ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ


ଖୋର୍ଦ୍ଧା,୨ା୧୦: ସ୍ଥାନୀୟ ବି.ଜେ.ବି ଉଚ୍ଚ ବିଦ୍ୟାଳୟସ୍ଥିତ ଅଡିଟୋରିଅମ ରେ‌ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଚଂଚଳ ରାଣା, ମୁଖ୍ୟବକ୍ତା ପ୍ରଫେସର ଡଃ ନାରାୟଣ ରାଓ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାପାଳ ସତ୍ୟ ଓ ଅହିଂସା ପଥରେ ଚାଲିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଗାନ୍ଧୀଜୀଙ୍କ ଆଦର୍ଶ ଜୀବନୀ ଉପରେ କିଛି ପ୍ରଶ୍ନ ପଚାରି ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ବୈଠକ ପ୍ରାରମ୍ଭରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଗବତ ଗୀତା ପି. ଏନ. କଲେଜ ଅଧ୍ୟାପକ ସୁଶାନ୍ତ ମିଶ୍ର, ମାନୁଏଲ କରାଡୋ ବାଇବେଲ ଓ ମୌଲବୀ ଫତିବୁଦ୍ଧାନ ଖାଁ କୋରାନ ପାଠ କରିଥିଲେ । ଓଡିଆ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ,ଡିବେଟ୍ ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ କପ ଏବଂ ମାନପତ୍ର ଦେଇ ଅତିଥି ପୁରସ୍କୃତ କରିଥିଲେ ।
ଏହି ଅବସରରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନ କୁ ନେଇ ଏକ ଆଲୋଚନା କରାଯାଇଥିଲା । ଏଥିରେ ପ୍ରଫେସର ରାଓ, ଉମାଶଙ୍କର ପ୍ରସାଦ, ପ୍ରାକ୍ତନ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ, ସତ୍ୟବାଦୀ ବଳିଆରସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।
ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପ୍ରଚାର କରାଯାଇଥିଲା । ପୂର୍ବାହ୍ନରେ ମହାତ୍ମା ଗାନ୍ଧୀଙ୍କ ସଚେତନତା ବାଣୀକୁ ନେଇ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା । ତେବେ ପଦଯାତ୍ରା ସମୟରେ ବ୍ୟାଙ୍କଛକ ନିକଟରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ତଥା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପଦଯାତ୍ରା ରେ ଜିଲ୍ଲାପାଳ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଏନ. ସି. ସି., ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *