ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅଧିନରେ ଥିବା ଦଳ ବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ ଅଧ୍ୟକ୍ଷମାନଙ୍କ କମିଟିର ଦ୍ବିତୀୟ ବୈଠକ
ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅଧିନରେ ଥିବା ଦଳ ବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ ଅଧ୍ୟକ୍ଷମାନଙ୍କ କମିଟିର ଦ୍ବିତୀୟ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଦଳବଦଳ ବିରୋଧୀ ଆଇନକୁ କିଭଳି ଆହୁରି ମଜବୁତ କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଆଗାମୀ ଜୁନ ମାସରେ କର୍ଣ୍ଣାଟକରେ ଆଉ ଏକ ବୈଠକ କରାଯାଇ ଦଳବଦଳ ବିରୋଧୀ ଆଇନକୁ ଆହୁରି କିଭଳି ମଜବୁତ କରାଯାଇପାରିବ ସେନେଇ ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ କମିଟି ପ୍ରଦାନ କରିବ। ଦଳବଦଳ ବିରୋଧୀ ଆଇନ ଦେଶର ଲୋକ ତାନ୍ତ୍ରିକ ବ୍ୟବସ୍ଥାର ସ୍ଥିରତା, ଶାସନ ଶୃଙ୍ଖଳା ଓ ନୈତିକତାକୁ ସୁନିଶ୍ଚିତ କରିବାରେ ଏକ ମୂଲ୍ୟବାନ ବ୍ୟବସ୍ଥା। ଏହି ଆଇନ୍ ୫୨ ତମ ସମ୍ବିଧାନ ସଂଶୋଧନ ଅଧିନିୟମ ୧୯୮୫ ମାଧ୍ୟମରେ ପ୍ରଚଳିତ ହୋଇଥିଲା। ଯାହାର ଲକ୍ଷ୍ୟ ଅନୈତିକ ଦଳବଦଳକୁ ରୋକିବା ଏବଂ ମତଦାତାଙ୍କ ଆସ୍ଥାକୁ ସୁରକ୍ଷିତ ରଖିବା। ପୁରୀରେ ଅନୁଷ୍ଠିତ ଦଳବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ କମିଟିର ବୈଠକରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ବିଧାନସଭା ବାଚସ୍ପତି ଓ ସମ୍ବିଧାନ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ଅଯୋଗ୍ୟତା ମାମଲା ମାନଙ୍କର ଶିଘ୍ର ନିଷ୍ପତ୍ତି, ବର୍ତ୍ତମାନ ଆହ୍ବାନ ଗୁଡିକ ପାଇଁ ସୁଚିନ୍ତିତ ପ୍ରକ୍ରିୟା ବିକାଶ ଉପରେ ଗୁରୁତ୍ବ ଦିଆଯିବା ପାଇଁ ଆଲୋଚନା ହୋଇଥିଲା। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନାରଓ୍ବେକରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢୀ, କର୍ଣ୍ଣାଟକର ବାଚସ୍ପତି, ନାଗାଲାଣ୍ଡର ବାଚସ୍ପତି ଏହି କମିଟିର ସହ ଅଧ୍ୟକ୍ଷ ଭାବେ ଦାୟୀତ୍ବ ପାଳନ କରୁଛନ୍ତି। ଆଗାମୀ ୮ ମାସ ମଧ୍ୟରେ ଲୋକସଭାର ବାଚସ୍ପତିଙ୍କୁ ଦଳବଦଳ ବିରୋଧୀ ଆଇନକୁ କିଭଳି ମଜବୁତ କରାଯାଇପାରିବ ସେନେଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ଓଡ଼ିଶାର ବାଚସ୍ପତି ସୁରମା ପାଢୀ ଏବଂ ଦଳବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ କମିଟିର ଅଧ୍ୟକ୍ଷ ରାହୁଲ ସୁରେଶ ନାରଓ୍ବେକର ସୂଚନା ଦେଇଛନ୍ତି। ବାଇଟ୧- ରାହୁଲ୍ ସୁରେଶ୍ ନାରଓ୍ବେକର, ଅଧ୍ୟକ୍ଷ, ଦଳବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ କମିଟି ବାଇଟ୨- ସୁରମା ପାଢୀ, ବାଚସ୍ପତି, ଓଡ଼ିଶା
