ଦଶପଲ୍ଲା ଅଧୂକାର ପ୍ରକଳ୍ପ ଦ୍ଵାରା ବିଶ୍ୱ ଧରିତ୍ରୀ ଦିବସରେ,ବିଷ ମୁକ୍ତ ଗ୍ରାମ ଗଠନ ପାଇଁ ଆହ୍ୱାନ
ଦଶପଲ୍ଲା, 22/04/26 ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଜଳ, ଜମି, ଜଙ୍ଗଲ, ଜଳବାୟୁ,ଜୈବ ବିବିଧତା, ଜୀବ ଜଗତ,ମାଟି ମାଆ ଓ ପରିବେଶ ସୁରକ୍ଷା କରିବା ଲକ୍ଷ୍ୟ ନେଇ ପ୍ରକଳ୍ପ ଅଧିକାର, ଦଶପଲ୍ଲା ଦ୍ୱାରା ଭୋଗଵାଡ଼ି ଗ୍ରାମ ପଞ୍ଚାୟତର ବୁଲୁଣ୍ଡା, କନ୍ଧ ଭୋଗବାଡ଼ି ଓ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତର ଗୁଣ୍ଠାପାଜୁ ଇତ୍ୟାଦି ଗ୍ରାମରେ ଗ୍ରାମ ଗୋଷ୍ଠୀଙ୍କୁ ନେଇ ଜନ ସଚେତନତା ଶିବିର ଅଧିକାର ମିତ୍ର ସରୋଜିନୀ ମଳିକ ଓ ଉର୍ମିଳା ଯାନୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି।ଏ ଜନ ସଚେତନତା ଉତ୍ସବରେ ସ୍ଥାନୀୟ ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଗ୍ରାମ ବାସୀ ଯୋଗଦାନ କରି ମାଟି ମାଆକୁ ପୂଜା ଅର୍ଚ୍ଚନା କରିବା ସହିତ ଧରିତ୍ରୀ ମାତାକୁ ପ୍ରଦୂଷଣ ମୁକ୍ତ କରିବା,ଜଳ ସଂରକ୍ଷଣ କରିବା, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କରିବା , ବୃକ୍ଷ୍ୟ ରୋପଣ କରିବା,ପ୍ଲାଷ୍ଟିକ ଓ ବିଷ ମୁକ୍ତ ଗ୍ରାମ ଗଠନ କରିବା ଓ ସୌର ଶକ୍ତି ବ୍ୟବହାର କରିବା ପାଇଁ ସଂକଳ୍ପ ନେଇଛନ୍ତି।ପୋଖରୀ, ନଦୀ, ନାଳ ଓ ପାନୀୟ ଜଳ ତଥା ବାୟୁ ପ୍ରଦୂଷଣ ନ କରିବା, ଜମିରେ କୀଟ ନାଶକ ବିଷ, ଔଷଧ ପ୍ରୟୋଗ ନ କରି ସୁସ୍ଥ ନିରୋଗୀ ଜୀବନ ଧାରଣ କରିବା ଓ ସୁସ୍ଥ ସମୃଦ୍ଧ ସମାଜ ପ୍ରତିଷ୍ଠା କରିବାର ବାର୍ତ୍ତା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରକଳ୍ପ ଅଧିକାରୀ ପ୍ରଭାତ କୁମାର ସାହୁ କହିଥିଲେ। ପ୍ରକୃତି, ପରିବେଶ, ଜଳ,ଜମି,ଜଙ୍ଗଲ ଜୀବନ ଜୀବିକା,ଜୀବ ଜଗତ ଓ ପ୍ରାଣୀ ଜଗତ ବଞ୍ଚିବାର ମୂଳ ଆଧାର। ଏଣୁ ଏଥି ପ୍ରତି ସବୁ ସ୍ତରରେ ଯଥେଷ୍ଟ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।ପ୍ରକୃତି,ପରିବେଶ ଓ ସ୍ଵଛ ଜଳବାୟୁ ଆମ ସଭ୍ୟତା ତିଷ୍ଠିବାର ମୂଳ ଆଧାର ତେଣୁ ଏହାର ସୁରକ୍ଷା ଓ ଉତ୍ତମ ପରିଚାଳନା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ବିଚାର କରି ଏ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
