ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଘେନି ଶିଳ୍ପ ମନ୍ତ୍ରୀଙ୍କ ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ବିଶ୍ବକର୍ମା ଯୋଜନାର ସଫଳତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରାଗଲେ ଭାରତ ବର୍ଷରେ ସାଧାରଣ ଲୋକ ମାନଙ୍କର ମୌଳିକ ବୃତ୍ତି ସୁଦୃଢ ହୋଇ ପାରିବ । ଗ୍ରାମ୍ୟ ପରମ୍ପରା ମୌଳିକ ବୃତ୍ତି ଚୀରସ୍ଥାୟୀ ହେବା ସାଥେସାଥେ ବୃତ୍ତିଗତ ଧନ୍ଦା ନିମନ୍ତେ ଗ୍ରାମାଞ୍ଚଳରୁ ଯାଉଥିବା ଲୋକେ ସହରାଞ୍ଚଳ ଗସ୍ତ ନକରି ନିଜଘର ପାଖରେ କର୍ମସଂସ୍ଥାନ ପାଇ ଜୀବୀକା ନିର୍ବାହ କରିପାରିବେ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ବାନ ହଲ ରେ ଆଭାସୀ ବୈଠକରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁ ସଂପଦ ବିଭାଗୀୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରରେ ଆଭାସୀ ମାଧ୍ୟମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଣି ଅବଗତ କରାଇଥିଲେ ଯେ, ଗ୍ରାମାଞ୍ଚଳ ମୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦିଆଯାଇ ଯୋଗ୍ୟ ହିତାଧିକାରୀଗଣ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିଲେ ଆମର ପାରମ୍ପରିକ ବୃତ୍ତି ଚିରସ୍ଥାୟୀ ହୋଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ହେବ, ଭାରତ ବିକଶିତ ରାଷ୍ଟ୍ର ହୋଇପାରିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜଣାଇଥିଲେଯେ, ଜିଲ୍ଲାର ଗ୍ରାମାଞ୍ଚଳରେ କୌଣସି ମୌଳିକ ବୃତ୍ତିଧାରୀ ଯେପରି ବଞ୍ଚିତ ହେବେ ନାହିଁ ତାହାକୁ ଲକ୍ଷ୍ୟ କରି ଚଳିତ ସପ୍ତାହକ ମଧ୍ୟରେ ଆବେଦନ ପତ୍ରର ଯାଂଚ୍ କରି ପ୍ରଦତ୍ତ ଲକ୍ଷ୍ୟ ଧାର୍ଯ୍ୟ ଚଳିତ ଏକମାସ ମଧ୍ୟରେ ଯେପରି ନିଶ୍ଚିତ ପୂରଣ ହେବ ସେଥି ସକାଶେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତାଙ୍କୁ କାର୍ଯ୍ୟଖସଡା ପ୍ରସ୍ତୁତ କରି ବୈଠକ ମାଧ୍ୟମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୧୮ ଗୋଟି ପାରମ୍ପରିକ ବୃତ୍ତି ଅନ୍ତର୍ଭୁକ୍ତ ରହିଛି । ଏହି ଯୋଜନାରେ ଶିଳ୍ପକାର ଏବଂ କାରିଗର ମାନଙ୍କୁ ପ୍ରମାଣ ପତ୍ର ଏବଂ ଆଇ.ଡି. କାର୍ଡ ଦ୍ବାରା ବିଶ୍ବକର୍ମା ପରିଚୟ ପତ୍ର ମିଳିବ । ପ୍ରତ୍ୟେକଙ୍କୁ ପ୍ରଥମ ସୋପାନରେ ଏକଲକ୍ଷ ଏବଂ ଦ୍ବିତୀୟ ସୋପାନରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ବିର୍ଷିକ ପାଞ୍ଚ ପ୍ରତିଶତ ସୁଧ ହାରରେ ମିଳିବ । ଯୋଜନା ମାଧ୍ୟମରେ କୌଶଳ ବିକାଶ ପ୍ରଶିକ୍ଷଣ, ଟୁଲକଟ୍ ସୁବିଧା (୧୫୦୦୦ ଟଙ୍କା ବିନିମୟରେ ଅନୁଦାନ) , ଡିଜିଟାଲ ପେମେଣ୍ଟରେ ପ୍ରୋତ୍ସାହନ ମୂଳକ ରାଶି ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ । ଟେଲର, ରାଜମିସ୍ତ୍ରୀ, ବଢେଇ, ବାରିକ, ଝାଡୁ ନିର୍ମାତା/ ଝାଡୁ ବୁଣାଳୀ, ସଉପ ନିର୍ମାତା, କତା ବୁଣାଳୀ, ମାଳାକାର, ଧୋବା, ମାଛଧରା ଜାଲ ବୁଣାଳୀ, କମାର, ବଣିଆ, ମାଟିପାତ୍ର ନିର୍ମାତା ( କୁମ୍ଭାର ) ସ୍ଥପତି ( ମୂର୍ତ୍ତିକାର ), ପଥର ଖୋଦେଇକାରୀ, ପଥର ଭଙ୍ଗାଳୀ, ହାତୁଡି ଏବଂ ସାଜସରଞ୍ଜାମ ନିର୍ମାତା, ମୋଚି, ଜୋତା ନିର୍ମାତା, କଣ୍ଢେଇ ଏବଂ ଖେଳଣା ନିର୍ମାତା, ଅସ୍ତ୍ରଶସ୍ତ୍ର ନିର୍ମାତା, ଡଙ୍ଗା ନିର୍ମାତା, ତାଲା ନିର୍ମାତା ଇତ୍ୟାଦି ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଟନ୍ତି । ଗତ ତା.୦୩.୦୮.୨୦୨୪ ରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪୬,୫୪୫ ଜଣଙ୍କ ଆବେଦନ ପତ୍ର ଗ୍ରହଣ ହୋଇଛି । ତନ୍ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୧,୦୭୮ ଗୋଟି ଆବେଦନ ପତ୍ରର ଯାଂଚ୍ ହୋଇ ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ ହୋଇଛି । ଅଧିକାଂଶ ହିତାଧିକାରୀ ଯେଭଳି ଏହି ଯୋଜନାରେ ଉପକୃତ ହୋଇପାରିବେ ସେଥି ସକାଶେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ପରିଡା ଏହାକୁ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିବାକୁ ଭାରପ୍ରାପ୍ତ ଜିଲ୍ଲା ଶିଳ୍ପ ପରିଚାଳକ ହୃଷିକେଶ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ସାତ ଦିନ ମଧ୍ୟରେ ତଦନ୍ତ କାର୍ଯ୍ୟ ଶେଷ କରି ଲକ୍ଷ୍ୟଧାର୍ଯ୍ୟ ପୂରଣ ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିଳ୍ପ ବିକାଶ ଅଧିକାରୀ ପ୍ରିୟାଂଶୁ ପଟ୍ଟନାୟକ, ଶିଳ୍ପ ବିକାଶ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା, ସହରାଞ୍ଚଳ ବିକାଶ ଯୋଜନା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ପଟେଲ, ଲିଡ୍ ବ୍ୟାଙ୍କ ଜିଲ୍ଲା ପରିଚାଳକ, ହସ୍ତତନ୍ତ ବାଭାଗର ସହକାରୀ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଡୋମେନ ଏକ୍ସପର୍ଟ ରଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *