ଶ୍ରୀମନ୍ଦିରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ
ଶ୍ରୀମନ୍ଦିରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ପୁରୀ,୨୭/୮-ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ଯା ଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି କରାଯାଇଥିଲା । ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଯାଇଛି । ଭଣ୍ଡାର ଘର ଆଗର ପୋଛା ମାରିବା ପରେ ପୂଜାପଣ୍ଡା ସେବକ ପଞ୍ଚ ବର୍ଣ୍ଣ ମୁରୁଜରେ ଭଦ୍ର ମଣ୍ଡଳ ଆଙ୍କିଥିଲେ । କାଠରେ ପୂଜା ଠା ବସିଥିଲା । ଶ୍ରୀକୃଷ୍ଣ ଜନ୍ମ ପଟିକୁ ପଦ୍ମ ପାଖୁଡ଼ା ମଣ୍ଡଳ ଉପରେ ରଖିଯାଇଥିଲା । ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି ଓ ଶ୍ରୀକୃଷ୍ଣ ଆଦି ନଅ ମୂର୍ତ୍ତି ପଦ୍ମ ପାଖୁଡାରେ ଅଙ୍କନ କରାଯାଇଥିଲା ।

ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ବାରା ନାଭି କଟା ନୀତି ସମ୍ପନ୍ନ ହୋଇଥିଲା । ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି କରାଯାଇଥିଲା । ପରେ ଅନ୍ଯାନ୍ଯ ନୀତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ନନ୍ଦୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିଲା । ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥିଲା ।
