ପୁରୀ ପୋଲିସର ଅଗଷ୍ଟ ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ

*ପୁରୀ ପୋଲିସର ଅଗଷ୍ଟ ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ: ସ୍ମାର୍ଟ ପୋଲିସିଂ, ଗୁଣାତ୍ମକ ତଦନ୍ତ ଓ ଜନବିଶ୍ୱାସ ସୁଦୃଢୀକରଣ ଉପରେ ଗୁରୁତ୍ୱ*ପୁରୀ ପୋଲିସ ପକ୍ଷରୁ ଅଗଷ୍ଟ ୨୦୨୬ ମାସର ମାସିକ ଅପରାଧ ସମୀକ୍ଷା ବୈଠକ ଆଜି ପୁରୀ ଟାଉନ ଥାନା କନଫରେନ୍ସ ହଲ୍‌ରେ ଆୟୋଜିତ ହୋଇଥିଲା। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, ସମସ୍ତ ଏସ୍‌ଡିପିଓ, ସମସ୍ତ ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ଜିଲ୍ଲାର ଅପରାଧ ପରିସ୍ଥିତି, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଚାଲୁଥିବା ମାମଲାଗୁଡ଼ିକର ତଦନ୍ତର ଅଗ୍ରଗତି ଓ ନ୍ୟାୟିକ ପ୍ରକ୍ରିୟାର ଅବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ଥାନାର କାର୍ଯ୍ୟଦକ୍ଷତା, ମାମଲା ରୁଜୁ, ତଦନ୍ତର ଗୁଣବତ୍ତା, ଚାର୍ଜଶିଟ ଦାଖଲର ସମୟବଦ୍ଧତା ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତଥ୍ୟଭିତ୍ତିକ ଭାବେ ଆକଳନ କରାଯାଇଥିଲା। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ, ଅପରାଧ ଘଟିବା ପରେ କେବଳ ତଦନ୍ତ କରିବା ନୁହେଁ, ବରଂ ଅପରାଧକୁ ପୂର୍ବରୁ ରୋକିବା ପାଇଁ ପ୍ରତିରୋଧମୂଳକ ପୋଲିସିଂକୁ ଅଧିକ ସୁଦୃଢ କରିବା ସମୟର ଆବଶ୍ୟକତା। ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜରଦାରୀ, ଅଭ୍ୟାସଗତ ଅପରାଧୀଙ୍କ ଗତିବିଧି ଉପରେ ନିୟମିତ ଅନୁଧ୍ୟାନ, ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଅପରାଧ ପ୍ରବଣ ସ୍ଥାନଗୁଡ଼ିକରେ ନିୟମିତ ଯାଞ୍ଚକୁ ଆହୁରି ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଠକରେ ଗୁଣାତ୍ମକ ତଦନ୍ତକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା। ବୈଜ୍ଞାନିକ ପ୍ରମାଣ ସଂଗ୍ରହ, ଫୋରେନ୍ସିକ ସହାୟତା, ଡିଏନ୍‌ଏ ନମୁନା ସଂଗ୍ରହ, ଡିଜିଟାଲ ସାକ୍ଷ୍ୟର ସଂରକ୍ଷଣ, e-Sakhya ପ୍ରଣାଳୀର ପ୍ରଭାବଶାଳୀ ବ୍ୟବହାର ଏବଂ ତଦନ୍ତର ପ୍ରତ୍ୟେକ ପର୍ଯ୍ୟାୟକୁ ଆଇନସମ୍ମତ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ନ୍ୟାୟାଳୟରେ ଦୋଷୀଙ୍କୁ ଦଣ୍ଡିତ କରିବାରେ ଦୃଢ଼ ସାକ୍ଷ୍ୟ ଏବଂ ସୁସଂଗଠିତ ଚାର୍ଜଶିଟର ଗୁରୁତ୍ୱ ଉପରେ ମଧ୍ୟ ବିଶେଷ ଆଲୋକପାତ କରାଯାଇଥିଲା। ଆଧୁନିକ ପୋଲିସିଂ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଉଦ୍ଦେଶ୍ୟରେ ସିସିଟିଭି ନେଟୱାର୍କର ଫଳପ୍ରଦ ବ୍ୟବହାର, ସାଇବର ଇଣ୍ଟେଲିଜେନ୍ସ, ଡିଜିଟାଲ ଡାଟା ବିଶ୍ଳେଷଣ ଓ ପ୍ରଯୁକ୍ତିନିର୍ଭର ତଦନ୍ତ ପ୍ରଣାଳୀକୁ ଆହୁରି ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାଧର ପ୍ରକୃତି ଅନୁଯାୟୀ ପ୍ରଯୁକ୍ତିର ସଠିକ୍ ବ୍ୟବହାର କରି ତଦନ୍ତର ଗତି ଓ ସଫଳତା ବଢ଼ାଇବା ଉପରେ ଜୋର ଦିଆଯାଇଥିଲା। ପୁରୀ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କେନ୍ଦ୍ର ହୋଇଥିବାରୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକଙ୍କୁ ଶୀଘ୍ର ସହାୟତା, ଟୁରିଷ୍ଟ ହେଲ୍ପ ସେବାର ସୁଦୃଢୀକରଣ, ସମୁଦ୍ରକୂଳ, ମନ୍ଦିର ପରିସର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଜରୁରୀକାଳୀନ ସେବା Dial-112 ର କାର୍ଯ୍ୟକ୍ଷମତା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜରୁରୀ କଲ୍ ପାଇବା ପରେ ସର୍ବନିମ୍ନ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସମସ୍ତ ଫିଲ୍ଡ ୟୁନିଟ୍‌କୁ ସଜାଗ ଓ ସକ୍ରିୟ ରହିବାକୁ କୁହାଯାଇଥିଲା। ଏହା ସହିତ କମ୍ୟୁନିଟି ପୋଲିସିଂକୁ ଆହୁରି ବ୍ୟାପକ କରି ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ବୃଦ୍ଧି, ସଚେତନତା କାର୍ଯ୍ୟକ୍ରମ, ଜନଅଭିଯୋଗର ତ୍ୱରିତ ସମାଧାନ ଏବଂ ଥାନାଗୁଡ଼ିକରେ ନାଗରିକ-ବନ୍ଧବ ପରିବେଶ ସୃଷ୍ଟି ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ କର୍ମଚାରୀଙ୍କ କଳ୍ୟାଣ, କାର୍ଯ୍ୟଦକ୍ଷତା ଓ ମାନସିକ ସୁସ୍ଥତା ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମଚାରୀମାନଙ୍କ ସୁବିଧା, ମନୋବଳ ବୃଦ୍ଧି, ପ୍ରଶିକ୍ଷଣ ଓ ଉତ୍ତମ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଜାରି ରଖିବାକୁ ଏସ୍ପି ଗୁରୁତ୍ୱ ଦେଇଥିଲେ। ଶେଷରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ସଚ୍ଚୋଟତା, ସମନ୍ୱୟ ଓ ଟିମ୍‌ୱର୍କର ସହ କାର୍ଯ୍ୟ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା, ଜନସାଧାରଣଙ୍କ ବିଶ୍ୱାସ ଅକ୍ଷୁଣ୍ଣ ରଖିବା ଏବଂ ପୁରୀକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନାଗରିକ ବନ୍ଧବ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *