ପ୍ରଶ୍ନୋତ୍ତର

                     ପ୍ରଶ୍ନୋତ୍ତର

  🔹କବିରତ୍ନ ନୂତନ କୁମାର ବେହେରା

                  ପ୍ରଶ୍ନ

ଜିଜ୍ଞାସୁ ଯିଏ ମନକୁ ତାର ଆସେ ନିରନ୍ତର
ସାଗରର ଲହରୀ ପରି ଅସଂଖ୍ୟ ପ୍ରଶ୍ନ,
କିଏ କଣ ପାଇଁ କାହିଁକି କିପରି ହୋଇଛି ଏମିତି
କେବେ କେଉଁଠି…ନାନା ଶବ୍ଦେ ହୁଏ ଉତ୍ଥାପନ ।
ଅନୁସନ୍ଧାନରେ କରି ବିଶେଷ ନୀରିକ୍ଷଣ
ଜଳର ସମୀପେ ପହଞ୍ଚିଥାଏ ଯେପରି ତୃଷାର୍ତ୍ତ,
ତଦ୍ରୂପେ ଅଜ୍ଞରୁ ହେବାକୁ ବିଜ୍ଞ ଜିଜ୍ଞାସୁ ବ୍ୟକ୍ତି
ପ୍ରଶ୍ନୋତ୍ତର ଖୋଜୁଥାଏ ପ୍ରତି ମୁହୂର୍ତ୍ତ ।
ବିଜ୍ଞାନ ସମ୍ମତ ଉତ୍ତର ପାଇଲେ ଯଥାର୍ଥ
ଆତ୍ମସନ୍ତୋଷେ କରେ ସେ ଜ୍ଞାନକୁ ହୃଦେ ଗ୍ରହଣ,
ପ୍ରଶ୍ନର ଉତ୍ତର ହୁଏ ଯଦି ପୁଣି ସେଇ ପ୍ରଶ୍ନ
ବିଚଳିତେ ରହିଥାଏ ହୁଏନାହିଁ ପ୍ରସନ୍ନ ।
ଜୀବନଟା କେବଳ ପ୍ରଶ୍ନବାଚୀ ଶବ୍ଦର ଭଣ୍ଡାର
ପାଇଲେ ବି ଯେତେ ଉତ୍ତର ପ୍ରଶ୍ନର ହୁଏନା ଶେଷ,
ଅସରନ୍ତି ଦ୍ଵନ୍ଦ୍ଵର ଛନ୍ଦ କରୁଥାଏ ବିଭ୍ରାନ୍ତ
ସନ୍ତୁଳିତ ମନରେ ରହିଯାଏ ଅତୃପ୍ତିର ଅବଶୋଷ ।
କିଛିରେ ଆସେନାହିଁ ତୃପ୍ତି ମିଳେନାହିଁ ଶାନ୍ତି
ଉପସମ ହୁଏ ନାହିଁ ଯେତେ କଠିନ ଶ୍ରମ କ୍ଳାନ୍ତି,
ଜଟିଳ ଜଞ୍ଜାଳ ଜାଲେ ଛନ୍ଦି ହୋଇ ରହିଥାଏ ଚିନ୍ତି
ମନ ମସ୍ତିଷ୍କ ହୃଦୟରୁ ଦୂର ହୁଏ ନାହିଁ ଭ୍ରାନ୍ତି ।

                   ଉତ୍ତର

ଏତେ ପ୍ରଶ୍ନ ଆସୁଛି କେଉଁଠାରୁ ପ୍ରଶ୍ନକର୍ତ୍ତା କିଏ
ମନ କଣ…ଜୀବନ କଣ…ଲକ୍ଷ୍ୟ ଉଦ୍ଦେଶ୍ୟ କଣ,
ସେ କିଏ…ମୁଁ କିଏ…ମୋର ଅସ୍ତିତ୍ବ ସ୍ଥାୟୀତ୍ବ କଣ
ନ ଜାଣି ଜିଜ୍ଞାସୁ ସବୁଦିନ ରହିଥାଏ ଅଜ୍ଞାନ ।
ଅନ୍ତର୍ମୁଖୀ ହୋଇ ଯେବେ ଜାଣେ ଆତ୍ମାର ସତ୍ତାକୁ
ସେ ମହାସିନ୍ଧୁର କେବଳ ନିମିତ୍ତ ମାତ୍ରର ଏକ ବିନ୍ଦୁ,
ଶିଷ୍ୟ ହୋଇ ପରମ ଗୁରୁଙ୍କର ପାଏ ସାନ୍ନିଧ୍ୟ
ସବୁ ପ୍ରଶ୍ନର ଉତ୍ତର ପାଇ ବର୍ତ୍ତି ରହେ କପଟ ଛନ୍ଦୁ ।
ଭାଣ୍ଡ ଭିତରେ କରି ବ୍ରହ୍ମାଣ୍ଡର ସୂକ୍ଷ୍ମ ଦର୍ଶନ
ସବୁ ଅହଙ୍କାରକୁ ତ୍ୟାଗ କରି ତହିଁରେ ହୁଏ ଲୀନ,
ମୁଁ ଆଉ ମୋର ବୋଲି କିଛିରେ ରଖେନା ଗ୍ଳାନି
ଜୀବତତ୍ତ୍ଵର ଅନୁସରଣରେ ରହେ ଚେତନ ।
ଜନ୍ମମୃତ୍ୟୁର ସଂସାର ବନ୍ଧନରେ ଜୀବନ
ସତତ ରହିଥାଏ ନିର୍ବିକାର ନିରଞ୍ଜନ ନିର୍ଲିପ୍ତ,
ଭୟ ଭ୍ରାନ୍ତି ଆଶା ଆଶଙ୍କାର ପ୍ରଶ୍ନବାଣ
କ୍ଷତାକ୍ତ କରେ ନାହିଁ…ମୋକ୍ଷ ପ୍ରାପ୍ତିରେ ହୁଏ ଲୁପ୍ତ ।
ପ୍ରତିଟି ଜୀବନରେ ଚାଲିଥାଏ ପ୍ରଶ୍ନୋତ୍ତର
ପ୍ରକୃତିର ରୂପାନ୍ତର ହେଲା ଭଳି ଚାଲେ କ୍ରମଶଃ,
ଦ୍ରଷ୍ଟା ଯେ ସବୁ ଦୃଶ୍ୟର ସ୍ଵୟଂ ସ୍ରଷ୍ଟା ଆଉ ପ୍ରଶ୍ନକର୍ତ୍ତା
ପ୍ରଶ୍ନ କରୁଥାଏ ଅହର୍ନିଶି ହୁଏ ନାହିଁ ଶେଷ।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *