ସ୍ବର୍ଗତ ଶରତ ମିଶ୍ରଙ୍କ ୧୯ ତମ ଶ୍ରାଦ୍ଧବାର୍ଷିକୀରେ ପାଠଚକ୍ର

ହିଞ୍ଜିଳିକାଟୁ:-୧୩/୦୭ (ବରିଷ୍ଠ ଭାଜପା ନେତା ତଥା ସମାଜସେବୀ ସ୍ବର୍ଗତ ଶରତ ମିଶ୍ରଙ୍କ ଉନବିଂଶତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅବସରରେ ଶରତ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାର ସକାଳେ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଏକ ଗଣଦୈଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକ ପ୍ରତାପ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

ଶତାଧିକ ଭାଜପା କର୍ମୀ ଆୟୋଜିତ ଗଣଦୈଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ଥାନୀୟ ପୈରାଞ୍ଚଳ ଆରଏମସି ଛକ ଠାରୁ ବାହାରି ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ଗଣଦୈଡରେ ସାମିଲ ହୋଇଥିଲେ। ପରେ ହିଞ୍ଜିଳିକାଟୁ ବ୍ଳକ୍ ବୁରୁପୋଡା ପଞ୍ଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ସ୍ମୃତି କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ନିର୍ମଳ ସାହୁଙ୍କ ଅଧ୍ୟକ୍ଷତାରେ ଓଡିଶାର ଅର୍ଥନୀତିରେ ଗଞ୍ଜାମର ଅବଦାନ ସମ୍ବନ୍ଧୀୟ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବଡ ମେଡ଼ିକାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଶିବିରରେ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଆୟୋଜିତ ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୋରଡା ବିଧାୟକ ନିଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କନ୍ଧମାଳ ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର, ଗଜପତି ଜିଲ୍ଲା ଆଦିବାସୀ ସମାଜ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ହିଞ୍ଜିଳି ଭାଜପା ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥି ବୃନ୍ଦ ସ୍ବର୍ଗତ ମିଶ୍ରଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ସକାଶେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ମିଶ୍ର ଜଣେ ସରଳ, ସଚ୍ଚୋଟ ଓ ପରୋପକାରୀ ଦରଦୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ଖ୍ୟାତି ଅର୍ଜ୍ଜନ କରିଥିଲେ।‌ ଗଞ୍ଜାମ ରାଜନୀତିରେ ସ୍ବର୍ଗତ ମିଶ୍ର ପ୍ରତ୍ୟକ୍ଷ ଭାବେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ବୋଲି ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ହେଉଥିବାରୁ ସହରରେ ଏକ ବାଇପାସ୍ ରାସ୍ତା ନିର୍ମାଣ କରିବା ପାଇଁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମାଧବ ଗୈାଡ, ରାକେଶ ରଥ, ଅନ୍ତର୍ଯ୍ୟାମୀ ପାତ୍ର, ରବିନ୍ଦ୍ର ପାଣିଗ୍ରାହୀ, ନୟନ ମଳିକ, ଏନ୍. କେଶବ, ନିତେଶ ପଣ୍ଡା, ସରୋଜ ପାତ୍ରଙ୍କ ସମେତ ବହୁ ସଂଖ୍ୟାକ ଭାଜପା କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *