ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ର ଗଣତିମଣତ କାର୍ଯ୍ୟ ଶେଷ
ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଅଛି। ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବା ବେଳେ ମହାପ୍ରଭୁଙ୍କ ୯ ଗୋଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ କରାଯାଇଥିଲା।ତେବେ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀ ଅଳଙ୍କାରର ଗଣତି ଓ ମେଳକ ହୋଇ ପାରିନଥିଲା।ଶ୍ରୀଜିଉଙ୍କ ରୂପାରସିକ ଶୁଆ ଥଣ୍ଟିଆ ତିନି ଗୋଟି,ରାହୁ ରେଖା ତିନି ଗୋଟି ଓ ରତ୍ନ ଚିତା ତିନି ଗୋଟିର ଗଣତି ଓ ମେଳକ କରାଯାଇଥିଲା।ସମସ୍ତ ଅଳଙ୍କାରର ଓଜନ ମାପ ପରେ ଥ୍ରୀ ଡି ଗ୍ରାଫି ଓ ଭିଡିଓଗ୍ରାଫି ସହ ରତ୍ନ ବିଶାରଦ ମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଇଥିଲା। ତେବେ ଖଟ ଶେଯ ଘର ନିକଟରେ ଏହି ମୂଲ୍ୟବାନ ଅଳଙ୍କାର ସବୁର ଗଣତି ଓ ମେଳକ କାର୍ଯ୍ୟ ହୋଇଥିଲା । ଏ ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି କରାଯାଇ ପାରି ନଥିଲା। ତେବେ ସ୍ନାନପୂର୍ଣ୍ଣିମା ପରେ ରାହୁ ରେଖା,ଚିତା, ଅଣ୍ଟା ପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରିବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି କାର୍ଯ୍ୟ ହୋଇଛି। ଅନ୍ୟ ପକ୍ଷରେ ଶ୍ରୀଜିଉଙ୍କ ଝୋବାକଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଏହାର ଗଣତି ହୋଇ ପାରିନାହିଁ ।ତେବେ ଆଜି ପୂର୍ବାହ୍ନ ୧୧ ଟା ୩୧ ରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୧ ଟା ୫୮ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ହୋଇଥିଲା। ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭୮ ଘଣ୍ଟା ୩ ମିନିଟ୍ ର ଗଣତି କାର୍ଯ୍ୟ ହୋଇଥିବା ଆଜିର ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।
