ଖୋରଧାରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ତେଜୁଛି ଜନଅସନ୍ତୋଷ

ଖୋରଧାରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ତେଜୁଛି ଜନଅସନ୍ତୋଷ, ଜୀବନ ଓ ଜୀବିକା ହରାଇବା ଭୟରେ ୩୦୦ରୁ ଅଧିକ ବ୍ୟବସାୟୀ lଖୋରଧା- ୧୩/୬- ଖୋରଧା ସହରର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପକୁ ନେଇ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଏକ ପଟେ ରାଜ୍ୟ ସରକାର ଖୋରଧାର ପରିବହନ ବ୍ୟବସ୍ଥାକୁ ଆଧୁନିକ କରିବା ଲକ୍ଷ୍ୟରେ ୧୧୭ କୋଟି ୭୭ ଲକ୍ଷ ୯୭ ହଜାର ୬୫୪ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା କରିଥିବା ବେଳେ, ଅନ୍ୟପଟେ ଏହି ପ୍ରକଳ୍ପ ପାଇଁ ଉଚ୍ଛେଦ ହେବାକୁ ଥିବା ୩୦୦ରୁ ଅଧିକ ବ୍ୟବସାୟୀ ନିଜର ଭବିଷ୍ୟତକୁ ନେଇ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଜୀବନ ଓ ଜୀବିକା ହରାଇବା ଆଶଙ୍କାରେ ସେମାନଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।ଖୋରଧା ସହରର ମଧ୍ୟ ଭାଗରେ ଥିବା ସାନପଲ୍ଲା ମୌଜାରେ ୧୯୯୪ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ସେତେବେଳେ ଯାତ୍ରୀମାନଙ୍କ ସୁବିଧା ଓ ଖୋରଧାର ବିକାଶକୁ ଦୃଷ୍ଟିରେ ରଖି ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ତତ୍କାଳୀନ ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତି ଏବଂ ତତ୍କାଳୀନ ଖୋରଧା ବିଧାୟକ ତଥା ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ୨୪ ଏପ୍ରିଲ ୧୯୯୪ରେ ଏହାକୁ ଲୋକାର୍ପଣ କରିଥିଲେ।ପରବର୍ତ୍ତୀ ସମୟରେ ବିଡିଏ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଖୋରଧା ପୌର ପରିଷଦକୁ ହସ୍ତାନ୍ତର କରିଥିଲା। କିନ୍ତୁ ଦୀର୍ଘ ବର୍ଷ ଧରି ବସଷ୍ଟାଣ୍ଡ ଦେଇ ଯାତାୟାତ କରୁଥିବା ବସଗୁଡ଼ିକରୁ ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ପ୍ରତି ସେତେଟା ଧ୍ୟାନ ଦିଆଯାଇନଥିବା ଅଭିଯୋଗ ହେଉଛି। ଫଳରେ ବସଷ୍ଟାଣ୍ଡଟି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ବର୍ଷାଦିନେ ପାଣି ଜମି ରହିବା, ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥାର ଅଭାବ, ଅପରିଷ୍କାର ପରିବେଶ ଓ ଅନ୍ୟାନ୍ୟ ସମସ୍ୟା ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇ ଆସୁଛି।ଏହି ସମସ୍ୟାର ସମାଧାନ ଏବଂ ଖୋରଧାକୁ ଏକ ଆଧୁନିକ ପରିବହନ କେନ୍ଦ୍ର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେହି ସ୍ଥାନରେ ୫ ଏକର ଜମି ଉପରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଡିଜିଟାଲ ସୂଚନା ପ୍ରଣାଳୀ, ପାର୍କିଂ ସୁବିଧା, ଶୌଚାଳୟ, ବାଣିଜ୍ୟିକ କମ୍ପ୍ଲେକ୍ସ ସମେତ ବିଭିନ୍ନ ସୁବିଧା ଉପଲବ୍ଧ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ତେବେ ଏହି ପ୍ରକଳ୍ପର ସବୁଠାରୁ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି ବସଷ୍ଟାଣ୍ଡ ପରିସରରେ ଥିବା ଦୋକାନୀମାନଙ୍କ ଉପରେ। ପ୍ରାୟ ୩୦ ବର୍ଷ ପୂର୍ବରୁ ଖୋରଧା ପୌର ପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଏହି ଦୋକାନଗୁଡ଼ିକୁ ବ୍ୟବସାୟୀମାନଙ୍କୁ ଆବଣ୍ଟନ କରାଯାଇଥିଲା। ସେହି ଦୋକାନକୁ ଆଧାର କରି ଅନେକ ପରିବାର ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ବର୍ତ୍ତମାନ ଏହି ଦୋକାନଗୁଡ଼ିକ ଉଚ୍ଛେଦ ହେବାକୁ ଥିବାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଛନକା ପସିଛି।ବ୍ୟବସାୟୀମାନଙ୍କ କହିବା କଥା ହେଉଛି, ସେମାନେ ଖୋରଧାର ବିକାଶ କିମ୍ବା ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରୁନାହାନ୍ତି। କିନ୍ତୁ ସେମାନଙ୍କୁ ଥଇଥାନ ଏବଂ ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରାଗଲେ ଶତାଧିକ ପରିବାର ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ। ଏହି କାରଣରୁ ସେମାନେ ବସଷ୍ଟାଣ୍ଡକୁ ସହର ଉପକଣ୍ଠରେ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ନିର୍ମାଣ କରିବାକୁ ଦାବି କରିଛନ୍ତି।ବ୍ୟବସାୟୀମାନଙ୍କ ଆଶଙ୍କାର ଆଉ ଏକ କାରଣ ହେଉଛି ନିକଟ ଅତୀତର ଅନୁଭୂତି। ଖୋରଧା ସହରକୁ କ୍ୟାବିନ ମୁକ୍ତ ସହରରେ ପରିଣତ କରିବା ପାଇଁ ପ୍ରଶାସନ ମୁଖ୍ୟ ଡାକଘର ଛକରୁ ସମବାୟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା କ୍ୟାବିନଗୁଡ଼ିକୁ ଉଚ୍ଛେଦ କରିଥିଲା। ପରେ ସେମାନଙ୍କୁ ଟିଏଲସି ରୋଡ଼ ସ୍ଥିତ ଶ୍ମଶାନ ନିକଟରେ ନିର୍ମିତ ଭେଣ୍ଡିଂ ଜୋନରେ ଥଇଥାନ କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ଚାଲିନଥିବାରୁ ଅନେକ ବ୍ୟବସାୟୀ ଆର୍ଥିକ ସଙ୍କଟରେ ପଡ଼ିଥିଲେ। କେତେକ ବ୍ୟକ୍ତି ଜୀବିକା ହରାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ପଳାୟନ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଅନୁଭୂତିକୁ ଆଧାର କରି ବର୍ତ୍ତମାନ ବସଷ୍ଟାଣ୍ଡ ବ୍ୟବସାୟୀମାନେ ମଧ୍ୟ ଭବିଷ୍ୟତକୁ ନେଇ ଆଶଙ୍କିତ ହୋଇପଡ଼ିଛନ୍ତି। ସେମାନଙ୍କ ମତରେ, ବିକାଶ ନାମରେ ଯଦି ଶତାଧିକ ପରିବାରର ଜୀବିକା ଉଜୁଡ଼ିଯାଏ, ତେବେ ତାହା ପ୍ରକୃତ ବିକାଶ ନୁହେଁ। ତେଣୁ ସରକାର ପ୍ରଥମେ ପୁନର୍ବାସ ଓ ଥଇଥାନ ନୀତି ସ୍ପଷ୍ଟ କରିବା ସହ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବାକୁ ସେମାନେ ଦାବି କରିଛନ୍ତି। ଏପଟେ ଖୋରଧାବାସୀଙ୍କ ଏକ ବଡ଼ ବର୍ଗ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣକୁ ସ୍ୱାଗତ କରୁଥିବା ବେଳେ, ଅନ୍ୟପଟେ ବ୍ୟବସାୟୀମାନଙ୍କ ଜୀବିକା ସୁରକ୍ଷା ପ୍ରଶ୍ନକୁ ମଧ୍ୟ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଉଛି। ତେଣୁ ବିକାଶ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି।ବ୍ୟବସାୟୀମାନେ ସତର୍କ କରାଇଛନ୍ତି ଯେ, ସେମାନଙ୍କ ଦାବି ଓ ସମସ୍ୟା ପ୍ରତି ସରକାର ଏବଂ ପ୍ରଶାସନ ଯଦି ଗୁରୁତ୍ୱ ନଦିଅନ୍ତି, ତେବେ ଆଗାମୀ ଦିନରେ ଏହି ପ୍ରସଙ୍ଗ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେଇପାରେ। ଫଳରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଖୋରଧା ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *