ମାଟିର ପରବ ରଜ

            ମାଟିର ପରବ ରଜ
             ( ରାଗ — ଚୋଖି )

  🖊️କବିରତ୍ନ ନୂତନ କୁମାର ବେହେରା

ମାଟିର ପରବ’ ରଜ’ ହୋଇ ଆସେ ସଜ’ବାଜ’
ବଦଳଇ ଋତୁ’ଚକ୍ର’ ନିଦାଘ ଅନ୍ତେ’
ଗଗନରେ ମେଘ’ମାଳା’ ଭାସୁଥାଏ ଭେଳା’ ଭେଳା’
ସାଗର ବୁକୁରେ’ ନାବ ଯେମନ୍ତେ’
ଛାଇ ଖରା ଖେଳ’ ଦିବସେ’
ଆସଇ ବରଷା’ କାଳ’ ଭବେ ହରଷେ’/୧/

ଆଦ୍ୟ ଆଷାଢ଼ର ତିଥି ରଜ ପରବ ଅତିଥି
ପହିଲି ଦିନଟି ରଜ ହୁଏ ଗଣନା,
ଦ୍ଵିତୀୟେ ରଜ ସଂକ୍ରାନ୍ତି ଉତ୍ସବ ମୁଖର ଅତି
ଅବସର ବିନୋଦନେ ଶୁଭକାମନା,
ଅନ୍ତମରେ ଭୂମି ଦହନ
କୃଷିକାର୍ଯ୍ୟ ଅବ୍ୟାହତି ରହେ ଏ ଦିନ/୨/

ମାଟି ମାଆ ବସୁମତୀ ରଜସ୍ଵଳା ରୀତିନୀତି
ପାଳନେ ହୁଅଇ ପୂଜା ବିଧି ପୂର୍ବକ,
ଚାଷ ଲାଗି ଗୃହେ ଚଷା ମନେ ବାନ୍ଧି ତାର ଆଶା
ପ୍ରସ୍ତୁତେ କରଇ ଚିନ୍ତା ହୋଇ ଭାବୁକ,
ମଉସୁମୀ ଆଣେ ବରଷା
ନୀରସ ମାଟି ଭେଦାଇ ଦିଏ ଭରସା/୩/

ଆନନ୍ଦ ଉଲ୍ଲାସେ ମିଶି ରଜ ଦୋଳି ଝୁଲା ଖୁସି
ବାଡ଼ୁଅ ଦୁହିତା ସବୁ କରନ୍ତି ମେଳେ,
ନାଚ ଗୀତ ଲୋକକଳା ପ୍ରଦର୍ଶିତେ ହୁଏ ମେଳା
ଏଇ ତିନି ଦିନ ଧରି ବିରତି କାଳେ,
ଭାତୃଭାବେ ବନ୍ଧୁ ମିଳନେ
ଦୁଃଖ ସୁଖ ବାଣ୍ଟିଥାନ୍ତି ସମୂହ ଜନେ/୪/

ମାଟିର ପରବ ରଜ ଆନନ୍ଦେ କରି ମଉଜ
ଗଣପର୍ବ ରୂପେ ପାଳି ବିତଇ ଦିନ,
ଐତିହ୍ୟ ସଂସ୍କୃତି ଆଦି ସଂପର୍କରେ ରଖେ ଛନ୍ଦି
ସଂସାରରେ ମଧୁମୟ ହୁଏ ଜୀବନ,
ଜାତିର ଏକତା ସଂହତି
ରକ୍ଷାକରି ପ୍ରତି ପ୍ରାଣେ ଦିଅଇ ତୃପ୍ତି/୫/

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ନବସୃଜନ’ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *