୨୦୨୭ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି
୨୦୨୭ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଭିତ୍ତିଭୂମି ବିକାଶ, ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଆଗୁଆ ପଦକ୍ଷେପ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକଭୁବନେଶ୍ୱର: ୨୨.୧୦.୨୦୨୬ ଆଗାମୀ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ସୁବିଧା ଉପରେ ଗୁରୁତ୍ୱ ଦିଆଯାଇ ଆଗୁଆ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୭ ମସିହା ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏହା ପ୍ରଥମ ପ୍ରସ୍ତୁତି ବୈଠକ । ରଥଯାତ୍ରା ପାଇଁ କେତେକ କ୍ଷେତ୍ରରେ ଆଗୁଆ ନିଷ୍ପତ୍ତିର ଆବଶ୍ୟକତା ଦୃଷ୍ଟିରୁ ବୈଠକର ଗୁରୁତ୍ୱ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ପୁରୀ ସହରର ବିକାଶ ପାଇଁ କେତେକ ଦୀର୍ଘସୂତ୍ରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି । ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ରଥଯାତ୍ରା ପୂର୍ବରୁ ସମ୍ପନ୍ନ କରାଯିବାକୁ ଥିବା କାର୍ଯ୍ୟ, ଭିତ୍ତିଭୂମିର ଉନ୍ନତିକରଣ ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀ, ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗ ଏବଂ ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢ଼ୀ ରଥଯାତ୍ରା ୨୦୨୭ ସଂପର୍କିତ ନୀତି ସଂପର୍କରେ ସୂଚନା ଦେଇଥିଲେ । ୧୧ ଫେବୃଆରୀ୨୦୨୭ ବସନ୍ତ ପଞ୍ଚମୀରେ ରଥ କାଠ ଅନୁକୂଳ ପୂଜାଠାରୁ ଆରମ୍ଭ କରି ଜୁଲାଇ ୫ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା, ୧୩ ଜୁଲାଇରେ ବାହୁଡା ଯାତ୍ରା, ୧୪ ଜୁଲାଇରେ ସୁନାବେଶ, ୧୬ ଜୁଲାଇରେ ନୀଳାଦ୍ରୀ ବିଜେ ରହିଥିବା ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ରଥଯାତ୍ରା ୨୦୨୭ ପାଇଁ ପ୍ରତି ବର୍ଷ ଭଳି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ରଥକାଠ ସଂପର୍କରେ ଦର୍ଶାଯାଇଥିଲା । ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଗତ ରଥଯାତ୍ରାରୁ ୧୦୦ ଖଣ୍ଡ କାଠ ରହିଛି ଓ ଅବଶିଷ୍ଟ ୭୬୫ ଖଣ୍ଡ କାଠ ସହିତ ଚାରମାଳ ପାଇଁ ଅତିରିକ୍ତ ତାଳ ଗଛ କାଠର ଆବଶ୍ୟକତା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ବନଖଣ୍ଡ ଅଧିକାରୀ, ନୟାଗଡ ଅନ୍ୟ ଡିଭିଜନ ସହିତ ଯୋଗାଯୋଗ କରି ଏହାର ସୁବ୍ୟବସ୍ଥା କରିବେ । ଗତ ରଥଯାତ୍ରା ସମୟରେ ବୀରହରେକୃଷ୍ଣପୁରଠାରୁ ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତାକୁ ଆଗାମୀ ରଥଯାତ୍ରା ପୂର୍ବରୁ ଜରୁରୀକାଳୀନ ମରାମତି ଓ ପୁନରୁଦ୍ଧାର କରାଯିବା ସଂପର୍କରେ ପଦକ୍ଷେପ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତମାନଙ୍କ ଯାତାୟତକୁ ସୁଗମ ହେବାକୁ ଦୃଷ୍ଟିରେ ରଖି କେତେକ ରାସ୍ତାର ପ୍ରଶସ୍ତିକରଣ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ରଥଯାତ୍ରାର ଠିକ୍ ପୂର୍ବରୁ ଜବରଦଖଲ ଉଚ୍ଛେଦରେ ସମସ୍ୟା ହେଉଥିବାରୁ ବଡଦାଣ୍ଡ ସଂଲଗ୍ନ ପ୍ରମୁଖ ରାସ୍ତାଗୁଡ଼ିକରୁ ଆଗୁଆ ଜବରଦଖଲ ଉଚ୍ଛେଦ ଏବଂ ରାସ୍ତାକଡ଼ର ଉଠାଦୋକାନୀମାନଙ୍କୁ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁଗମ ଯାତାୟାତ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀର ପ୍ରମୁଖ ସଂଯୋଗକାରୀ ରାସ୍ତାଗୁଡ଼ିକର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ମାଟିଆପଡ଼ାଠାରେ ଥିବା ବର୍ତ୍ତମାନର ରାସ୍ତାକୁ ଦୁଇ ଦିଗରୁ ଯାନବାହନ ଚଳାଚଳ ଉପଯୋଗୀ କରିବା ପାଇଁ ପ୍ରଶସ୍ତୀକରଣ କରାଯିବା ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘମିଆଦୀ ଯୋଜନାରେ ପୁରୀର କେତେକ ସ୍ଥାନରେ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଛି । ବଡ଼ଦାଣ୍ଡ ସଂଲଗ୍ନ ରାସ୍ତା ଓ ଗଳିଗୁଡ଼ିକର ଉନ୍ନତୀକରଣ କରାଯିବ । ପ୍ରମୁଖ ବସ୍ ପାର୍କିଂ ବ୍ୟବସ୍ଥା, ହାଲୁକା ମୋଟର ଯାନ ପାର୍କିଂ ବ୍ୟବସ୍ଥା,ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା, ଯାନବାହନ ନିୟୋଜନ ପାଇଁ ଆବଶ୍ୟକତା, ଆର୍ଥିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପୁରୀକୁ ସଂଯୋଗ କରୁଥିବା କେତେକ ରାସ୍ତାର ଜରୁରୀ କାଳୀନ ମରାମତି ଓ ସଂପ୍ରସାରଣ ସହିତ ଦୀର୍ଘକାଳୀନ ଭିତ୍ତିରେ କାର୍ଯ୍ୟ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ, ପାର୍କିଂ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦିଆଯାଇଛି । ରାସ୍ତା ଉନ୍ନତିକରଣ, ମରାମତି ଦୃଷ୍ଟିରୁ ପୂର୍ତ୍ତ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ରେଳ ଷ୍ଟେସନ୍ର ନୂତନ କୋଠାର ସମସ୍ତ ନିର୍ମାଣ କାର୍ଯ୍ୟ ୨୦୨୭ ରଥଯାତ୍ରାର ବହୁ ପୂର୍ବରୁ ସମ୍ପୂର୍ଣ୍ଣ କରାଯିବା ନେଇ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରିବା ପାଇଁ ଯୋଜନା ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରହିଥିବା ସ୍ୱାସ୍ଥ୍ୟଭିତ୍ତିଭୂମିର ଉନ୍ନତି କରଣ କରାଯିବ । ବାହାରୁ ଦର୍ଶନାର୍ଥୀମାନେ ଆସୁଥିବାରୁ ରଥଯାତ୍ରା ସମୟରେ ମାଳତୀପାଟପୁର ବସ୍ ଷ୍ଟାଣ୍ଡ ଠାରେ ଜନ ଗହଳିକୁ ଦୃଷ୍ଟିରେ ରଖି ସେଠାରୁ ଏକ ସ୍ଥାୟୀ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି । ଗତ ରଥଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବଡଦାଣ୍ଡର ଉଭୟପଟେ ଖୋଲାଯାଇଥିବା ଅସ୍ଥାୟୀ ଡାକ୍ତରଖାନା ସ୍ୱାସ୍ଥ୍ୟ ସେବାର ଉଲ୍ଲେଖନୀୟ ସଫଳତାକୁ ବୈଠକରେ ପ୍ରଶଂସା କରାଯାଇଥିଲା । ଆଗାମୀ ୨୦୨୭ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ଉନ୍ନତ କରାଯିବା ସଂପର୍କରେ ଆଲୋଚନା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନତ ବ୍ୟବସ୍ଥା ସହ ନିକଟସ୍ଥ ନୂତନ କୋଠାକୁ ସ୍ଥାନାନ୍ତର କରାଯିବ । ରୋଗୀମାନଙ୍କ ସ୍ଥାନାନ୍ତର ଓ ପରିଚାଳନାରେ ସ୍ୱାସ୍ଥ୍ୟ ପ୍ରଶାସନକୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ, ଷ୍ଟ୍ରେଚର୍ ବାହକ ଏବଂ ସ୍ୱେଚ୍ଛାସେବୀ ସଂଗଠନକୁ ଆଗୁଆ ଚିହ୍ନଟ କରାଯିବା ସହ ପ୍ରଶିକ୍ଷଣ ଦିଆଯିବ । ବହୁ ସଂଖ୍ୟକ ଯାନବାହନର ଚଳାଚଳକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧିକ ପାର୍କିଂ ସ୍ଥାନ ଚିହ୍ନଟ, ହାଲୁକା ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନ୍ ବିକାଶ ଭଳି ପ୍ରସ୍ତାବ ରହିଛି । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୂତନ କୋଠାକୁ ସ୍ଥାନାନ୍ତର, ସ୍ୱେଚ୍ଛାସେବୀ ଓ ଷ୍ଟ୍ରେଚର୍ ବାହକଙ୍କ ଚିହ୍ନଟ ଏବଂ ହସ୍ପିଟାଲ ମଧ୍ୟରେ ରୋଗୀଙ୍କ ଯାତାୟାତ ଓ ଜରୁରୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅବାଧ କରିଡର୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ଓ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା ସହ ସମୁଦ୍ରକୂଳରେ ଲାଇଫ୍ଗାର୍ଡ, ଉଦ୍ଧାର ଉପକରଣ, ପର୍ଯ୍ୟବେକ୍ଷଣ ଟାୱାର୍ ଓ ଜରୁରୀ ପ୍ରବେଶ ପଥର ବିକାଶ ଉପରେ ଆଲୋଚନା ହୋଇଛି । ପୁରୀ ସହରର ସ୍ୱଚ୍ଛତା ରକ୍ଷା ପାଇଁ ଯାନ୍ତ୍ରିକ ସଫେଇ, ପର୍ଯ୍ୟାପ୍ତ ସ୍ଥାୟୀ ଓ ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ଆବର୍ଜନା ପୃଥକୀକରଣ ଓ ତ୍ୱରିତ ଆବର୍ଜନା ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବଡ଼ଦାଣ୍ଡ, ପ୍ରମୁଖ ରାସ୍ତା, ପାର୍କିଂ ସ୍ଥାନ ଓ ଜନସମାଗମ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାର ସମୀକ୍ଷା, ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ କ୍ଷମତା ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା । ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ବିଦ୍ୟୁତ୍ ନେଟ୍ୱର୍କର ସୁଦୃଢ଼ୀକରଣ, ଆବଶ୍ୟକ ନୂତନ ସବ୍ଷ୍ଟେସନ୍ ଓ କେବୁଲ୍ ବ୍ୟବସ୍ଥାର ଉନ୍ନତିକରଣ ଏବଂ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ୟୁଟିଲିଟି ଉଦ୍ଦେଶ୍ୟରେ ଖନନ କାର୍ଯ୍ୟ ବନ୍ଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟେଲିକମ୍ ନେଟ୍ୱର୍କ ସୁଦୃଢ଼ କରିବା ପାଇଁ ୨୨ରୁ ୨୫ଟି ସ୍ଥାୟୀ ଟେଲିକମ୍ ଟାୱାର୍ ସ୍ଥାପନର ପ୍ରସ୍ତାବ ରହିଛି । ପ୍ରମୁଖ ରାସ୍ତା, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ ଓ ପାର୍କିଂ ସ୍ଥାନରେ ବଡ଼ ଏଲ୍ଇଡି ସ୍କ୍ରିନ୍ ସ୍ଥାପନ ଏବଂ ସେଗୁଡ଼ିକୁ ସାର୍ବଜନୀନ ଘୋଷଣା ବ୍ୟବସ୍ଥା ସହ ସଂଯୋଗ କରିବା ସଂପର୍କରେ ଆଲୋଚନା ହୋଇଛି । ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ଆଣ୍ଡ କମାଣ୍ଡ ସେଣ୍ଟର୍ ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ମାର୍ଚ୍ଚ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରି ରଥଯାତ୍ରା ପୂର୍ବରୁ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି । ଭିଡ଼ ବୃଦ୍ଧି, ରାସ୍ତା ଅବରୋଧ, ଅଗ୍ନିକାଣ୍ଡ, ଖରାପ ପାଗ, ନିଖୋଜ ବ୍ୟକ୍ତି ଓ ଯୋଗାଯୋଗ ସୁଦୃଢ ପାଇଁ ସ୍ପଷ୍ଟ ଜରୁରୀକାଳୀନ ପ୍ରୋଟୋକଲ୍, ତ୍ୱରିତ ପ୍ରତିକ୍ରିୟା ଦଳ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପୂର୍ବରୁ ବିଭିନ୍ନ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ଆଗୁଆ ଆରମ୍ଭ କରିବା, ଟେଣ୍ଡର୍ ପ୍ରକ୍ରିୟା ସମୟୋଚିତ ଭାବେ ସମ୍ପନ୍ନ କରିବା ଏବଂ ଆବଶ୍ୟକ ଆକସ୍ମିକ କାର୍ଯ୍ୟ ପାଇଁ ଅର୍ଥ ବ୍ୟବସ୍ଥା ରଖିବା ଉପରେ ମଧ୍ୟ ଆଲୋଚନା ହୋଇଛି । ୨୦୨୭ ରଥଯାତ୍ରା ପରିପ୍ରେକ୍ଷୀରେ ଆଗୁଆ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଆଗେଇ ନେବା ପାଇଁ ବିଭିନ୍ନ ବିଭାଗ ତରଫରୁ ପ୍ରସ୍ତାବ ଦେବା ଓ ସେସବୁକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି ।
