ସଶକ୍ତି ନାରୀ, ସଶକ୍ତ ଭାରତ : ଅଶୁରାଳିରେ ଫିଟ୍ ଇଣ୍ଡିଆ ରନ୍ ଫର୍ ୱୁମେନ୍‌ରେ ୨୦୦୦ରୁ ଅଧିକ ମହିଳାଙ୍କ ଯୋଗଦାନ

ସଶକ୍ତି ନାରୀ, ସଶକ୍ତ ଭାରତ : ଅଶୁରାଳିରେ ଫିଟ୍ ଇଣ୍ଡିଆ ରନ୍ ଫର୍ ୱୁମେନ୍‌ରେ ୨୦୦୦ରୁ ଅଧିକ ମହିଳାଙ୍କ ଯୋଗଦାନ*ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ଫିଟ୍ ଇଣ୍ଡିଆ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନର ସମ୍ମିଳିତ ପ୍ରୟାସରେ ଧାମନଗର ବ୍ଲକର ଅଶୁରାଳିଠାରେ “ସଶକ୍ତି ନାରୀ, ସଶକ୍ତ ଭାରତ” ଶୀର୍ଷକରେ Fit India Run for Women କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନ ଦୌଡ଼, ପଦଯାତ୍ରା ଓ ମହିଳା ସମାବେଶରେ ୨୦୦୦ରୁ ଅଧିକ ମହିଳା ଯୋଗଦେଇ ନାରୀ ସଶକ୍ତିକରଣର ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ, ରାଜ୍ୟ ଶିଶୁ ସୁରକ୍ଷା ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର, ମାନ୍ୟବର ମନ୍ତ୍ରୀ କ୍ରୀଡା ବିଭାଗକଂ ପ୍ରତିନିଧି ଶ୍ରୀ ଅଶୋକ କୁମାର ପୁହାଣ, ନାରୀନେତ୍ରୀ ରଞ୍ଜିତା ସ୍ୱାଇଁ, କଳ୍ପନା ଜେନା, ଉମାମଣି ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ

କହିଥିଲେ ଯେ, “ନାରୀ କେବଳ ପରିବାରର ଆଧାର ନୁହେଁ, ସେ ସମାଜ ଓ ରାଷ୍ଟ୍ରର ଉନ୍ନତିର ମୂଳ ଶକ୍ତି। ନାରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସ୍ୱାବଲମ୍ବନ ନିଶ୍ଚିତ ହେଲେ ଦେଶ ଆହୁରି ସଶକ୍ତ ହେବ।”ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ମହିଳା ସଶକ୍ତିକରଣ ଉପରେ ମତ ପ୍ରକାଶ କରି କହିଥିଲେ ଯେ, “ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ଇତିହାସ ରଚନା କରୁଛନ୍ତି। ସେମାନଙ୍କୁ ସୁଯୋଗ ଓ ସମ୍ମାନ ଦେବା ହେଉଛି ସମାଜର ପ୍ରାଥମିକ କର୍ତ୍ତବ୍ୟ।”ଏହି ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କିଛି ପ୍ରତିଭାଶାଳୀ ନାରୀଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଡା. ସୂର୍ଯ୍ୟସ୍ନାତା ସାହୁ(ଅନେସ୍ଥେସିଆ) , ଏସ୍‌.ଆଇ. ପୁନମ ଦେବୀ ବେହେରା, ଜୁଲି ବେହେରା(ବରକୋଳି ରପ୍ତାନି), ମନିଷା ସାହୁ(ଜାତୀୟ ସ୍ତରୀୟ ସାଇକ୍ଲିଷ୍), ମଧୁସ୍ମିତା ନାୟକ(ଟେନିକୋଇଟ୍ ଜାତୀୟ ଖେଳାଳି), ଲେଖିକା ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ଦେବସ୍ମିତା ସୁଭଦର୍ଶିନୀ (ଧାମନଗରର UCO Bank ଶାଖାର ବ୍ରାଞ୍ଚ ମ୍ୟାନେଜର) ଓ ଧାମନଗର ବ୍ଲକରୁ ସିବିଏସଇ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା (98%) ମନସ୍ମିତା ମହାପାତ୍ର ଥିଲେ।ନାରୀନେତ୍ରୀ ରଞ୍ଜିତା ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅଶୁରାଳି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମିନତି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମାରାଥନ ଦୌଡ଼ ଓ ପଦଯାତ୍ରା ଅଶୁରାଳିସ୍ଥିତ ବେଷ୍ଟ ଇଞ୍ଜିନିୟରିଂ କଲେଜ ସମ୍ମୁଖରୁ ଆରମ୍ଭ ହୋଇ ନଗର ପରିକ୍ରମା କରି ମାଆ କାଳୀ ମନ୍ଦିର ଠାରେ ପହଞ୍ଚିଥିଲା। ନାରୀଙ୍କ ଏହି ଅପାର ଯୋଗଦାନ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ସଚେତନତାର ନୂଆ ପରିବେଶ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *