ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତାକୁ ନେଇ ରାଜ୍ୟବ୍ୟାପୀ ଜନସଂପୃକ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଭୁବନେଶ୍ୱର, ତା-୦୫.୦୬.୨୦୨୬ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ରାଜ୍ୟବ୍ୟାପୀ ଜନସଂପୃକ୍ତି ଓ ସଚେତନତା କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ବିସ୍ତୃତ ଆଲୋଚନା କରିଛନ୍ତି । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ଯୋଜନା ସଂପର୍କିତ ବିଭିନ୍ନ କ୍ଷେତ୍ରରେ ଅନେକ ବିକାଶମୂଳକ, କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି । ଏହି ସଫଳତାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ତିନି ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ ଓ ବିକାଶର ରୂପରେଖ ଉପସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ପାରସ୍ପରିକ ଆଲୋଚନା, ମତାମତ ଗ୍ରହଣ ସହ ବିଭିନ୍ନ ଯୋଜନାର ଲାଭ କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ସହ କାର୍ଯ୍ୟକ୍ରମଗୁଡ଼ିକର ସଫଳ ଆୟୋଜନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ଆଜି ଜିଲ୍ଲାପାଳମାନଙ୍କ ସହିତ ଆୟୋଜନ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଜୁନ ୧୨ ତାରିଖରୁ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଜନସଂପୃକ୍ତି କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ସଚେତନତା ଶିବିର ଓ ଜନସମ୍ବାଦ ଆୟୋଜନ କରାଯିବା ନେଇ ଶିଳ୍ପ, ଗୃହ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିସ୍ତୃତ ଉପସ୍ଥାପନ କରିଥିଲେ । ଏହା ଅନ୍ତର୍ଗତ ଜିଲ୍ଲା ସ୍ତରରେ ‘ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର, ସରକାରୀ ଯୋଜନା ଓ ସଫଳତାର ତିନି ଦିନିଆ ପ୍ରଦର୍ଶନୀ, ବିଭିନ୍ନ ପ୍ରକଳ୍ପ ପରିଦର୍ଶନ, ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ସମ୍ପର୍କିତ କାର୍ଯ୍ୟକ୍ରମ, ଜୈବିକ କୃଷି କର୍ମଶାଳା ଏବଂ ଗଣମାଧ୍ୟମ ପ୍ରତିନିଧି ଓ ମତାମତ ପ୍ରଦାନକାରୀଙ୍କ ସହ ଆଲୋଚନା ସଂପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ମହିଳା ସଶକ୍ତିକରଣ, କୃଷି, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ, ଜୀବିକା, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତାକୁ ବିଶେଷ ଭାବେ ଉପସ୍ଥାପନ କରିବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ବ୍ଲକ ଓ ଗ୍ରାମ ପଂଚାୟତସ୍ତରରେ କାର୍ଯ୍ୟକ୍ରମ ଗୁଡିକ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିଭିନ୍ନ ବିଭାଗ ସମନ୍ୱୟରେ କରାଯିବା ନେଇ ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଉପସ୍ଥାପନ କରିଥିଲେ । ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସାମିଲ କରି ସଚେତନତା ଓ ସେବା ପ୍ରଦାନ ଶିବିର ଆୟୋଜନ କରାଯିବ । ବ୍ଲକ ସ୍ତରରେ ବିଭିନ୍ନ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ସହିତ ପିଏମ୍ ସୂର୍ଯ୍ୟ ଘର, ପିଏମ୍ ସ୍ୱନିଧି, ଗ୍ରାମୀଣ ଭିତ୍ତିଭୂମି, ଗ୍ରାମୀଣ ହାଉସିଂ ପ୍ରକଳ୍ପ, ରାସ୍ତା, ସେତୁ, କମ୍ୟୁନିଟି ପ୍ରକଳ୍ପ, ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ଓ ଲଖପତି ଦିଦି ହିତାଧିକାରୀ ଆଦି ସଂପୃକ୍ତିରେ ସପ୍ତାହ ବ୍ୟାପୀ ପ୍ରଦର୍ଶନୀ ଆୟୋଜନ ହେବ । ତତ୍ ସହିତ ବିଭିନ୍ନ ପ୍ରସଙ୍ଗ ଯଥା ଜାତି-ଜନଜାତି ସମାବେଶ, କୃଷକ ସମ୍ବାଦ, ସୁଭଦ୍ରା ଶକ୍ତି ସମାବେଶ , ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସୁବିଧା ପ୍ରଦାନ, ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ବଣ୍ଟନ ଆଦି ପ୍ରସଙ୍ଗ ଭିତ୍ତିକ ବିଭିନ୍ନ ଆଲୋଚନା ଚକ୍ର ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଏଥି ସହିତ ରାଜ୍ୟ ବ୍ୟାପୀ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ବେଳେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ପାନୀୟ ଜଳ, ଅଂଶୁଘାତ ପ୍ରତିକାରାତ୍ମକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ଆନୁଷଙ୍ଗିକ ସୁବିଧା କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ସମସ୍ତ ବିଭାଗ, ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
