ରେଞ୍ଜ ଅଫିସର ଙ୍କ ତତ୍ଵାବଧାନରେ ଅଟେଇ ଜଙ୍ଗଲରେ ସିଡ୍ ବଲ୍ ରୋପଣ

*ରେଞ୍ଜ ଅଫିସର ଙ୍କ ତତ୍ଵାବଧାନରେ ଅଟେଇ ଜଙ୍ଗଲରେ ସିଡ୍ ବଲ୍ ରୋପଣ* ଆନନ୍ଦପୁର ଆଜି କୋଳିମାଟି ପଞ୍ଚାୟତ ଅଧିନସ୍ଥ ଅର୍ଜୁନବଣିଆ ଗ୍ରାମ ନିକଟରେ ଅଟେଇ ଜଙ୍ଗଲ ମଧ୍ୟରେ ୩୫୦୦ ବିଭିନ୍ନ ସିଡ୍ ବଲ୍ ନିକ୍ଷେପ କରାଯାଇଥିଲା । ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କ ନେତୃତ୍ତ୍ଵରେ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ରେଞ୍ଜ ଅଫିସର ନବ କିଶୋର ନାୟକ, ଫରେଷ୍ଟ  ସ୍କ୍ୱାର୍ଡ ବିନୋଦ ବିହାରୀ ମହାନ୍ତି ଯୋଗ ଦେଇ ସିଡ୍ ବଲ୍ ନିକ୍ଷେପ ପ୍ରଣାଳୀ, ଶୈଳୀ ବାବଦରେ ଆଲୋଚନା କରି ୩୦୦୦ ବାଉଁଶ, ୨୫୦ ଜାମ୍ମୁ , ୨୫୦ ଖଜୁରୀ ସିଡ୍ ବଲ୍ ଆକାରରେ ଅଟଇ ଜଙ୍ଗଲ ମଧ୍ୟକୁ ନିକ୍ଷେପ କରିଥିଲେ । ସ୍ୱେଚ୍ଛାସେବୀ ରାଜ୍ କିଶୋର ବାରିକ, ପ୍ରସନ୍ନ ନାହକ ଓ ମନୋଜ କୁମାର ସାହୁ ଯୋଗ ଦେଇ ସିଡ୍  ବଲ୍ ନିକ୍ଷେପ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ । ହାତୀ ମଣିଷ ବିବାଦ କମାଇବା ପାଇଁ ଏବଂ ବନ୍ୟପ୍ରାଣୀ ମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାପାଇଁ ବାଉଁଶ ଗଛର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବନ୍ୟପ୍ରାଣୀ ମାନଙ୍କର ବାସସ୍ଥାନ ନଷ୍ଟ ହେବା ଫଳରେ ସେମାନେ ସହରାଭିମୁଖି ହେଉଛନ୍ତି । ଏହି ସମସ୍ୟାକୁ ଆଖି  ଆଗରେ ରଖି ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ସିଡ୍ ବଲ୍ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହାୟତାରେ ନିଜେ ପ୍ରସ୍ତୁତ କରିଛନ୍ତି । ଆନନ୍ଦପୁର ଉପଖଣ୍ଡ ତଥା କେନ୍ଦୁଝର ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲରେ ଏହାକୁ ବ୍ୟବହାର କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ  ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ନିକଟରେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସହରକୁ ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଏହି ପ୍ରୟାସ ଦ୍ୱାରା ହାତୀ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ମାନଙ୍କର ବାସସ୍ଥାନକୁ ପୁନଃସ୍ଥାପନ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *