ପବିତ୍ର ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି ସେହିମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି। ଏଣୁ କେହି ଶ୍ରୀମନ୍ଦିର ଚତୁରପାର୍ଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଥାଏ ତ ଆଉ କିଏ ନିଜ ବାସଭବନ, ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ଅଧିକ ପସନ୍ଦ କରିଥାନ୍ତି । ଆଜିର ଏହି ମହାଳୟା ତିଥିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି | ମହୋଦଧି , ଇନ୍ଦ୍ରଦ୍ୟୁମ୍ନ,ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବାଇଶିପାହାଚରେ ଶ୍ରାଦ୍ଧ ବନ୍ଦ ଥିବାରୁ ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖ ଭାଗରେ ପିଣ୍ଡଦାନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା | ତେବେ ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ । ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟି,ପ୍ରପିତାମୟି,ମାତାମହ,ପ୍ରମାତାମହ,ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ । ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ପିତୃପୁରୁଷ ଆତ୍ମତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *