ନିମାପଡା କେନାଲର କ୍ରସ ଡ୍ରେନେଜ କାମ
ନିମାପଡା କେନାଲର କ୍ରସ ଡ୍ରେନେଜ କାମ ଭାଙ୍ଗୁଛି ପୁଣି ଗଢ଼ା ଚାଲିଛି ସରିବ କେବେ? ନିମାପଡା ମୁଖ୍ୟ କେନାଲର ଗଡ଼ ଅଣ୍ଡିଆ ନିକଟରେ କେନାଲ ଭିତରେ ଏକ କ୍ରସ ଡ୍ରେନେଜର କାମ କରା ଯାଉଛି। ଜଳସେଚନ ବିଭାଗର ଜରୁରୀକାଳୀନ ପାଣ୍ଠିର ଅର୍ଥରେ ଏହି କାର୍ଯ୍ୟ କରା ଯାଉଛି ତେବେ ଏହି କାର୍ଯ୍ୟ ଭାଙ୍ଗି ଯାଉଥିବା ବେଳେ ପୁଣି ଗଢ଼ା ଚାଲିଛି।ଦୀର୍ଘ ଦିନ ହେବ କାମ ଚାଲୁଥିବା ବେଳେ ଶେଷ ହେବାର ନାଁ ଧରୁନି। ଏହି ଡ୍ରେନେଜ ଦ୍ୱାରା ଏନସିର ସମସ୍ତ ଜଳ ନିଷ୍କାସନ ହୋଇଥାଏ। ଏହି କାର୍ଯ୍ୟ ସରୁ ନ ଥିବାରୁ କେନାଲ ମଝିରେ ବାଲି ବସ୍ତା ପଡି ଡ୍ରେନେଜ କାମ କରା ଯାଉଛି। ଲଗାଣ ବର୍ଷା ସହ କେନାଲରେ ପାଣି ଆସୁଥିବା ବେଳେ କେନାଲ ସଂକୁଚିତ ହେବାରୁ ପାଣି ଠିକ ଭାବେ ଯାଇ ପାରୁ ନାହିଁ। ଏହାଛଡ଼ା ପାଣି ସୁଅରେ ଘାଇ ସୃଷ୍ଟି ହୋଇ ୱାର୍ଡ ଭିତରକୁ ପାଣି ପଶି ଯାଉଥିବାରୁ ୱାର୍ଡ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବାରମ୍ବାର ଘାଇ ହେଉଥିବା ବେଳେ ପୁନର୍ବାର ବାଲି ବସ୍ତା ପକା ଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଳସେଚନ ଏସ. ଡ଼ି. ଓ ଏବଂ ଯନ୍ତ୍ରୀ କରୁଛନ୍ତି କଣ। ବର୍ଷା ଦିନ ପୂର୍ବରୁ ଏହି କାର୍ଯ୍ୟ କରାଯାଇଥିଲେ ଏହି ଅସୁବିଧା ଉପୁଜି ନ ଥାନ୍ତା। ଏ ନେଇ ଜଳସେଚନ ଅଧିକାରୀଙ୍କୁ ପଚାରି ବାରେ ସେ କହୁଛନ୍ତି କେହି ଦୁର୍ବୁତ୍ତ ବାଲି ବସ୍ତା କାଢି ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଆମେ ଖୁବ ଶୀଘ୍ର କାର୍ଯ୍ୟ ଶେଷ କରି କେନାଲ ଭିତରୁ ବାଲି ବସ୍ତା କାଢି ଦେବୁ। ତେବେ ଡ୍ରେନେଜ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।
