ଶ୍ରୀମନ୍ଦିର କାର୍ଯ୍ଯାଳୟ ଉଚ୍ଛେଦ
ପୁରୀ – ଆଜି ରବିବାର ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ବିଶୋଧନ ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହୁଥିବାରୁ ପ୍ରଶାସନ ପକ୍ଷରୁ କରାଯାଉଛି ଉଛେଦ । ଏ ନେଇ ମରଚିକୋଟ ଛକରୁ ଆରମ୍ଭ କରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି । ସକାଳ ୭ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ଯାଳୟ ଚାଲୁଥିବା ପୁରୁଣା କୋଠାର ଉଚ୍ଛେଦ ପାଇଁ ଜେସିବି କମ୍ ବ୍ରେକର ମେସିନ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ଐତିହ୍ଯ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ଼ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇ ପ୍ଲାଟୁନ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି। ଖୋଦ୍ ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ଯର ତଦାରଖ କରୁଛନ୍ତି। ଶହଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା। ପରବର୍ତ୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ଯାଳୟ ଚାଲୁଥିଲା। ଏହି କୋଠାରେ ୧୫ଟି ଦୋକାନ ରହିଥିଲା। ଦୋକାନ ଗୁଡିକୁ ଖାଲି କରାଯାଇଛି।ଆଜି ଭଙ୍ଗାଯାଉଛି ଶ୍ରୀମନ୍ଦିର ପ୍ରଶାସନର ଏହି ସର୍ବ ପୁରାତନ କୋଠା । ଏ ନେଇ ପ୍ରସ୍ତୁତ ରହିଛି ଦୁଇଟି ବୁଲ ଡୋଜର । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟକୁ ନେଇ ୭୫ ମିଟର ପରିଧିରୁ ଉଛେଦ ଜାରି ରହିଥିବା ବେଳେ ୧୦୦ ମିଟର ଭିତରେ ଥିବା ପୁରାତନ ଅଫିସ କୋଠାକୁ ଭାଙ୍ଗିବା ପାଇଁ ନିସ୍ପତି ନିଆଯାଇଥିଲା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଠାକୁ ତ୍ୟାଗ ମନୋବୃତିରେ ପ୍ରଦାନ କରାଯାଇଛି । ତେବେ ଏହି ପୁରାତନ କୋଠା ଭଙ୍ଗାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କୋଠରେ ଆରମ୍ଭ ହୋଇଛି କାର୍ଯ୍ୟାଳୟ । ଏକ ମାସ ଧରି ଏହି ପୁରାତନ କାର୍ଯ୍ୟାଳୟରୁ ନୂତନ କାର୍ଯ୍ୟାଳୟକୁ ଶ୍ରୀମନ୍ଦିର ପ୍ରଶାସନ ର ସମସ୍ତ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏହି କୋଠାଟି ବେଶ୍ ଐତିହ୍ୟ ପୂର୍ଣ୍ଣ କୋଠା ।ରାଜା ରାଜୁଡା ସମୟରେ ଏହି କୋଠାରେ ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ଚାଲୁଥିଲା । ହେଲେ ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କୋଠାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଚାଲୁଥିଲା।
