କିଛିଦିନ ବ୍ୟବଧାନରେ ଶ୍ରୀକ୍ଷେତ୍ରରେ ପୁଣି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ

କିଛିଦିନ ବ୍ୟବଧାନରେ ଶ୍ରୀକ୍ଷେତ୍ରରେ ପୁଣି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଗୁରୁବାର ରାତିରେ ଟାଉନ୍ ଥାନା ଅଞ୍ଚଳରେ ଜଣେ ଯୁବ ଖଜା ବ୍ୟବସାୟୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ମାର୍କଣ୍ଡେଶ୍ଵର ସାହି ରାଧାଗୋବିନ୍ଦ ଲେନ୍‌ର ଦିନେଶ ଖୁଣ୍ଟିଆ ଓରଫ୍ ଠାକୁର (୧୮)। ତାଙ୍କୁ ରାଧାଗୋବିନ୍ଦ ଲେନ୍ ନିକଟରେ ୩ ଜଣ ଯୁବକ ଘେରିଯାଇ ଛୁରିରେ ଗଳାକାଟି ହତ୍ୟା କରିଛନ୍ତି। ଦିନେଶଙ୍କ ବଡ଼ ଭାଇ ରାକେଶ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ରାକେଶ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିନେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦିନେଶଙ୍କ ମୃତ୍ୟୁ ଖବର ପ୍ରଚାର ପରେ ଡାକ୍ତରଖାନାରେ ଭିଡ଼ ଜମିଥିଲା। କୌଣସି ଅଘଟଣ ଆଶଙ୍କା କରି ମୁଖ୍ୟ ଚିକିତ୍ସାଳୟରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।ରାକେଶ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କୁ କାହ୍ନା, ଗୋପାଳ ଓ ଦିଲୁ ରାତି ପ୍ରାୟ ସାଢ଼େ ୯ଟା ପାଖାପାଖି ଟେଲିଫୋନ୍‌ କରି ଡାକିଥିଲେ। ରାକେଶ ଘରେ ଥିବାରୁ ତାଙ୍କୁ ବାପା ଯିବାକୁ ମନା କରି ଦେଇଥିଲେ ।

ସେମାନେ ତାଙ୍କ ସାନ ଭାଇ ଦିନେଶକୁ ଖୋଜିଥିଲେ । ଦିନେଶ ଘରେ ନଥିବା ରାକେଶ କହିଥିଲେ । ତେଣୁ କାହ୍ନା ଓ ଅନ୍ୟମାନେ ତାଙ୍କ ସାହିର ଗଳି ନିକଟରେ ଛକି ରହିଥିଲେ । ଦିନେଶ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୩ଜଣ ଯାକ ତାଙ୍କୁ ଅଟକାଇ ଅତର୍କିତ ଭାବେ ଛୁରି ଓ କଟୁରିରେ ଆକ୍ରମଣ କରିଥିଲେ। ଏପରିକି ଦିନେଶଙ୍କ ଗଳାକୁ କାଟି ଦେଇଥିଲେ। ଦିନେଶକୁ ହତ୍ୟା କରୁଥିବା ସମୟର ସେମାନେ ରାକେଶଙ୍କୁ ଫୋନ୍ ଯୋଗେ ହତ୍ୟାକାଣ୍ଡର ଲାଇଭ୍ ସୂଚନା ଦେଉଥିଲେ। ରାକେଶ ଘରୁ ଦୌଡି ଯାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନେ ଚମ୍ପଟ ମାରିଥିଲେ। ରାକେଶ କହିବା ଅନୁସାରେ କାହ୍ନାର ବାପା ଖଣ୍ଡି ମଧ୍ୟ ଖଜା ବ୍ୟବସାୟ କରନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଖଜା ବ୍ୟବସାୟକୁ ନେଇ ଶତ୍ରୁତା ରହିଥିଲା । ନିକଟରେ ଦିନେଶ ଏକ ନୂଆ ବାଇକ୍ କିଣିଥିଲେ। ଉକ୍ତ ବାଇକ୍‌ରେ ସେ କାହ୍ନାର ଶତ୍ରୁତା ଥିବା ଅନ୍ୟ ଜଣେ ଯୁବକକୁ ନେଇ ଆଜି ବୁଲୁ ଥିଲେ । ଯାହାକୁ ନେଇ ପ୍ରତି ହିଂସା ପରାୟଣ ହୋଇ କାହ୍ନା ଏଭଳି କରିଛି ବୋଲି ରାକେଶ ପୁଲିସକୁ କହିଛନ୍ତି। କାହ୍ନାର ବାପା ଖଣ୍ଡି ମଧ୍ୟ ଫୋନ୍ କରି ତାଙ୍କୁ ଡାକୁଥିଲା। ତାଙ୍କୁ ସେମାନେ ଫେରିଲା ବେଳେ ଟାର୍ଗେଟ କରିଥିଲେ। ହେଲେ ତାଙ୍କ ସାନ ଭାଇ ସେମାନଙ୍କ ହାବୁଡ଼ରେ ପଡିବାରୁ ତାଙ୍କ ଉପରେ ରାଗ ଶୁଝାଇ ଥିଲେ ବୋଲି କାହ୍ନା କହିଛନ୍ତି ।

Leave a Reply

Your email address will not be published. Required fields are marked *