ପିତୃମାତୃହୀନ ଶିଶୁକୁ ମିଳିଲା ନୂଆ ପରିବାର

ଭଦ୍ରକ, ୨୧/୦୭- ପିତୃମାତୃହୀନ ଶିଶୁମାନଙ୍କୁ ସ୍ନେହ, ସୁରକ୍ଷା ଓ ପାରିବାରିକ ପରିବେଶ ପ୍ରଦାନ କରିବା ଦିଗରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଉ ଏକ ସଫଳ ପଦକ୍ଷେପ ଗ୍ରହଣ କରିଛି। ୧୦ ବର୍ଷୀୟ ବାଳକ ସାଇ ବିଜୟନାଥ, ଯିଏ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଭଦ୍ରକଙ୍କ ଆଦେଶକ୍ରମେ କାଞ୍ଜିଆପାଳସ୍ଥିତ ମହାପୁରୁଷ ଆଶ୍ରମରେ ପିତୃମାତୃହୀନ ଶିଶୁ ଭାବେ ରହୁଥିଲେ, ସେ ଏବେ ପୋଷ୍ୟସନ୍ତାନ ଭାବେ ଗୋଆର ଏକ ଯୋଗ୍ୟ ଦମ୍ପତିଙ୍କ ପରିବାରରେ ନୂତନ ଜୀବନର ଶୁଭାରମ୍ଭ କରିଛନ୍ତି।ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ତତ୍ପରତା ଏବଂ କେନ୍ଦ୍ରୀୟ ପୋଷ୍ୟସନ୍ତାନ ଗ୍ରହଣ ସମ୍ବଳ ପ୍ରାଧିକରଣ (CARA)ର ନିୟମାବଳୀ ଅନୁଯାୟୀ ଗୋଆର ସମ୍ଭାବ୍ୟ ପୋଷ୍ୟଗ୍ରାହୀ ଦମ୍ପତି ଏମ୍. କେ. ବିଜୟନାଥ ଓ ଗୀତା ବିଜୟନାଥଙ୍କୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ପରେ ଯୋଗ୍ୟ ବିବେଚନା କରାଯାଇଥିଲା।ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାକ୍-ପୋଷ୍ୟସନ୍ତାନ ପ୍ରତିପାଳନ ଯତ୍ନ ବ୍ୟବସ୍ଥା ଅନୁଯାୟୀ ଶିଶୁଟିକୁ ସମ୍ଭାବ୍ୟ ପୋଷ୍ୟଗ୍ରାହୀ ଦମ୍ପତିଙ୍କ ସହ ସମୟ ବିତାଇବାର ସୁଯୋଗ ଦିଆଯାଇଥିଲା।

ଏହି ସମୟ ମଧ୍ୟରେ ଶିଶୁ ଓ ଦମ୍ପତିଙ୍କ ମଧ୍ୟରେ ସ୍ନେହପୂର୍ଣ୍ଣ ଓ ସକାରାତ୍ମକ ସମ୍ପର୍କ ଗଢ଼ିଉଠିବା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ କରାଯାଇଥିଲା।ପରବର୍ତ୍ତୀ ସମୟରେ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅଣଆନୁଷ୍ଠାନିକ ଅଧିକାରିଣୀ ଶିଶୁ ଓ ସମ୍ଭାବ୍ୟ ପୋଷ୍ୟଗ୍ରାହୀ ଦମ୍ପତିଙ୍କୁ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ. ଦିଲୀପ ରାଉତରାୟଙ୍କ ସମ୍ମୁଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ସଦସ୍ୟ ପ୍ରଦୀପ୍ତ କର ଓ ସୁବାସ ଚନ୍ଦ୍ର ଦେବତା, ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ଏବଂ ସାମାଜିକ-ଆଇନ ଅଧିକାରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ ଶିଶୁଟିକୁ ଆନୁଷ୍ଠାନିକ ଭାବେ ପୋଷ୍ୟଗ୍ରାହୀ ଦମ୍ପତିଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା।ଏହି ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା କେବଳ ଜଣେ ପିତୃମାତୃହୀନ ଶିଶୁଙ୍କୁ ଏକ ସ୍ନେହମୟ ପରିବାର ଓ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରିନାହିଁ, ବରଂ ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱବୋଧର ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *