ପାରାଦୀପ ବନ୍ଦର କେବଳ ଏକ ମେଗା ପୋର୍ଟ ନୁହେଁ, ବରଂ ଏହା ଏକ ବଡ଼ ଆର୍ଥିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି।
ପୋର୍ଟର ଯାତ୍ରା ପୂର୍ବ ଭାରତର ଉପକୂଳରେ ଗଢ଼ିଥିବା ପାରାଦୀପ ବନ୍ଦର ଆଜି କେବଳ ଏକ ମେଗା ପୋର୍ଟ ନୁହେଁ, ବରଂ ଏହା ଏକ ବଡ଼ ଆର୍ଥିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି। ପଣ୍ୟ ପରିବହନର ରେକର୍ଡ ହେଉ କି ନୌବାଣିଜିକ କ୍ଷମତା, ଆଧୁନିକ ପରିବହନ, ସ୍ୱଚ୍ଛ ଶକ୍ତି ଭିତ୍ତିଭୂମି, ଜାହାଜ ନିର୍ମାଣ ଓ ମରାମତିର ସମ୍ଭାବନା ସହ ପାରାଦୀପ ଏକ ନୂଆ ବିକାଶ ଅଧ୍ୟାୟରେ ପ୍ରବେଶ କରିଛି।ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା, ଯାତ୍ରାର ଏକ ମାଇଲଖୁଣ୍ଟ। କିନ୍ତୁ ଏହି ମାନ୍ୟତାର ଗୁରୁତ୍ୱ କେବଳ ଏକ ଦସ୍ତାବିଜ୍ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ ନିଷ୍ଠା, କର୍ତ୍ତବ୍ୟ ଓ ଆନ୍ତରିକତାର ଏକ ସଫଳ ଚିତ୍ର।ପରିବର୍ତ୍ତନର କାହାଣୀ କହେ ପଣ୍ୟ କାରବାରର ରେକର୍ଡ ଆର୍ଥିକ ବର୍ଷ 2025–26ରେ ପାରାଦୀପ ବନ୍ଦର 156.45 ନିୟୁତ ମେଟ୍ରିକ୍ ଟନ୍ (MMT) କାର୍ଗୋ ପରିବହନ କରିଛି। ଏହା ଚଳିତ ଆର୍ଥିକ ବର୍ଷର ସର୍ବାଧିକ କାର୍ଗୋ ପରିବହନ। ଦେଖିବାକୁ ଗଲେ ବିଗତ ବର୍ଷର ପଣ୍ୟ କାରବାକୁ ଏହି ସଫଳତାକୁ ଆହୁରି ମଜବୁତ କରିଛି। ଆର୍ଥିକ ବର୍ଷ 2015–16ରେ ପାରାଦୀପର କାର୍ଗୋ ପରିବହନ 76.39 MMT ଥିଲା। ଦଶ ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇ 156.45 MMTରେ ପହଞ୍ଚିଛି, ଅର୍ଥାତ୍ ଦୁଇଗୁଣରୁ ଅଧିକ।ଆଜି ବନ୍ଦରର ନିର୍ଦ୍ଧାରିତ କ୍ଷମତା ପ୍ରାୟ 289 MMTPA। ଆଗାମୀ ଦିନରେ 2047 ସୁଦ୍ଧା ଏହାକୁ 500 MMTPAରୁ ଅଧିକ କରିବାର ଦୀର୍ଘମିଆଦୀ ଦୃଷ୍ଟିକୋଣ ରହିଛି। ଏହା କେବଳ ବନ୍ଦରର ବୃଦ୍ଧିକୁ ଦର୍ଶାଉନାହିଁ, ବରଂ ଏଗୁଡ଼ିକ ପାରାଦୀପର ବଦଳୁଥିବା ଆର୍ଥିକ ଭୂମିକାର ମଧ୍ୟ ଏକ ଚିତ୍ର ଦର୍ଶାଉଛି ।ମେଗା ପୋର୍ଟ: ମାନ୍ୟତାଠାରୁ ଏବେ ଦାୟିତ୍ୱ ଅଧିକବଲ୍କ ପୋର୍ଟ ମାନ୍ୟତା ପାଇଁ ପୂର୍ବବର୍ତ୍ତୀ ଆର୍ଥିକ ବର୍ଷରେ 150 MMT କାର୍ଗୋ ପରିବହନର ସୀମା ନିର୍ଦ୍ଧାରିତ ହୋଇଥିବାବେଳେ କଣ୍ଟେନର ପୋର୍ଟ ପାଇଁ ଏହା 7.5 ନିୟୁତ TEUର ସୀମା ନିର୍ଦ୍ଧାରିତ । ଆର୍ଥିକ ବର୍ଷ 2025–26ରେ 156.45 MMT ପରିବହନ ସହ ପାରାଦୀପ ନିର୍ଦ୍ଧାରିତ ବଲ୍କ କାର୍ଗୋ ସୀମା ଅତିକ୍ରମ କରିଛି। ଏହି ମାନ୍ୟତା ପାରାଦୀପ ଆଗରୁ ହାସଲ କରିଥିବା ବିଶାଳ ପରିମାଣର ସ୍ୱୀକୃତି। କିନ୍ତୁ ଏହା ଯାତ୍ରାର ଶେଷ ନୁହେଁ। ବରଂ ଏହା ଏକ ନୂଆ ପର୍ଯ୍ୟାୟର ଆରମ୍ଭ।ପାରାଦୀପକୁ ଏବେ ଅଧିକ ବଡ଼ ବଡ଼ ଜାହାଜ ପରିଚାଳନା, ଅଧିକ ପଣ୍ୟ ପ୍ରବାହ ସମ୍ଭାଳିବା, ଶିଳ୍ପ ସହ ସଂଯୋଗ ବଢ଼ାଇବା ଏବଂ ଏକ ଆଧୁନିକ ନୌବାଣିଜ୍ୟିକ ଅର୍ଥନୀତିର ଭିତ୍ତି ଗଢ଼ିବାକୁ ହେବ।ପରବର୍ତ୍ତୀ ପଦକ୍ଷେପ: ଅଧିକ ଗଭୀର, ଅଧିକ ବଡ଼, ଅଧିକ ସକ୍ଷମପାରାଦୀପର ଭବିଷ୍ୟତ ବିକାଶର ଏକ ପ୍ରମୁଖ ଅଂଶ ହେଉଛି ସାମୁଦ୍ରିକ ଭିତ୍ତିଭୂମିର ବିସ୍ତାର।ପ୍ରାୟ ₹3,005 କୋଟିର ପଶ୍ଚିମ ଡକ୍ ପ୍ରକଳ୍ପ ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ। ପ୍ରକଳ୍ପଟି ପ୍ରାୟ 25 MMTPA ଅତିରିକ୍ତ କ୍ଷମତା ଯୋଗ କରିବା ସହ 18.5 ମିଟର ପର୍ଯ୍ୟନ୍ତ ଡ୍ରାଫ୍ଟ ଥିବା କେପ୍-ସାଇଜ୍ ଜାହାଜ ପରିଚାଳନାରେ ସହାୟତା କରିବା ପାଇଁ ପରିକଳ୍ପିତ।ଏହାର ଅର୍ଥ କେବଳ ଅଧିକ ପଣ୍ୟ ନୁହେଁ, ଏହା ଅଧିକ ବଡ଼ ଜାହାଜ, ଅଧିକ ଦକ୍ଷ ପରିଚାଳନା ଏବଂ ଭବିଷ୍ୟତ ବାଣିଜ୍ୟ ପାଇଁ ଏକ ଅଧିକ ସକ୍ଷମ ନୌବାଣିଜିକ ଭିତ୍ତିଭୂମି।ବନ୍ଦର ସୀମା ପରେ ଆରମ୍ଭ ହୁଏ ପ୍ରକୃତ ଅର୍ଥନୀତିଏକ ବଡ଼ ବନ୍ଦରର ମୂଲ୍ୟ କେବଳ ତାହାର ଜେଟି କିମ୍ବା ଟର୍ମିନାଲରେ ମପାଯାଏ ନାହିଁ। ପଣ୍ୟ କାରବାର କେତେ ଦ୍ରୁତ ଓ ସୁଗମ ଭାବରେ ବନ୍ଦରରୁ ଶିଳ୍ପ କେନ୍ଦ୍ର ଓ ବଜାରକୁ ପହଞ୍ଚୁଛି, ତାହା ମଧ୍ୟ ସମାନ ଗୁରୁତ୍ୱ ରଖେ।ଜାତୀୟ ରାଜପଥ-53 ଓ ରାଜ୍ୟ ରାଜପଥ-12 ଭଳି ସଡ଼କ ଓ ରେଳ ପଥ ସଂଯୋଗ ଏବଂ କଣ୍ଟେନର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (CONCOR) ସହଯୋଗରେ ବିକଶିତ 100 ଏକରର ମଲ୍ଟିମୋଡାଲ୍ ଲଜିଷ୍ଟିକ୍ସ ପାର୍କ ପାରାଦୀପକୁ ଏକ ବ୍ୟାପକ ଲଜିଷ୍ଟିକ୍ସ ନେଟୱର୍କ ସହ ଯୋଡ଼ିଛି।ଏହି ସଂଯୋଗର ଆଉ ଏକ ବଡ଼ ସମ୍ଭାବନା ରହିଛି।ୱେୟାରହାଉସିଂ, ଫ୍ରେଟ୍ ଫରୱାର୍ଡିଂ, କାର୍ଗୋ ପ୍ରୋସେସିଂ, ପ୍ୟାକେଜିଂ ଓ ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଭଳି ସେବାଗୁଡ଼ିକ ବନ୍ଦରକୁ କେନ୍ଦ୍ର କରି ବିକଶିତ ହୋଇପାରନ୍ତି। ଇସ୍ପାତ, ରସାୟନ, ପେଟ୍ରୋକେମିକାଲ୍ସ୍ ଓ ମାନୁଫାକ୍ଚରିଂ ଭଳି ଶିଳ୍ପଗୁଡ଼ିକ ମଧ୍ୟ ଏହି ନୌବାଣିଜ୍ୟ ପରିଚାଳନାରେ ଲାଭ ପାଇଛନ୍ତି।ଏଠାରେ ହିଁ ପାରାଦୀପର କାହାଣୀ ‘କାର୍ଗୋ ମୁଭମେଣ୍ଟ’ରୁ ‘ଭ୍ୟାଲୁ କ୍ରିଏସନ୍’ ଦିଗକୁ ଗତି କରେ।ସ୍ୱଚ୍ଛ ଶକ୍ତି: ପାରାଦୀପର ନୂଆ ପରିଚୟର ଆଉ ଏକ ଅଧ୍ୟାୟଭବିଷ୍ୟତର ନୌବାଣିଜ୍ୟ ଅର୍ଥନୀତି କେବଳ ପାରମ୍ପରିକ ପଣ୍ୟ ଉପରେ ନିର୍ଭର କରିବ ନାହିଁ। ସ୍ୱଚ୍ଛ ଶକ୍ତି ଏହି ନୂଆ ଅର୍ଥନୀତିର ଏକ ମୁଖ୍ୟ ଅଂଶ ହୋଇପାରେ।ପାରାଦୀପକୁ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଭାବେ ଚିହ୍ନଟ କରାଯାଇଛି। ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ସମ୍ପର୍କିତ ଅନ୍ୟ ପଦାର୍ଥର ପରିଚାଳନା ପାଇଁ ଭିତ୍ତିଭୂମି ବିକାଶର ଯୋଜନା ରହିଛି।ଏଥିପାଇଁ କେନ୍ଦ୍ର ପକ୍ଷରୁ ₹797.17 କୋଟିର ଅନୁମୋଦନ ସହ ଏକ ସ୍ୱତନ୍ତ୍ର ଜେଟି ଓ ସମ୍ପର୍କିତ ସୁବିଧାର ଯୋଜନା ରହିଛି। ପ୍ରସ୍ତାବିତ କ୍ଷମତା 4 MMTPA ।କହିବାକୁ ଗଲେ ଏହି ପରିବର୍ତ୍ତନର ଅର୍ଥ କେବଳ ନୂଆ ପଣ୍ୟ କାରବାର ନୁହେଁ। ଅକ୍ଷୟ ଶକ୍ତି, ଉତ୍ପାଦନ, ସଂରକ୍ଷଣ, ପରିବହନ ଓ ରପ୍ତାନିକୁ ଏକ ସମନ୍ୱିତ ଶୃଙ୍ଖଳାରେ ଯୋଡ଼ିବାର ସୁଯୋଗ ମଧ୍ୟ ଏହା ଦେଇପାରେ।ଜାହାଜ ନିର୍ମାଣ: ବନ୍ଦରରୁ ନୌବାଣିଜ୍ୟିକ ଶିଳ୍ପ ପର୍ଯ୍ୟନ୍ତପାରାଦୀପର ବିକାଶର ଆଉ ଏକ ଆକର୍ଷଣୀୟ ଦିଗ ହେଉଛି ନୌବାଣିଜ୍ୟିକ ଉତ୍ପାଦନ।ପାରାଦୀପ ନିକଟରେ ପ୍ରସ୍ତାବିତ 1.5 ନିୟୁତ ଗ୍ରସ୍-ଟନ୍ କ୍ଷମତାର ଜାହାଜ ନିର୍ମାଣ ଓ ଜାହାଜ ମରାମତି ସୁବିଧା ବିକଶିତ ହେଲେ ମେରିନ୍ ଇଞ୍ଜିନିୟରିଂ, ଫ୍ୟାବ୍ରିକେସନ୍, ଯନ୍ତ୍ରପାତି, ବିଦ୍ୟୁତ ପ୍ରଣାଳୀ, ଡିଜାଇନ୍ ଓ ବିଭିନ୍ନ ବିଶେଷ ସେବା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହୋଇପାରେ।ଏହା ସହ ଆନୁଷଙ୍ଗିକ ଶିଳ୍ପ ବିକଶିତ ହେବାର ସମ୍ଭାବନା ମଧ୍ୟ ରହିଛି।ଅର୍ଥାତ୍, ପାରାଦୀପର ଭୂମିକା କେବଳ ଜାହାଜରୁ କାର୍ଗୋ ଖଲାସ କରିବା କିମ୍ବା ଜାହାଜରେ କାର୍ଗୋ ଲୋଡ୍ କରିବାରେ ସୀମିତ ରହିବ ନାହିଁ। ଏଠାରେ ଜାହାଜ ତିଆରି ଓ ମରାମତିରୁ ଆରମ୍ଭ କରି ନୌବାଣିଜ୍ୟିକ ଶିଳ୍ପର ଏକ ବଡ଼ ପରିବେଶ ଗଢ଼ିଉଠିବାର ସମ୍ଭାବନା ରହିଛି।ଡିଜିଟାଲ୍ ପାରାଦୀପ: ଦକ୍ଷତା ସହିତ ପ୍ରଯୁକ୍ତିବିଦ୍ୟାବୃହତ୍ତର ବନ୍ଦର ପାଇଁ ବଡ଼ ଭିତ୍ତିଭୂମି ଯେତିକି ଆବଶ୍ୟକ, ସେତିକି ଆବଶ୍ୟକ ଦକ୍ଷ ପରିଚାଳନା।ପାରାଦୀପରେ ଡକ୍ୟୁମେଣ୍ଟେସନ୍, ବର୍ଥ ମ୍ୟାନେଜମେଣ୍ଟ, ଜମି ପରିଚାଳନା, କ୍ରୟ, ପେମେଣ୍ଟ ଓ ଗେଟ୍ ଅପରେସନ୍ରେ ଡିଜିଟାଲ୍ ପ୍ରଣାଳୀ ଲାଗୁ ହେଉଛି।ବାଣିଜ୍ୟିକ ଉଦ୍ୟୋଗ, ଇଲେକ୍ଟ୍ରୋନିକ୍ ମେନିଫେଷ୍ଟ ଓ ଡେଲିଭରି ଅର୍ଡର, RFID, QR- ଆଧାରିତ ପ୍ରବେଶ, GIS, SCADA ଏବଂ AI-ସକ୍ଷମ ଯାର୍ଡ ମ୍ୟାନେଜମେଣ୍ଟ ଭଳି ପ୍ରଯୁକ୍ତିଗୁଡ଼ିକ ବନ୍ଦର ପରିଚାଳନାକୁ ଅଧିକ ସମନ୍ୱିତ କରୁଛି।ଜାହାଜ ଚଳାଚଳ ପରିଚାଳନା ଏବଂ ସୂଚନା ପ୍ରଣାଳୀ (VTMIS) ଜାହାଜ ନିରୀକ୍ଷଣ, ଦିଶାଜ୍ଞାନ ଓ ନୌବାଣିଜ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି।ସବୁଜ ବିକାଶ ସହିତ ବୃଦ୍ଧିବିକାଶର ଗତି ସହିତ ପରିବେଶ ପ୍ରତି ଦାୟିତ୍ୱ ମଧ୍ୟ ସମାନ ଗୁରୁତ୍ୱ ରଖୁଛି।ପାରାଦୀପରେ ବୃକ୍ଷରୋପଣ ଓ ସହରୀୟ ସବୁଜୀକରଣ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାର ଅନ୍ତର୍ଗତ 10 ଲକ୍ଷ ଗଛ ରୋପଣ ହୋଇ ସାରିଛି। ନିକଟରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଦଶ ଲକ୍ଷତମ ବୃକ୍ଷ ରୋପଣ କରିଥିଲେ ।କାର୍ଗୋ ପରିଚାଳନା କ୍ଷେତ୍ରରେ ମିଷ୍ଟ କ୍ୟାନନ୍, ରୋଡ୍-ସ୍ୱିପିଂ ମେସିନ୍, ହ୍ୱିଲ୍-ୱାଶ୍ ସିଷ୍ଟମ୍ ଓ ନେଟ୍ ବ୍ୟାରିଅର ଭଳି ବ୍ୟବସ୍ଥା ଧୂଳି ନିୟନ୍ତ୍ରଣରେ ସହାୟତା କରୁଛି।ସୌର ଶକ୍ତି, ଶୋର୍-ଟୁ-ଶିପ୍ ପାୱାର ଓ ଯନ୍ତ୍ରପାତିର ବିଦ୍ୟୁତୀକରଣ ଭଳି ପଦକ୍ଷେପ ମଧ୍ୟ ସ୍ୱଚ୍ଛ ଓ ଅଧିକ ସ୍ଥାୟୀ ପରିଚାଳନା ଦିଗରେ ପାରାଦୀପର ଯାତ୍ରାକୁ ସୂଚିତ କରୁଛି।

₹50,000 କୋଟିରୁ ଅଧିକ ସମ୍ଭାବନାପାରାଦୀପର ବନ୍ଦର ଏବେ ବିକାଶର ସୀମା ଅତିକ୍ରମ କରିଛି। ବନ୍ଦର ଭିତ୍ତିଭୂମି, ଲଜିଷ୍ଟିକ୍ସ, ସ୍ୱଚ୍ଛ ଶକ୍ତି, ସାମୁଦ୍ରିକ ଉତ୍ପାଦନ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପକୁ ମିଶାଇ ଏକ ବ୍ୟାପକ ବିକାଶ ପରିବେଶ ଗଢ଼ିଉଠୁଛି।ବିଭିନ୍ନ ଆକଳନ ଓ ପ୍ରକଳ୍ପ ଯୋଜନା ଏହି ବ୍ୟାପକ ବିକାଶ ପରିଦୃଶ୍ୟ ସହ ଜଡ଼ିତ ₹50,000 କୋଟିରୁ ଅଧିକ ନିବେଶ ପାଇପଲାଇନ୍ର ସମ୍ଭାବନା ଦର୍ଶାଇଛି।ତେବେ ଏହି ସମ୍ଭାବନା ବାସ୍ତବ ଆର୍ଥିକ ପ୍ରଭାବରେ ପରିଣତ ହେବା ପାଇଁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ଶିଳ୍ପ କ୍ଷମତା ସୃଷ୍ଟି, ବେସରକାରୀ ଅଂଶଗ୍ରହଣ ଓ ଆବଶ୍ୟକ ସହାୟକ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ହେବ।ମେଗା ପୋର୍ଟ ମାନ୍ୟତା ନିବେଶ କିମ୍ବା ନିଯୁକ୍ତିକୁ ସ୍ୱତଃସ୍ଫୂର୍ତ୍ତ ଭାବେ ସୃଷ୍ଟି କରେ ନାହିଁ। ଏହା ଏକ ସ୍ୱୀକୃତି। ଏହି ସ୍ୱୀକୃତିକୁ ବାସ୍ତବ ଆର୍ଥିକ ସୁଯୋଗରେ ପରିଣତ କରିବା ପ୍ରକଳ୍ପ, ଶିଳ୍ପ, ଲଜିଷ୍ଟିକ୍ସ ଓ ମାନବ ସମ୍ବଳର ବିକାଶ ଉପରେ ପରବର୍ତ୍ତୀ ଦାୟିତ୍ୱ ରହିବ।ମାନବ ସମ୍ବଳ: ଆଗାମୀ ବିକାଶର ଭିତ୍ତିଏକ ବଡ଼ ବନ୍ଦର କେବଳ କ୍ରେନ୍, ଟର୍ମିନାଲ୍ କିମ୍ବା ଜାହାଜରେ ନିର୍ମିତ ହୁଏ ନାହିଁ। ଏହାକୁ ଚଳାଇବା ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ।ଲଜିଷ୍ଟିକ୍ସ, ଉତ୍ପାଦନ, ଇଞ୍ଜିନିୟରିଂ, ଜାହାଜ ନିର୍ମାଣ, ସ୍ୱଚ୍ଛ ଶକ୍ତି, ୱେୟାରହାଉସିଂ, ପ୍ରଯୁକ୍ତି ଓ ସାମୁଦ୍ରିକ ସେବାର ବିକାଶ ସହ ବିଶେଷଜ୍ଞ ଦକ୍ଷତାର ଚାହିଦା ବଢ଼ିବ।ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ CEMS ଓ CIPET ମାଧ୍ୟମରେ ଶିଳ୍ପ-ଉପଯୋଗୀ ଦକ୍ଷତା ବିକାଶ ପଦକ୍ଷେପ ଗ୍ରହଣ କରିଛି।ସମୁଦାୟ ବିକାଶ ମଧ୍ୟ ଏହି ଯାତ୍ରାର ଏକ ଅଂଶ। ଆର୍ଥିକ ବର୍ଷ 2025–26ରେ PPA ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଓ ସମୁଦାୟ କଲ୍ୟାଣ କାର୍ଯ୍ୟକ୍ରମରେ ସିଏସ୍ଆର୍ ପାଣ୍ଠି ବିନିଯୋଗ କରିଛି।2030ରୁ 2047: ଏକ ଦୀର୍ଘ ଯାତ୍ରାପାରାଦୀପର ବିକାଶ ଦୁଇଟି ବଡ଼ ସମୟସୀମାକୁ ଆଧାର କରି ଆଗକୁ ବଢ଼ୁଛି। 2030ର ଦୃଷ୍ଟିକୋଣରେ ଆଧୁନିକ ବନ୍ଦର ଭିତ୍ତିଭୂମି, ଦୃଢ଼ ଲଜିଷ୍ଟିକ୍ସ, ଡିଜିଟାଲ୍ ପରିଚାଳନା ଓ ନୂତନ ଶକ୍ତି ସୁବିଧା ଉପରେ ଗୁରୁତ୍ୱ ରହିଛି। 2047ର ଦୃଷ୍ଟିକୋଣ ଆହୁରି ବ୍ୟାପକ। 500 MTPAରୁ ଅଧିକ କ୍ଷମତା ସହ ଏକ ବିସ୍ତୃତ ସାମୁଦ୍ରିକ ଅର୍ଥନୀତି ଗଢ଼ିବା ଏହାର ଏକ ପ୍ରମୁଖ ଦିଗ।ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ଠାରେ ଏକ ସାଟେଲାଇଟ୍ ମେଜର ପୋର୍ଟ ବିକାଶ କରିବା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବିତ ବନ୍ଦରକୁ ପାରାଦୀପ ବନ୍ଦର ସହ ଏକ କରିଡୋର ମାଧ୍ୟମରେ ସଂଯୋଗ କରିବା ଏବଂ ଏହାର ଉନ୍ନୟନ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାର ଯୋଜନା ରହିଛି ।ଏହି ପ୍ରକଳ୍ପର ଉନ୍ନୟନ ପାଇଁ ଏକ ସ୍ୱତନ୍ତ୍ର ଯାନ (Special Purpose Vehicle) ଗଠନ କରିବାର ପ୍ରସ୍ତାବ ରହିଛି। ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଏହି ପ୍ରକଳ୍ପକୁ ଆର୍ଥିକ ଓ ପ୍ରକଳ୍ପ ସମ୍ବନ୍ଧୀୟ ସହଯୋଗ ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି। ଏହା ଓଡ଼ିଶାର ନୌବାଣିଜ୍ୟିକ ବିକାଶକୁ ଆହୁରି ବିସ୍ତାର କରିବାରେ ସହାୟକ ହେବ। ଜାହାଜ ନିର୍ମାଣ, ଜାହାଜ ମରାମତି ଓ ସ୍ୱଚ୍ଛ ଶକ୍ତି ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ନେଇ ଆଶା ରହିଛି।ପୁରୀ ଠାରେ କ୍ରୁଜ୍ ଟର୍ମିନାଲ୍ ନିର୍ମଣ ଓଡ଼ିଶା ବାସୀଙ୍କ ସମେତ ଦେଶ ବିଦେଶର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଜଳପଥ ଜାତାୟତର ଏକ ଉଚ୍ଚକୋଟିର ମାନଦଣ୍ଡ ସୃଷ୍ଟି କରିବ। ପାରାଦୀପ ବନ୍ଦରର ପଣ୍ୟ ପରିଚାଳନାକୁ ଆହୁରି ସୁଗମ କରିବ ୱେଷ୍ଟର୍ଣ୍ଣ ଡକ୍। JPPLର 25 MMTPA କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ 3005 କୋଟି ବ୍ୟୟରେ ଆଧୁନିକ ଓ ଉଚ୍ଚ ଯାନ୍ତ୍ରିକୀକୃତ ଭିତ୍ତିଭୂମି ସହିତ ବିକଶିତ କରାଯାଉଛି।ମେଗା ପୋର୍ଟ ପରେ କ’ଣ?ପାରାଦୀପର ମେଗା ପୋର୍ଟ ମାନ୍ୟତା ଏକ ଗୌରବମୟ ମାଇଲଖୁଣ୍ଟ। କିନ୍ତୁ ଏହା ଶେଷ ନୁହେଁ। ଏହା ଏକ ନୂଆ ଯାତ୍ରାର ଆରମ୍ଭ।ଗତ ଏକ ଦଶନ୍ଧିରେ କାର୍ଗୋ ପରିବହନ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ 156.45 MMTରେ ପହଞ୍ଚିଛି। ପ୍ରାୟ 289 MTPAର ବର୍ତ୍ତମାନ କ୍ଷମତା ଏହି ବିକାଶର ଭିତ୍ତି ସୃଷ୍ଟି କରିଛି। ଆଗାମୀ ଦିନରେ ଗଭୀର ସାମୁଦ୍ରିକ ଭିତ୍ତିଭୂମି, ଦକ୍ଷ ଲଜିଷ୍ଟିକ୍ସ, ଶିଳ୍ପ ବିକାଶ, ସ୍ୱଚ୍ଛ ଶକ୍ତି, ସାମୁଦ୍ରିକ ଉତ୍ପାଦନ, ଡିଜିଟାଲ୍ କ୍ଷମତା ଓ ଦକ୍ଷ ମାନବ ସମ୍ବଳ ଏହି ଯାତ୍ରାର ମୁଖ୍ୟ ସ୍ତମ୍ଭ ହେବ। ଶେଷରେ, ପାରାଦୀପର ଗୁରୁତ୍ୱ କେବଳ ଏହାର ଟର୍ମିନାଲ ଦେଇ କେତେ କାର୍ଗୋ ଯାଉଛି, ତାହାରେ ସୀମିତ ରହିବ ନାହିଁ।ଏହାର ପ୍ରକୃତ ପ୍ରଭାବ ମପାଯିବ ଏହା ସହ କେତେ ଶିଳ୍ପ ଯୋଡ଼ିତ ହେଉଛି, କେତେ ନିବେଶ ସମ୍ଭବ ହେଉଛି, କେତେ ନୂଆ ଦକ୍ଷତା ବିକଶିତ ହେଉଛି ଏବଂ ଓଡ଼ିଶା ଓ ବ୍ୟାପକ ଅଞ୍ଚଳ ପାଇଁ କେତେ ନୂଆ ଆର୍ଥିକ ସୁଯୋଗ ସୃଷ୍ଟି ହେଉଛି, ତାହା ଏହି ମେଗା ପୋର୍ଟର ମାନ୍ୟତା ପାରାଦୀପର ଭବିଷ୍ୟତର ପରିଚୟ ହେବ।
