ଧୁମଧାମରେ ପାଳିତ ହୋଇଯାଇଛି ଗ୍ରହରାଜ ଶନିଦେବଙ୍କର ୭୫ତମ ବାର୍ଷିକ ମେଳା ଉତ୍ସବ
**ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶୁକ୍ରବାର ବିଳମ୍ବ ରାତି ଠୁଁ ବିଭିନ୍ନ ଆଡୁ ଛୁଟିଛି ଲୋକଙ୍କ ସୁଅ । ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଛନ୍ତି । ସେପଟେ ମେଳାକୁ ଶୃଙ୍ଖଳିତ କରିବାପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି । ସେପଟେ ଜିଲ୍ଲାରେ ନିର୍ବାଚନ ପର୍ବ ଚାଲିଥିବା ବେଳେ ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନ ଘଡେଇ ଶନିଶ୍ଟରଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି ।

ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଶନିଶ୍ଚର ଦେବଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଏହି ଅବସରରେ ମନ୍ଦିର ପରିସରରେ ଭଜନ କିର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପୂଜକ ପୁରୋହିତ । ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଆସିଛି । ଏହି ପୀଠରେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡିରେ ଆସି ଜଳାଭିଷେକ କରିଛନ୍ତି । ଦିଅଁ ଦର୍ଶନ ସାଙ୍ଗକୁ ଠାକୁରଙ୍କ ନିକଟରେ ଭୋଗ ଲଗାଇଛନ୍ତି । ଏଠାକାର ଶନିଦେବତା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ବାସ ରହିଛି । ସେଥିଲାଗି ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥିବାର ଲକ୍ଷ୍ୟ କରାଯାଇଛି । ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତିଶୃଙ୍ଖଳାରେ ଠାକୁର ଦର୍ଶନ କରିବେ ସେଥିଲାଗି ମେଳା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ମେଳା ପରିସରରେ ଲମ୍ବା ବାରିକେଟ ଠାରୁ ଆରମ୍ଭ କରି ପ୍ରଚଣ୍ଡ ଖରାରେ ବିଜୁଳି ପଙ୍ଖା ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି । ମହିଳା ଓ ପୁରୁଷ ମାନେ ଅଲଗା ଅଲଗା ଧାଡିରେ ରହି ଗ୍ରହରାଜଙ୍କ ଦର୍ଶନ କରୁଛନ୍ତି । ଦର୍ଶନ ପରେ ମେଳା ବୁଲି ଘରକରଣା ଜିନିଷ କିଣୁଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଯାଜପୁର ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ଶନିଶ୍ଚରଙ୍କ ମେଳା ପାଳିତ ହେଉଥିଲେ ହେଁ ରାଛିପୁରର ଶନି ମହୋତ୍ସବ ସ୍ବତନ୍ତ୍ର ଓ ନିଆରା ।ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
