ଭାଲୁ ଆକ୍ରମଣରେ ୨ ଗୁରୁତର

ଜିଲ୍ଲା କୋକସରା ଓ ଜୟପାଟଣା ବ୍ଲକର ୨ ଜଣ ଚାଷିଙ୍କୁ ମଙ୍ଗଳବାର ପାହାନ୍ତିଆରୁ ଭାଲୁ ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ ଜୟପାଟଣା ଉଛୁଳା ଫରେଷ୍ଟ ସେକ୍ସନ ପାଣ୍ଡରି ପଖାନ ଗ୍ରାମର ଜଣେ ଯୁବଚାଷୀ ଲକ୍ଷ୍ମଣ ନାଏକ (୩୩) ଆଜି ପାହାନ୍ତିଆରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଲାକୁ ଯାଉଥିବା ବେଳେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ କୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ କରିଥିଲେ । ଲହୁ ଲୁହାଣ ଅବସ୍ଥାରେ କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।ସେହିପରି ଧର୍ମଗଡ ରେଞ୍ଜ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନଚଞ୍ଚରା ଗ୍ରାମର ଚାଷି ନିଳାମ୍ବର ପାତ୍ର ( ୫୫) ଆଜି ପାହାନ୍ତିଆରୁ ନିଜ ଚାଷଜମିକୁ ଯାଇଥିବା ବେଳେ ପାଖ ସାହାଜଖୋଲ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ କୁ ଆସିଥିବା ଭାଲୁ ହଠାତ ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବାରେ ସେ ସକ୍ଷମ ହୋଇଥିଲେ। ପରିବାର ଲୋକେ ଏ ନେଇ ଆମପାଣି ଫରେଷ୍ଟ କର୍ମଚାରୀଙ୍କୁ ଖବର ଦେଇଥିଲେ।ଘଟଣାସ୍ଥଳରେ ଫରେଷ୍ଟ କର୍ମଚାରୀ ମାନେ ପହଞ୍ଚି ପରିବାର ଲୋକଙ୍କ ସହ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ଜୟପାଟଣା ଉଛୁଳା ଫରେଷ୍ଟ ଗାର୍ଡ ରୁଦ୍ର ପ୍ରସାଦ ନାଏକ ଓ ଆମପାଣି ଫରେଷ୍ଟ ଗାର୍ଡ ନାରାୟଣ ନାଗ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *