ପ୍ରଶଂସା ଦେବାକୁ କୃପଣ କିଆଁ…?
ପ୍ରଶଂସା ଦେବାକୁ କୃପଣ କିଆଁ…?
🔹ବ୍ୟଙ୍ଗକବି ନୂତନ କୁମାର ବେହେରା
ଘଡ଼ିକୁ ଘଡ଼ି ଘୋଡ଼ା ଛୁଟେ ଏଠି
ଟଳମଳ ହୁଏ ବିଚିତ୍ର ଏ ସାରା ଦୁନିଆଁ
ଜଳୁଛି ଖାଲି ହିଂସା ସ୍ବାର୍ଥର ନିଆଁ
ଚାରିଆଡ଼େ କୁହୁଡ଼ି ଯାଏ ତାର ଧୂଆଁ
ଯିଏ ଯେତେ ଭଲ କାମ କରୁ
ମିଠା କଥା ପଦେ ଶୁଣିବାକୁ ପାଏନା କାନ
ଏହାର ତାହାର ଟୁପୁରୁ ଟାପୁରୁରେ
ଯେତେ ଭଲ ହୋଇଥାଉ ରୂପ ଗୁଣରେ
ସିଙ୍ଗାଣି ନାକୀ ତ ଗାଆଁ କନିଆଁ
ଅଥଚ କାହା ମୁଣ୍ଡରେ ନାହିଁ ବାଳ ଦି ଗଣ୍ଡା
ଦିନକୁ ସାତ ଥର ବୁଲାଏ ପାନିଆଁ
ଯେ ଯା’ର ଡୋଲ ପିଟନ୍ତି ଜୋର ଶବଦେ
ଯେମିତି ବାଜୁ ତାଳେ କି ବେତାଳେ
ନିଜର ପ୍ରଶଂସା ନିଜେ କରିହୁଏ
ଫାଇଦା ପାଇଁ ଅନ୍ୟ ଆଗରେ ବୁଲାଏ ଭୂଆଁ
ଉଚିତ ଲୋକକୁ ଉଚିତ ଭାବରେ
ପ୍ରଶଂସା ଦେବାକୁ କୃପଣ ହୁଏ କିଆଁ…?
ଘରେ ଯେତେ ତାଡ଼ ଘରଣୀ ହୁଏ ଗରଗର
ମରଦ ବି ମାଇପକୁ ଦେଖାଏ ହତିଆର
ପଟାପଟ ବିଗିଡ଼ି ଯାଏ ଦୁହିଁଙ୍କର
ପରସ୍ପର ହୁଅନ୍ତି ବେଳୁ ବେଳ ଛାନିଆଁ
ଅଫିସ୍ କାର୍ଯ୍ୟାଳୟରେ ବି ଯେତେ ଖଟ
ଦିନରାତି ଦେହରୁ ନିଗାଡ଼ି ଝାଳ
ଅଫିସର ବାବୁଙ୍କ ନାଲି ଆଖି ଦାନ୍ତ କଡମଡ
ନେବା ଦେବାରେ ତ ହୁଏ ଗଡ଼ବଡ଼
ପ୍ରଶଂସା ଟିକେ ମୁହଁରୁ ବାହାରେ ନାହିଁ
ନିନ୍ଦା ଅପମାନର ଜାଳି ଦିଅନ୍ତି ନିଆଁ
ନିଜ ଲୋକକୁ ପର କରି ପରକୁ ଫୁସୁଲାଏ
ତେଲିଆ ମୁଣ୍ଡରେ ତେଲ ଢ଼ାଳି
ନିଜର କରିବାକୁ କରେ ନାନା କିମିଆଁ
ଡାହାଁଣୀ ଲଗାଇ ନିଜେ ସେ ସାଜେ ଗୁଣିଆଁ
ପ୍ରଶଂସା ଦେବାକୁ କୃପଣ ହୁଏ କିଆଁ…?
ଯିଏ ଯା’ର ଧାଇଁଛନ୍ତି ଏକମୁହାଁ
ଭଲ କିଏ ଭେଲ କିଏ ବିଚାରିବାକୁ ନାହିଁ ବେଳ
ନିଜକୁ ଭାବନ୍ତି ପାଚିଲା ସୁସ୍ଵାଦୁ ଫଳ
ଅନ୍ୟକୁ ନାକ ଟେକି କୁହନ୍ତି ଅକାଳକୁଷ୍ମାଣ୍ତ
ସଜ ମାଛରେ ପକାଇ ପୋକ
ବିଗାଡ଼ି ଦିଅନ୍ତି ବୋଝ ମୁଣ୍ଡେଇଥିବା ମୁଣ୍ଡ
ନିନ୍ଦା ଗାନେ ଶାଣ ଦିଆ ତାଙ୍କ ତୁଣ୍ଡ
ମତଲବୀ ହୋଇ କରୁଥାନ୍ତି ଖାଲି କିମିଆଁ
ଦରକାର ବେଳେ ଦିଅନ୍ତିନି ଧରାଛୁଆଁ
କିଏ ଛିଙ୍କୁ କିଏ କାଶୁ ଶୁଣି ଅତର ଛାନିଆଁ
ବଣି ବସାରେ ଢ଼ମଣା ପଶିଲା ପରି
ଅଯଥାରେ ଫଡ଼ ଫଡ଼ ହୋଇ କରନ୍ତି ଚେଁ ଚାଁ
କେତେକ ମହତ ବ୍ୟକ୍ତିଙ୍କୁ ଛାଡି ଦେଲେ
ଅନେକ ପ୍ରକୃତ ପ୍ରତିଭା ଦେଖି ପାରନ୍ତିନି ସହି
ଅନ୍ୟର ଶିରୀ ପାରନ୍ତି ନାହିଁ ହଜମ କରି
ଅପଯଶର ଅପପ୍ରଚାରରେ ରହିଥାନ୍ତି ମାତି
ଏପଟେ ସେପଟେ ଡ଼ାହାଣକୁ କରନ୍ତି ବାଆଁ
ପ୍ରଶଂସା ଦେବାକୁ କୃପଣ ହୁଅନ୍ତି କିଆଁ…?

କୋହି,ବାରିପଦା,ମୟୂରଭଞ୍ଜ।
