ସାଇବର ଠକେଇରେ ହରାଇଥିବା ୧୬,୮୧,୨୮୪ ଟଙ୍କା ଫେରାଇଲା ପୁରୀ ସାଇବର ପୋଲିସ
ସାଇବର ଠକେଇରେ ହରାଇଥିବା ୧୬,୮୧,୨୮୪ ଟଙ୍କା ଫେରାଇଲା ପୁରୀ ସାଇବର ପୋଲିସ l ପୁରୀ ଜିଲ୍ଲାରେ ସାଇବର ଅପରାଧ ନିୟନ୍ତ୍ରଣ ଓ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ପୁରୀ ପୋଲିସ ସଦା ସଚେତନ ଭାବେ କାର୍ଯ୍ୟ କରୁଛି। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ସାଇବର ପୋଲିସ ଏକ ମୋବାଇଲ ଇନଭେଷ୍ଟମେଣ୍ଟ ଫଣ୍ଡ ଠକେଇ ମାମଲାରେ ପୀଡ଼ିତଙ୍କ ହରାଇଥିବା ବୃହତ ରାଶିର ଅର୍ଥ ଫେରାଇବାରେ ସଫଳ ହୋଇଛି।ପୁରୀ ସାଇବର ଥାନା କେସ୍ ନଂ ୧୭/୨୫ ଅନୁଯାୟୀ ଶ୍ରୀ ପି. କ୍ରୀଷ୍ଣ ପ୍ରସନ୍ନ ନାମକ ଜଣେ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଏକ ଭୁଆ ମୋବାଇଲ ଇନଭେଷ୍ଟମେଣ୍ଟ ଫଣ୍ଡରେ ନିବେଶ କରି ଠକେଇର ଶିକାର ହୋଇଥିଲେ। ଠକେଇବାଜମାନେ ଅଧିକ ଲାଭର ପ୍ରଲୋଭନ ଦେଇ ପୀଡ଼ିତଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଜମା କରାଇଥିଲେ। ପରେ ସେ ଠକେଇ ଘଟିଥିବା ବିଷୟରେ ଅବଗତ ହୋଇ ପୁରୀ ସାଇବର ପୋଲିସ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ପୁରୀ ସାଇବର ପୋଲିସ ତୁରନ୍ତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ଖାତା, ଡିଜିଟାଲ ଟ୍ରାଞ୍ଜାକ୍ସନ ଓ ଟେକ୍ନିକାଲ ତଥ୍ୟର ସୂକ୍ଷ୍ମ ବିଶ୍ଳେଷଣ ମାଧ୍ୟମରେ ଠକେଇ ସହ ଜଡିତ ଟଙ୍କାକୁ ଚିହ୍ନଟ କରାଯାଇଥିଲା। ସମୟୋପଯୁକ୍ତ ପଦକ୍ଷେପ ଗ୍ରହଣ କରି ସଂପୃକ୍ତ ବ୍ୟାଙ୍କ ଖାତାଗୁଡ଼ିକୁ ହୋଲ୍ଡ କରାଯାଇଥିଲା। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ପୀଡ଼ିତଙ୍କ ହରାଇଥିବା ୧୬,୮୧,୨୮୪/- ସଫଳତାର ସହିତ ଫେରାଇ ଦିଆଯାଇଛି। ପୀଡ଼ିତ ଏହି ଟଙ୍କା ପୁନରୁଦ୍ଧାର ହେବା ପରେ ପୁରୀ ପୋଲିସଙ୍କ ତ୍ୱରିତ ଓ ପ୍ରଭାବଶାଳୀ କାର୍ଯ୍ୟପ୍ରଣାଳୀ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏହି ଘଟଣା ପୁନର୍ବାର ପ୍ରମାଣ କରିଛି ଯେ ସାଇବର ଠକେଇରେ ପୀଡ଼ିତ ହେଲେ ତୁରନ୍ତ ନିକଟସ୍ଥ ସାଇବର ପୋଲିସ ଥାନା କିମ୍ବା ଜାତୀୟ ସାଇବର ହେଲ୍ପଲାଇନ ୧୯୩୦ ରେ ଯୋଗାଯୋଗ କଲେ ହରାଇଥିବା ଅର୍ଥ ଫେରାଇବା ସମ୍ଭାବନା ବଢ଼ିଯାଏ।ପୁରୀ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ,ଅଜଣା ନିବେଶ ଲିଙ୍କ କିମ୍ବା ଆପ୍ରେ ଟଙ୍କା ନିବେଶ କରନ୍ତୁ ନାହିଁ। ଅତ୍ୟଧିକ ଲାଭର ପ୍ରଲୋଭନ ଦେଉଥିବା ଅନଲାଇନ ପ୍ରସ୍ତାବରୁ ସତର୍କ ରୁହନ୍ତୁ। ବ୍ୟକ୍ତିଗତ ବ୍ୟାଙ୍କ ସୂଚନା, OTP କିମ୍ବା PIN କାହାକୁ ମଧ୍ୟ ଶେୟର କରନ୍ତୁ ନାହିଁ। ସନ୍ଦେହଜନକ ଅନଲାଇନ ଲେନଦେନ ଘଟିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ।ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ସାଇବର ଅପରାଧ ବିରୋଧରେ କଠୋର ପଦକ୍ଷେପ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିରନ୍ତର କାମ କରିବ।
