ, ସ୍ନେହ, ଶ୍ରଦ୍ଧା ଏବଂ ବିଶ୍ୱାସର ପ୍ରତୀକ ହେଉଛି ରାଖୀ । ଚଳିତ ମାସ ୧୯ ତାରିଖରେ ଏହି ପର୍ବ ପାଳିତ ହେବ ।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଛୋଟବଡ଼ ସମସ୍ତ ରାଖୀ ବ୍ୟବସାୟୀ ମାନେ ଭଲ ବ୍ୟବସାୟ ସହ ବେଶ ୨ ପଇସା ରୋଜଗାର ଆଶା ରଖିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଖୀ ପୂର୍ଣ୍ଣିମାର ୧୫ ଦିନ ପୂର୍ବରୁ ଲକ୍ଷ୍ମୀ ବଜାର ସମେତ ପୌରାଞ୍ଚଳର ବିଭିନ୍ନ ଛକ, ସାହିବସ୍ତି ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସାହିରେ ଅସ୍ଥାୟୀ ରାଖୀ ଭଣ୍ଡାର ମାନ ଗଢି ଉଠିଛି । ହିଞ୍ଜିଳିକାଟୁ ବଜାରରେ ବିକ୍ରି ହେଉଥିବା ରାଖୀ ଗୁଡ଼ିକ ମୁଖ୍ୟତଃ କଲିକତା, ମୁମ୍ବାଇ, ରାୟପୁର ସହରରୁ ଆସିଥାଏ । ରାଖୀ ସହ ଅଭିନନ୍ଦନ ଓ ଭାଇ ଭଉଣୀଙ୍କ ନିମନ୍ତେ ସ୍ନେହଭରା ବାର୍ତ୍ତା ଲେଖାଥିବା ବିଭିନ୍ନ ଡିଜାଇନର କାର୍ଡ ବିକ୍ରି ହେଉଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବର୍ତ୍ତମାନ ଯୁବ ପିଢି ବେଶ ପସନ୍ଦ କରୁଛନ୍ତି । ୨ ଟଙ୍କା ରୁ ଆରମ୍ଭ କରି ୨ଶହ ଟଙ୍କା ପର୍ଯ୍ୟନ୍ତ ଦାମ୍‌ର ରାଖୀ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ସ୍ଥାନୀୟ ପୌରାଞ୍ଚଳର ଲକ୍ଷ୍ମୀ ବଜାରରେ ନୂତନ ଡିଜାଇନ ଓ ଭେରାଇଟି ରାଖୀ ଦେଖିବାକୁ ମିଳିଛି । ଆମେରିକାନ ଫିକ୍ସ ଡାଇମଣ୍ଡ, ପାସ୍‌ପୋଟ ରାଖୀ, ସେଟ ରାଖୀ, ଫେମିଲି ପ୍ୟାକ୍ ରାଖୀ, ଆଲଫାବେଟିକାଲ ରାଖୀ, ଚେନ ରାଖୀ ସମେତ ବ୍ରେସଲେଟ ରାଖୀ ଚଳିତ ବର୍ଷ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଯାହା ଗ୍ରାହକଙ୍କୁ ବେଶ ପସନ୍ଦ ରହିଛି । ସେହିଭଳି ଛୋଟ ଛୋଟ ପିଲା ମାନଙ୍କ ପାଇଁ ଛୋଟାଭିମ, ବାଲ ହନୁମାନ, ଗଣେଷ, ବାଲକ୍ରିଷ୍ଣା, ସ୍ପାଇଡ଼ର ମ୍ୟାନ୍‌, ମ୍ୟୁଜିକ ଲାଇଟ ଭଳି ନୂତନ ଡ଼ିଜାଇନର ରାଖୀ ଉପଲବ୍ଧ ରହିଛି । ଏସବୁ ବ୍ୟତିତ ରେଶମୀ ସୂତା, ମୋତିମାଳି, ମରୟରପୁଚ୍ଛ, ଷ୍ଟୋନ ରାଖୀ ବିକ୍ରି ହେଉଛି । ବେପାର ସେତେଟା ଜମି ନଥିଲେ ମଧ୍ୟ ରାଖୀ ପୂର୍ଣ୍ଣିମାକୁ ଆହୁରି ୧୫ ଦିନ ବାକି ରହିଥିବା ବେଳେ ଆଗକୁ ବେପାର ଜୋର ଧରିବ ବୋଲି ସ୍ଥାନୀୟ ଅଞ୍ଚଳର ରାଖୀ ପୋରୀ ମାନେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *