ମୁକୁଳା ଡ୍ରେନରେ ପଡି ଶିଶୁ ମୃତ୍ୟୁ

ସତର୍କ ସୂଚନା ପୋଷ୍ଟର ଲଗାଇ ଚୁପ୍ ବସିଛି ବିଇଏମସି ତଦନ୍ତ କରି ବିଇଏମସି କମିଶନର ଚୁପ୍ ବସିଥିବା ଚର୍ଚ୍ଚା!ଆକ୍ସନ୍ ମୁଡ୍ କୁ ଆସିବେ କି ବ୍ରହ୍ମପୁର ମେୟର?ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ହେଉଛି ଅସନ୍ତୋଷ l ଅସରାଏ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡୁଛି। ସହରରେ ମାଷ୍ଟରପ୍ଲାନ୍ ହୋଇନପାରିବାରୁ ଅଧିକାଂଶ ସାହି ଓ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହୁଛି । ରେଶମ ସହରରେ ଏ ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିଲେ ହେଁ କେବଳ ଅଘଟଣ ସମୟରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥାଏ । ଆଉ ପରେ ଯାହାକୁ ତାହା । ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମପୁରବାସୀ । ପ୍ରବଳ ବର୍ଷା କାରଣରୁ ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଟା ନାଳ କେଉଁଟା ରାସ୍ତା ଜାଣିବା ଏବେ ସହରବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଗତ କିଛି ଦିନ ତଳେ ବ୍ରହ୍ମପୁର ବଡ ବଜାର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୨ ଲେନ୍ ରେ ଜଣେ ନାବାଳକ ଖୋଲାମେଲା ନାଳ ରେ ପଡି ଭିସିଯାଇ ମୃତ୍ୟୁ ବରଣ କରିଥିଲା। ଯାହା ବ୍ରହ୍ମପୁର ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା ପରେ ମୁକୁଳା ଡ୍ରେନ୍ କୁ ନେଇ ସହରରେ ଅନେକ ପ୍ରଶ୍ନ ଉଠୁଛି। ଘଟଣା ପରଠୁ ଲଗାତାର ବିଇଏମସି କୁ ସାଧାରଣ ଲୋକେ ଦାୟୀ କରୁଥିବା ବେଳେ ମୃତ୍ୟୁ ବରଣ କରିଥିବା ନାବାଳକର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇ ବିଇଏମସି ଚୁପ୍ ବସିଛି। ସହରର ନାଳ ଗୁଡିକ ନିକଟରେ ଯଦିଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସତର୍କ ସୂଚନା ପୋଷ୍ଟର ଲଗାଯାଇଛି। କିନ୍ତୁ ଏଥିରେ ବିପଦ ହଟିବାର ପ୍ରଶ୍ନ ଉଠୁନଥିବା ସହରବାସୀ ଅଭିଯୋଗ କରିଛନ୍ତି। କିଭଳି ଭାବେ ସହରର ସମସ୍ତ ମୁକୁଳା ନାଳକୁ ତୁରନ୍ତ ପ୍ଲେଟ୍ ଜରିଆରେ ଢ଼ଂକାଯିବ ସେନେଇ ଦାବି ହେଉଛି।

କିନ୍ତୁ ଏତେ ବଡ଼ ଘଟଣା ପରେ ବି କେବଳ ସତର୍କ ସୂଚନା ଫଳକ ଲଗାଇ ନୀରବ ସାଜିଛି ବ୍ରହ୍ମପୁର ମହାନଗର ନିଗମ। ଯାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ସହରର କିଛି ଡ୍ରେନ୍ ର ପ୍ଲେଟ୍ ଗୁଡିକ ଯଦିଓ ସଫେଇ ଆଳରେ ବାହାର କରାଯାଇଛି କିନ୍ତୁ ଦୀର୍ଘ ଦିନ ପରେ ବି ପ୍ଲେଟ୍ ଢାଙ୍କିବାକୁ ଭୁଲି ଯାଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ମକର୍ତ୍ତା । ତେବେ ଅବହେଳିତ ନୀତି ଯୋଗୁ ଅକାରଣେ ଜଣେ ନିରୀହ ଛାତ୍ର ର ଜୀବନ ଯାଇଥିବା ବେଳେ କେବେ ଚେତିବ ବିଇଏମସି, କେବେ ହେବ ଯନ୍ତ୍ରୀଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ, ତାହା ଏବେ ସାଧାରଣରେ ବଡ ପ୍ରଶ୍ନ ପାଲଟିଛି।

Leave a Reply

Your email address will not be published. Required fields are marked *