ମହାପ୍ରଭୁଙ୍କ ବାହୁଡା ଯାତ୍ରାର ପ୍ରସ୍ତୁତି ଆରମ୍ଭ

ଆସନ୍ତା ୨୪ ତାରିଖରେ ବାହୁଡ଼ାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନିବାଡ଼ରୁ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ରଥର ବ୍ରେକ ଓ ଦଉଡି ଭୋଇ ସେବକଙ୍କ ଦ୍ଵାରା ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣ ମୋଡ଼ ପାଇଁ ଅସ୍ଥାୟୀ ବାଲି ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଠାରେ ଲାଗିଥିଲା।

ସେପଟେ ଆଜି ଅପରାହ୍ନରେ ପାଗରେ ହଠାତ୍ ପରିବର୍ତ୍ତନ ଆସିଥିଲା। ବର୍ଷା କୁ ଖାତିର ନକରି ସୁରକ୍ଷା ବାହିନୀ ଓ ଶ୍ରଦ୍ଧାଳୁ ମାନେ ରଥ ଦକ୍ଷିଣ ମୋଡ଼ ରେ ସାମିଲ୍ ହୋଇଥିଲେ। ଦର୍ପଦଳନ ରଥ ପରେ ତାଳଧ୍ଵଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଥାଏ। ତେବେ ଦେବୀ ସୁଭଦ୍ରାଙ୍କ ରଥଟଣା ପରେ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ତାଳଧ୍ଵଜ ରଥଟଣା ପ୍ରକ୍ରିୟା। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୨୩ ତାରିଖ ରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୪ ତାରିଖ ବାହୁଡା଼ ପାଇଁ ସଅଳ ନୀତି କାନ୍ତି କରାଯିବ।‌

Leave a Reply

Your email address will not be published. Required fields are marked *