ଖୁଦୁରୁକୁଣୀ ଓଷା ପାଳିତ
ଭାଦ୍ରବ ମାସର ପ୍ରତି ରବିବାର ଖୁଦରୁକୁଣୀ ଓଷା ବା ଭାଲୁକୁଣୀ ଓଷା ପାଳିତ ହୋଇଆସୁଛି । କୁଆଁରୀ ଝିଅମାନେ ନିଷ୍ଠାର ସହ ଉପବାସ ରହି ଏହି ପୂଜା ପାଳନ କରୁଛନ୍ତି । ତଅପୋଇର ସ୍ମୃତି ଓ ଭାଇ ଶୁଭମନାସୀ ଏହି ପୂଜା ପାଳନ କରିଆସୁଛନ୍ତି । ସାଧବ ସାତ ଭାଇ ବଣିଜ କରିବାକୁ ଯିବା ସମୟରେ ସାନ ଭଉଣୀ ତଅପୋଇକୁ ଭାଉଜ ମାନେ ନିର୍ଯ୍ଯାତନା ଦେବା ଓ ସାନ ଭାଉଜ ତଅପୋଇର ପ୍ରିୟପାତ୍ର ହେବା ସମ୍ପର୍କରେ ପୁରାଣ ପାଠ କରାଯାଉଛି । ସକାଳୁ କୁଆଁରୀ ଝିଅ ମାନେ ସ୍ନାନ କରିବା ସହ ଶୁଦ୍ଧପୂତ ଭାବେ ଖୁଦରୁକୁଣୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଖୁଦ ଭଜା, ଲିଆ, କାକୁଡି ଆଦି ଭୋଗ ଅର୍ପଣ କରିଥାନ୍ତି । ଖୁଦ ଭଜା ପ୍ରିୟ ହୋଇଥିବାରୁ ଠାକୁରାଣୀଙ୍କ ନାମ ଖୁଦରଙ୍କୁଣୀ ନାମକରଣ କଥିତ ଅଛି । କୁଆଁରୀ ଝିଅ ମାନେ ଠାକୁରାଣୀଙ୍କୁ କନିଅର, ଚମ୍ପା ଗୋଡିବାଣ, ମାଳତୀ, ମନ୍ଦାର ଓ କଇଁ ଫୁଲ ଲଗାଇ ପୋଖରୀ ତୁଠରେ ବାଲିରେ ଦେଉଳ କରି ପୁଷ୍ପ ଅର୍ପଣ ବିଧି ରହିଛି । ସଂଧ୍ଯା ସମୟରେ ଖୁଦରୁକୁଣୀଙ୍କ ମୃଣ୍ମୟ ମୂର୍ତ୍ତିରେ ସ୍ଥାନରେ ବିଭିନ୍ନ ଫୁଲରେ ସଜେଇ, ନୂଆ ଲୁଗାରେ ସାଜସଜ୍ଜା କରିବା ସହ ରଙ୍ଗୀନ ଆଲୋକ ମାଳାରେ ପୂଜା ସ୍ଥାନ ଝଲମଲରେ ଝଲସୁଥାଏ । ଫୁଲ ଚନ୍ଦନ ଧୂପ ଦୀପ ଘିଅ ଦେଇ ପୂଜା କରିବା ପରେ ନୈବଦ୍ଯ ଭୋଗ କରିଥାନ୍ତି ।

ନଡିଆ,କାକୁଡି,ସେଉ,ପିଜୁଳି,କଦଳୀ, ,ଅଙ୍ଗୁର ଉଖୁଡା,ଖଇ, କୋରା ଲଡୁ ଆଦି ଭୋଗ କରିଥାନ୍ତି । ଝିଅ ମାନେ ତଅପୋଇ ଗୀତ ଏକାଠି ବସି ପଢିବା ସମୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ପୂଜା ସ୍ଥାନ । ଶେଷରେ ପୂଜା ଘର ସମ୍ମୁଖ ବାହାରେ ଦୁହୁଡି ଲଗାଇ ମୁଣ୍ଡିଆ ମାରିଥାନ୍ତି । ପୁରୀ ସହର ସାହି ଗଳି କନ୍ଦି ସମେତ ଆଖପାଖ ଅଞ୍ଚଳରେ ଏହି ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି । ଶେଷ ପାଳି ଦିନ ଏହି ଓଷା ଶେଷ ହେବା ସହ ମାଙ୍କ ମୃଣ୍ମୟ ମୂର୍ତ୍ତିକୁ ପୋଖରୀରେ ବିସର୍ଜନ କରାଯାଇଥାଏ ।
